ଗାଡ଼ିର କାଗଜପତ୍ର ଯାଞ୍ଚ୍‌ ଆଳ : ଯାତ୍ରୀଙ୍କୁ ମାଡ଼ମାରି ଲହୁ ଲୁହାଣ କଲା ପୁଲିସ

ପୁଲିସର ଦାଦାଗିରିକୁ ବିରୋଧ କରି ଥାନା ଘେରଉ 

ବାସୁଦେବପୁର-ଧାମରା ରାସ୍ତା ୭ ଘଣ୍ଟା ଅବରୋଧ

ବାସୁଦେବପୁର : ବିଳମ୍ବିତ ରାତିରେ ଟ୍ରେନ୍‌ରୁ ଓହ୍ଲାଇ ଘରକୁ ଯାଉଥିବା ଦୁଇ ଯାତ୍ରୀଙ୍କୁ ପୁଲିସ ମାଡ଼ମାରି ଲହୁ ଲୁହାଣ କରିଛି। ଏହି ଘଟଣା ଗତକାଲି ବିଳମ୍ବିତ ରାତିରେ ଘଟିଛି। ଆଜି ଏହି ଘଟଣାକୁ ନେଇ ଲୋକେ ତାତିଛନ୍ତି। ଆଜି ସକାଳ ୮ରେ ଲୋକେ ବାସୁଦେବପୁର ଥାନା ଘେରଉ କରିଛନ୍ତି। ପରେ ବାସୁଦେବପୁର-ଧାମରା ରାସ୍ତା ଅବରୋଧ କରିଛନ୍ତି। ୭ ଘଣ୍ଟାଧରି ରାସ୍ତା ଅବରୋଧ ଯୋଗୁଁ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଛି।

ଲୋକେ ଅଭିଯୋଗ କରିଛନ୍ତି; ସିରିଏଲ୍‌ ଲୁଟ୍‌, ଛିନତାଇ, ହତ୍ୟାକାଣ୍ଡ ଘଟଣାରେ ଲୋକେ ନିଜକୁ ଅସୁରକ୍ଷିତ ମଣୁଛନ୍ତି। ଏସବୁ ଅପରାଧକୁ ପୁଲିସ ରୋକିବା ବଦଳରେ ନିରିହ ଲୋକଙ୍କ ଉପରେ ଅତ୍ୟାଚାର କରୁଛି। ଗୁଆଗଡିଆ ଗାଁର ରଞ୍ଜିତ ଜେନା ଓ ତାଙ୍କ ପୁଅ ସୁଧାଂଶୁ ଗତକାଲି ରାତି ୪ଟା ବେଳେ ଭଦ୍ରକ ଷ୍ଟେସନରେ ଓହ୍ଲାଇ ଅଟୋ ଯୋଗେ ଘରକୁ ଫେରୁଥିଲେ। ବାଟରେ ବେତଡା ଛକ ନିକଟରେ ପୁଲିସ ଟିମ୍‌ ଅଟୋକୁ ଘେରି ଯାଇଥିଲେ। ଟିମ୍‌ରେ ୨ଜଣ ସାଦା ପୋଷାକରେ ବି ଥିଲେ। ସେମାନେ ଅଟୋ ଚାଳକକୁ ଗାଡିର କାଗଜପତ୍ର ମାଗିଥିଲେ। ଭୁଲ୍‌ ଅଛି କହି ୨ଶହ ଟଙ୍କା ମାଗିଥିଲେ। କାହିଁକି ଟଙ୍କା ଦେବୁ ବୋଲି ସୁଧାଂଶୁ ପ୍ରତିବାଦ କରିବାରୁ ପୁଲିସ ବାବୁମାନେ ଉତ୍‌କ୍ଷିପ୍ତ ହୋଇ ସୁଧାଂଶୁଙ୍କୁ ଘୋଷାଡ଼ି ନିସ୍ତୁକ ମାଡ ମାରିଥିଲେ। ପୁଅକୁ ଉଦ୍ଧାର କରିବାକୁ ଯାଇ ରଞ୍ଜିତ ମଧ୍ୟ ପୁଲିସ ବାବୁମାନଙ୍କ କ୍ରୋଧର ଶିକାର ହୋଇଥିଲେ। ପୁଲିସ ମାଡ଼ରେ କ୍ଷତାକ୍ତ ରଞ୍ଜିତ ଏବେ ବାସୁଦେବପୁର ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

ଆଜି ସକାଳୁ ଏହି ଘଟଣା ପ୍ରଘଟ ହେବା ପରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ରଞ୍ଜିତଙ୍କ ପରିବାର ଓ ସମ୍ପର୍କୀୟଙ୍କ ସହ ସ୍ଥାନୀୟ ବିଜେପି ଓ କଂଗ୍ରେସ ନେତାମାନେ ବାସୁଦେବପୁର ଥାନା ଘେରଉ କରିଥିଲେ। ପରେ ସେମାନେ ବାସୁଦେବପୁର-ଧାମରା ରାସ୍ତାକୁ ଅବରୋଧ କରି ଅତ୍ୟାଚାରୀ ପୁଲିସ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ସହ ପୀଡିତଙ୍କୁ କ୍ଷତିପୂରଣ ଦାବି କରିଥିଲେ। ଜନ ଆନ୍ଦୋଳନକୁ ବିଜେପି ଜିଲ୍ଲା ଉପସଭାପତି ଅଶୋକ କୁମାର ସାହୁ, ପୌରାଧ୍ୟକ୍ଷ ଅଶୋକ କୁମାର ଦାସ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ପ୍ରଶାନ୍ତ ନାୟକ, ବିଜେପି ନିର୍ବାଚନ ମଣ୍ଡଳୀ ନେତା ଦିନବନ୍ଧୁ ପତି, କଂଗ୍ରେସ ନେତା ମାଧବାନନ୍ଦ ମଲ୍ଲିକ, ପୂର୍ବତନ ସରପଞ୍ଚ ପରମାନନ୍ଦ ନାୟକ, କାଉନସିଲର ପ୍ରବୋଧ ଦାସଙ୍କ ସମେତ ବାସୁଦେବପୁର ଅଞ୍ଚଳର ଅନେକ ସଚେତନ ନାଗରିକ ସମର୍ଥନ ଜଣାଇ ଧାରଣାରେ ବସିଥିଲେ। ଖବର ପାଇ ଏସ୍‌ଡିପିଓ ଜଳଧର ଜାଲି ଘଟଣାସ୍ଥଳରେ ପହଞ୍ଚିଥିଲେ। ଘଟଣାରେ ସଂପୃକ୍ତ ପୁଲିସ କର୍ମଚାରୀମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ପ୍ରତିଶ୍ରୁତି ଦେବାପରେ ଅପରାହ୍ନ ୪ଟାରେ ଧାରଣା ପ୍ରତ୍ୟାହୃତ ହୋଇଛି।

ସମ୍ବନ୍ଧିତ ଖବର