ରାସ୍ତାକଟାକୁ ନେଇ ଗ୍ରାମବାସୀଙ୍କ ଦ୍ବାରା ତହସିଲଦାର ଅଟକ, ମରାମତି ପ୍ରତିଶ୍ରୁତି ପରେ ଛାଡିଲେ

ଚିତ୍ରଡ଼ା: ମୋରଡ଼ା ଥାନା ତଥା ମୋରଡ଼ା ତହସିଲ ଅଧିନ କୋହି ପଞ୍ଚାୟତ ବଡ଼ମୁଣ୍ଢାବଣି ଗ୍ରାମରେ ଆଜି ଗ୍ରାମବାସୀଙ୍କ ଦ୍ଵାରା ମୋରଡ଼ା ତହସିଲଦାରଙ୍କୁ ଅଟକ ଥିବା ଜଣାପଡ଼ିଛି। ଖବରରୁ ପ୍ରକାଶ କି ବଡ଼ମୁଣ୍ଢାବଣି ଠାରେ ନିଲାମ ହୋଇନଥିବା ଏକ ବାଲିଘାଟକୁ ଯାଇଥିବା ରାସ୍ତାକୁ ଆଜି ତହସିଲଦାର ଏବଂ ସ୍ଥାନୀୟ ଆର ଆଇ ଏକ ଜେସିବି ମେସିନ ସାହାଯ୍ୟରେ କାଟିଦେବାରୁ ଗ୍ରାମବାସୀ ମାନେ ଏହାକୁ ବିରୋଧ କରିଥିଲେ । ଉକ୍ତ ସ୍ଥାନରୁ ଫେରିବା ସମୟରେ ତହସିଲଦାର ଏବଂ ଜେସିବି ମେସିନଟିକୁ ଅଟକ ରଖିଥିଲେ ।

ପ୍ରଶାସନ କାଟିଥିବା ରାସ୍ତାକୁ ସମାନ କରିବା ପରେ ତହସିଲଦାରଙ୍କୁ ଗ୍ରାମବାସୀମାନେ ଛାଡିବେ ବୋଲି ପ୍ରକାଶ କରିଥିଲେ। ଖବର ପାଇ ମୋରଡ଼ା ଥାନା ଏବଂ ଚିତ୍ରଡ଼ା ଫାଣ୍ଡି ପୋଲିସ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କୁ ବୁଝାସୁଝା କରୁଥିବା ବେଳେ ଗ୍ରାମବାସୀ କିନ୍ତୁ ଜିଦରେ ଅଟଳ ରହିଥିଲେ। ଏହା ପରେ  ରାତି ୯ ଟା ୩୦ରେ ତହସିଲଦାର ଖୋଳା ଯାଇଥିବା ରାସ୍ତାଟି ମରାମତି କରିବାର ପ୍ରତିଶ୍ରୁତି ଦେବାପରେ ତହସିଲଦାରଙ୍କୁ ଗ୍ରାମବାସୀମାନେ ଛାଡିଥିଲେ । କିନ୍ତୁ ଜେସିବି ମେସିନଟିକୁ ଅଟକ ରଖିଥିଲେ ।  ପୋଲିସ ଏପର୍ଯ୍ୟନ୍ତ ଘଟଣା ସ୍ଥଳରେ ଅଛନ୍ତି । ଏହି ସର୍ମ୍ପକରେ ମୋରଡ଼ା ତହସିଲଦାର ପ୍ରିୟଦର୍ଶିନୀ ମଲ୍ଲିକଙ୍କ ମତାମତ ମିଳିପାରି ନାହିଁ ।

ସମ୍ବନ୍ଧିତ ଖବର