କଟକ : ପୁରୀ ବାହାର ଜିଲ୍ଲାର ଲୋକଙ୍କ ପାଇଁ ସ୍ବର୍ଗଦ୍ବାରରେ ଶବ ସତ୍କାର ଉପରେ ଜାରି କରାଯାଇଥିବା କଟକଣା ବିରୋଧରେ ଦାୟର ମାମଲାର ଶୁଣାଣି କରି ହାଇକୋର୍ଟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଜବାବ ତଲବ କରିଛନ୍ତି। ଆଜି ମୁଖ୍ୟ ବିଚାରପତି ଜଷ୍ଟିସ୍ ମହମ୍ମଦ ରଫିକ୍ ଓ ଜଷ୍ଟିସ୍ ବିଶ୍ବନାଥ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ଜନସ୍ବାର୍ଥ ମାମଲାର ଶୁଣାଣି କରି କେନ୍ଦ୍ର ଗୃହ ମନ୍ତ୍ରାଳୟ, ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ, ରାଜ୍ୟ ସ୍ବତନ୍ତ୍ର ରିଲିଫ କମିସନର ଓ ପୁରୀ ଜିଲ୍ଲାପାଳଙ୍କୁ ନୋଟିସ୍ ଜାରି କରିବା ସହିତ ପରବର୍ତ୍ତୀ ଶୁଣାଣି ପୂର୍ବରୁ ଜବାବ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ପୂର୍ଣ୍ଣାଙ୍ଗ ଶୁଣାଣି ଅଗଷ୍ଟ ୧୨କୁ ଧାର୍ଯ୍ୟ କରାଯାଇଛି।
କଟକ ନେତାଜୀନଗରର ସଂଜୀବ କୁମାର ଚିନ୍ନାରାଙ୍କ ପକ୍ଷରୁ ହାଇକୋର୍ଟରେ ଏହି ଜନସ୍ବାର୍ଥ ମାମଲା ରୁଜୁ ହୋଇଛି। ଆବେଦନରେ ଉଲ୍ଲେଖ କରାଯାଇଛି ଯେ, କୋଭିଡ-୧୯ସ୍ଥିତିରେ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଜାରି କରିଥିବା ନିୟମାବଳୀକୁ ଆଧାର କରି ଜିଲ୍ଲାପାଳ କୌଣସି ନିର୍ଦ୍ଦେଶନାମା ପ୍ରଦାନ କରିପାରିବେ। ଶବ ସତ୍କାରରେ କେତେ ଜଣ ସାମିଲ ହେବେ ଓ କ’ଣ କଟକଣା ରହିବ, ସେ ନେଇ ପୂର୍ବରୁ ନିୟମାବଳୀରେ ଉଲ୍ଲେଖ କରାଯାଇଥିବାବେଳେ ସ୍ବର୍ଗଦ୍ବାରରେ ଶବ ସତ୍କାର ପ୍ରସଂଗରେ କଟକଣା ଜାରି କରାଯିବା ଗ୍ରହଣୀୟ ନୁହେଁ। ପୁରୀ ଜିଲ୍ଲା ବାହାରର ଶବ ବୋଲି ସ୍ବର୍ଗଦ୍ବାରରେ ସଂସ୍କାର ପାଇଁ ଅନୁମତି ନ ଦେବା ଆଇନ ଅନୁସାରେ ବି ଗ୍ରହଣୀୟ ନୁହେଁ। ଏପରି କଟକଣା ସଂପର୍କିତ ବିଜ୍ଞପ୍ତି ସମ୍ବିଧାନର ଧାରା ୧୫ର ଉଲ୍ଲଂଘନ କରୁଛି। ଆଇନର ବିରୁଦ୍ଧାଚରଣ କରୁଥିବା ଏପରି ବିଜ୍ଞପ୍ତିକୁ ରଦ୍ଦ କରାଯାଉ ବୋଲି ଆବେଦନକାରୀଙ୍କ ପକ୍ଷରୁ ଦର୍ଶାଯାଇଛି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ରଂଜନ କୁମାର ରାଉତ ମାମଲା ପରିଚାଳନା କରୁଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/11/Odisha-High-Court.jpg)