କେନ୍ଦ୍ରାପଡ଼ା/ମହାକାଳପଡା/ପାରାଦୀପ : ପାରାଦୀପ-ହରିଦାସପୁର ରେଳପଥରେ ଯାତ୍ରୀବାହୀ ଟ୍ରେନ୍‌ ଚଳାଚଳ ଦାବିରେ ଲୋକମାନେ ଆନ୍ଦେ‌ାଳନାତ୍ମକ କ‌ାର୍ଯ୍ୟପନ୍ଥାକୁ ଓହ୍ଲାଇଛନ୍ତି। ଆଜି ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ମାଲବାହୀ ଟ୍ରେନକୁ ଲୋକେ ନୂଆଗାଁ ଷ୍ଟେସନଠାରେ ଅଟକାଇ ଦେଇଛନ୍ତି। ଫଳରେ, ପାରାଦୀପରୁ କୋଇଲା ନେଇ ଆସୁଥିବା ଟ୍ରେନଟି ଅଧା ବାଟରେ ଅଟକି ରହିବା ପରେ ସନ୍ଧ୍ୟାରେ ପୁଣି ଲେଉଟି ଯାଇଛି।

Advertisment

ଆଜି ଦିନ ପ୍ରାୟ ସାଢେ ୧୧ଟାରେ ପାରାଦୀପ ପଟୁ କୋଇଲା ନେଇ ୬୦ ବଗି ବିଶିଷ୍ଟ ଏହି ମାଲବାହୀ ଟ୍ରେନଟି ନୂଆଗାଁ ଷ୍ଟେସନ ନିକଟରେ ପହଞ୍ଚିବାବେଳକୁ ସେଠାରେ ପୂର୍ବରୁ ଉପସ୍ଥିତ ଥିବା ଜନସାଧାରଣ ଓ ଲୋକପ୍ରତିନିଧି ଏହାକୁ ଅଟକାଇ ଥିଲେ। ଉକ୍ତ ରେଳପଥ ଦେଇ ଯାତ୍ରୀବାହୀ ଟ୍ରେନ ଚଳାଚଳ ଦାବିରେ ଷ୍ଟେସନମାଷ୍ଟର ବାବୁଲି ଚରଣ ମଲ୍ଲିକଙ୍କୁ ଏକ ସ୍ମାରକପତ୍ର ଦେଇ ସେଠାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସନ୍ଧ୍ୟା ପ୍ରାୟ ୬ ଟା ପର୍ଯ୍ୟନ୍ତ ମାଲବାହୀ ଟ୍ରେନଟିକୁ ଅଟକାଇ ରଖିଥିଲେ। ରେଳବାଇ ପୁଲିସ ଓ ଷ୍ଟେସନମାଷ୍ଟର ଆନ୍ଦୋଳନକାରୀଙ୍କୁ ଯେତେ ବୁଝାସୁଝା କରିଥିଲେ ବି ସେମାନେ କର୍ଣ୍ଣପାତ କରି ନ ଥିଲେ। ଫଳରେ ଟ୍ରେନ୍‌ଟି ‌ ପାରାଦୀପ ଫେରିଯାଇଥିବା ଜଣାପଡିଛି। ମହାକାଳପଡ଼ା ବ୍ଲକ ଉପାଧ୍ୟକ୍ଷ ରଶ୍ମିରଂଜନ ମହାପାତ୍ର, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଜ୍ୟୋତି ରଂଜନ ଖଟୁଆ, ଗଡରୋମିତ ସରପଞ୍ଚ ଉରା ତରାଇ, ପୂର୍ବତନ ବ୍ଲକ ଅଧ୍ୟକ୍ଷା ସରୋଜିନୀ ସେଠୀ, ଜୟଚନ୍ଦ୍ରପୁର ସରପଞ୍ଚ ପ୍ରଦୀପ ବେହେରା, ବିଦ୍ୟାଧର ସ୍ବାଇଁ, ଅରକ୍ଷିତ ବେହେରା, ହେମନ୍ତ ସାହୁ, ବଟକୃଷ୍ଣ ସାହୁ, ବିଭୂତି ସ୍ବାଇଁ, ପତିତପାବନ ସାହୁ, ବଂଶୀଧର ସେଠୀ, ପତିତପାବନ ବାରିକ, ଦୀପକ ଦାସ ପ୍ରମୁଖ ଏହି ରେଳରୋକରେ ସାମିଲ୍‌ ଥିଲେ।

ମାଲବାହୀ ଟ୍ରେନକୁ ଅଟକାଇବା ସମ୍ପର୍କରେ ବିଧାୟକ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି, ଯାତ୍ରୀବାହୀ ଟ୍ରେନ ଚଳାଚଳ ପାଇଁ ବିଜୁ ବାବୁ, ନବୀନ ପଟ୍ଟନାୟକ ଓ ଅଂଚଳବାସୀଙ୍କ ସ୍ବପ୍ନ ଥିବାବେଳେ କେନ୍ଦ୍ର ରେଳ ମନ୍ତ୍ରାଳୟ ଆଜି ପର୍ଯ୍ୟନ୍ତ ଯାତ୍ରୀବାହୀ ଟ୍ରେନ ଚାଲିବ କି ନାହିଁ ତାହା ସ୍ପଷ୍ଟ କରୁନାହାନ୍ତି। ସେହିପରି, ଭାରତୀୟ ରେଳଯାତ୍ରୀ ସେବା ସମିତିର ସଦସ୍ୟ ତଥା ବିଜେପି ନେତା ବିଷ୍ଣୁ ଦାସଙ୍କ କହିବାନୁଯାୟୀ, ନିକଟରେ ଭିଡିଓ କନଫରେନସିଂ ଜରିଆରେ ରେଲୱେ ବୋର୍ଡ ବୈଠକରେ ଉକ୍ତ ରେଳପଥ ଦେଇ ଯାତ୍ରୀବାହୀ ଟ୍ରେନ ଚଳାଚଳ ପାଇଁ ସେ ପ୍ରସ୍ତାବ ଦେଇଛନ୍ତି।

ଅନ୍ୟପକ୍ଷରେ ପାରାଦୀପ-ହରିଦାସପୁର ରେଳ ପ୍ରକଳ୍ପର ମ୍ୟାନେଜର ଆର. ଏନ. ମୁଦୁଲି କହିଛନ୍ତି, ଆଜି ଏହି ରେଳପଥ ଦେଇ ପରୀକ୍ଷାମୂଳକ ଭାବେ ଗଡ଼ିଥିବା ମାଲବାହୀ ଟ୍ରେନକୁ ଲୋକେ ଅଟକାଇବା ଦୁର୍ଭାଗ୍ୟପୂର୍ଣ୍ଣ। ପୂର୍ବତଟ ରେଳପଥର ବରିଷ୍ଠ ଜନସଂପର୍କ ଅଧିକାରୀ ନିରାକାର ଦାସ କହିଛନ୍ତି ‌ଯେ, ଆଜି ଯେଉଁ ମାଲବାହୀ ଟ୍ରେନ୍‌ ଏହି ରୁଟ୍‌ରେ ଚଳାଚଳ ଆରମ୍ଭ କରିଛି, ତାହା ଏକ ପରୀକ୍ଷାମୂଳକ ଟ୍ରେନ୍‌। ପରୀକ୍ଷାମୂଳକ ଟ୍ରେନନ୍‌ ଚଳାଚଳ ବେଳେ ଯାହାକିଛି ତ୍ରୁଟି ଥାଏ, ତାହାକୁ ସଂଶୋଧନ କରାଯାଇଥାଏ।

ପ୍ରକାଶଥାଉକି, ପାରାଦୀପରୁ ଆଜି ପରୀକ୍ଷାମୂଳକ ଭାବେ 'ହରିଦାସପୁର–ପାରାଦୀପ' ରେଳଲାଇନରେ ଏକ ମାଲବାହୀ ଟ୍ରେନ୍ ଗଡ଼ିଛି। ଏଚ୍ଏସ୍‌ପିଜି ନାମକ ଏହି ଟ୍ରେନ୍‌ ଆଜି ଦିନ ୧୧ଟା ୧୫ରେ ପାରାଦୀପ ଛାଡ଼ିଥିଲା। ଏଥିରେ ୫୮ଟି ବଗି ଥିବାବେଳେ ଗୋଟିଏ ବ୍ରେକ୍ ଭ୍ୟାନ ରହିଛି। ପାରାଦୀପରୁ କୋଇଲା ନେଇ ଏହି ଟ୍ରେନ୍ ରାଉରକେଲା ଯାଉଥିଲା। ଆଜି ପୂର୍ବତଟ ରେଳପଥର ବରିଷ୍ଠ ଅଧିକାରୀମାନେ ଟ୍ରେନ ଯାତ୍ରାର ଭର୍ଚୁଆଲ ଉଦ୍‌ଘାଟନ କରିଥିଲେ। କାର୍ଯ୍ୟକ୍ରମରେ ରେଳ ବିଭାଗର ଏଆରଏମ୍ ଆର.ମନୋଜ ବାବୁ, ଏଇଇ (ଟିଆରଡି) ଜଗନ୍ନାଥ ପ୍ରଧାନ, ସିଏଲ୍ଆଇ ସମୀର କୁମାର ବେହେରା ଓ ଅଜୟ କୁମାର ରାଉତ, ଡିଟିଆଇ ମଳୟ କୁମାର ଆଚାର୍ଯ୍ୟ ଓ ଏସ୍‌ଏସ୍‌ଇ (ଟିଆରଡି) ଜଗବନ୍ଧୁ ସ୍ବାଇଁଙ୍କ ସମେତ ଅନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ।