ପାଇପ୍ ଧରି ନଦୀ ପାର୍‌ ବେଳେ ଜୀବନ ଗଲା : ନିଆଁ ଜାଳି ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତା ଅବରୋଧ

ଭଞ୍ଜନଗର/ବେଲଗୁଣ୍ଠା : ପାଇପ୍ ଧରି ନଦୀ ପାର୍‌ ହେଉଥିବାବେଳେ ପ୍ରଖର ସ୍ରୋତରେ ଭାସି ଜଣେ ଯୁବକ ପ୍ରାଣ ହରାଇଛନ୍ତି। ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅଧୀନ ଆମ୍ବପୁଆ ନିକଟରେ ଏହିଭଳି ଏକ ଅଭାବନୀୟ ଘଟଣା ଘଟିଛି। ମୃତକ ଜଣକ ହେଲେ ବେଲଗୁଣ୍ଠା ବ୍ଲକ୍‌ ଚଢିଆପଲ୍ଲୀ ଗ୍ରାମର ରାଜକୁମାର ଲେଙ୍କା (୩୮)। ଆଜି ସକାଳ ୧୦ଟାରେ ରାଜକୁମାର କୌଣସି କାମରେ ଆମ୍ବପୁଆ ଗ୍ରାମକୁ ଆସିଥିଲେ। ସେ ପୁରୁଣା ଡାଇଭର୍ସନ ରୋଡରେ ଏକ ପାନୀୟଜଳ ପ୍ରକଳ୍ପ ପାଇପ୍‌କୁ ଧରି ବିପଜ୍ଜନକ ଅବସ୍ଥାରେ ବୋଡା ନଦୀ ପାର ହେଉଥିଲେ। ଏହି ସମୟରେ ଖସିଯିବାରୁ ସେ ପ୍ରଖର ସ୍ରୋତରେ ଭାସିଯାଇଥିଲେ। ନିକଟରେ ସୃଷ୍ଟି ହୋଇଥିବା ଗଣ୍ଡରେ ତାଙ୍କୁ ବୁଡ଼ି ଯାଉଥିବାର ଦେଖି ସ୍ଥାନୀୟ ଲୋକେ ଉଦ୍ଧାର କରିବାକୁ ଚେଷ୍ଟା କରି ବି ସଫଳ ହୋଇପାରି ନଥିଲେ। ବେଲଗୁଣ୍ଠା ଅଗ୍ନିଶମବାହିନୀ ପହଞ୍ଚି ରାଜକୁମାରୁଙ୍କୁ ଚଢ଼ିଆପଲ୍ଲୀଠାରୁ ୨୦୦ ମିଟର ଆଗରେ ଥିବା ଗଣ୍ଡ ଭିତରୁ ଉଦ୍ଧାର କରିଥିଲେ। ଭଞ୍ଜନଗର ଉପଖଣ୍ଡ ଡାକ୍ତରଖାନାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା। ଭଞ୍ଜନଗର ଓ ବେଲଗୁଣ୍ଠା ଫାଣ୍ଡି ପୁଲିସ ଶବକୁ ଜବତ କରିବା ସହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା।

ଏହି ଘଟଣାକୁ କେନ୍ଦ୍ର କରି ତୀବ୍ର ଉତ୍ତେଜନା ଦେଖାଦେଇଥିଲା। ରାଜକୁମାରଙ୍କ ଶବ ଚଢିଆପଲ୍ଲୀରେ ପହଞ୍ଚିବା ପରେ ଉତ୍ତ୍ୟକ୍ତ ଗ୍ରାମବାସୀ ବେଲଗୁଣ୍ଠାସ୍ଥିତ ଜଗନ୍ନାଥପ୍ରସାଦ ରୋଡ୍ ଛକ ରାସ୍ତାକୁ ଟାୟାର୍ ଜାଳି ଅବରୋଧ କରିଥିଲେ। ଫଳରେ, ଯାନବାହନ ଚଳାଚଳ ବନ୍ଦ ହୋଇଯାଇଥିଲା।

ସମ୍ବନ୍ଧିତ ଖବର