ଫୁଲବାଣୀ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନାରେ ଶନିବାର ଦିନ ଅପରାହ୍ନରେ ଉତ୍ତ୍ୟକ୍ତ ଜନତାଙ୍କ ଦ୍ବାରା ନିଆଁ ଲଗାଇବା ଘଟଣାକୁ ନେଇ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ନେଇଛି। ଏହି ଘଟଣା ପରେ ପୁଲିସ ପ୍ରଶାସନ ରବିବାର ଫିରିଙ୍ଗିଆ ଥାନା ଅଧିକାରୀ ତପନ କୁମାର ନାହାକଙ୍କୁ କନ୍ଧମାଳ ଜିଲ୍ଲା ମୁଖ୍ୟାଳୟ (ଫୁଲବାଣୀ)କୁ ବଦଳି କରିଛି। ସେହିପରି ୨ ହୋମଗାର୍ଡ ଙ୍କୁ କାର୍ଯ୍ୟରୁ ଅନ୍ତର କରିଛି। ଏଥି ସହିତ ଘଟଣାସ୍ଥଳରେ ଉତ୍ତେଜନା ଜାରି ରହିଥିବାରୁ ୧୪୪ ଧାରା ବଳବତ୍ତର ରହିଛି। ଅନ୍ୟପଟରେ ଫିରିଙ୍ଗିଆ ବଜାର ଶୂନଶାନ ରହିଛି।
ଫିରିଙ୍ଗିଆରେ ଶନିବାର ଦିନ ଉତ୍ତ୍ୟକ୍ତ ଜନତା ଥାନାରେ ନିଆଁ ଲଗାଇ ଦେବା ପରେ ବର୍ତ୍ତମାନ ପରିସ୍ଥିତି ଅଣାୟତ୍ତ ହୋଇପଡ଼ିଛି। ପୂରା ସହରରେ ନିରବ ରହିଛି। ସାଧାରଣ ଲୋକଙ୍କର ଯାତାୟତ ଏକପ୍ରକାର ବନ୍ଦ ହୋଇଯାଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ଅଗ୍ନିକାଣ୍ଡ ଘଟଣାରେ ସଂପୃକ୍ତ ଥିବା ସନ୍ଦେହରେ ପୁଲିସ ୩୦ ଜଣଙ୍କୁ ଅଟକ ରଖିଛି। ସିସିଟିଭି ଫୁଟେଜ୍ ଓ ଭିଡିଓ ଯାଞ୍ଚ କରୁଛି। ପୂରା ବଜାର ଜନଶୂନ୍ୟ ହୋଇପଡ଼ିଥିବା ବେଳେ ୫ ପ୍ଲାଟୁନ୍ ପୁଲିସ ମୁତୟନ ଅଛନ୍ତି। କନ୍ଧମାଳ ଏସ୍ପି ଶୁଭେନ୍ଦୁ କୁମାର ପାତ୍ର ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି।
/sambad/media/post_attachments/wp-content/uploads/2023/08/03275905-b051-4ff5-bafd-eb15570cad34-e1691318077856-1024x506.jpg)
ସୂଚନାଯୋଗ୍ୟ, ପୁଲିସ ନିଜେ ଗଞ୍ଜେଇ କାରବାର କରୁଥିବା ଅଭିଯୋଗ ଆଣି ଉତ୍ତ୍ୟକ୍ତ ଜନତା ଶନିବାର ଦିନ ଅପରାହ୍ଣ ୪ଟା ବେଳେ ହଠାତ୍ ଫିରିଙ୍ଗିଆ ଥାନା ଉପରେ ଆକ୍ରମଣ କରି ଦେଇଥିଲେ। ପୁଲିସ ଜନତାଙ୍କ ଉପରେ ଗରମ ମିଜାଜ୍ ଦେଖାଇବା ଫଳରେ ପରିସ୍ଥିତି ହିଂସାତ୍ମକ ମୋଡ଼ ନେଇଥିଲା। ଉତ୍ତ୍ୟକ୍ତ ଲୋକେ ଥାନାରେ ଧସେଇ ପଶି ନିଆଁ ଲଗାଇ ଦେଇଥିଲେ। ଥାନା ଅଧିକାରୀ ଓ ତାଙ୍କ ୨ ସହଯୋଗୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଥାନା ପରିସରରେ ଯାହା ପାଇଲେ ଜାଳି ଦେଇଥିଲେ। ଶତାଧିକ ଲୋକ ଥାନା ପରିସରରେ ବ୍ୟାପକ ଭଙ୍ଗାରୁଜା କରିବା ସହ ମାଲଖାନାରେ ଜବତ ହୋଇ ରହିଥିବା ଗଚ୍ଛିତ ଗଞ୍ଜେଇ ଓ ଜବତ ଗାଡ଼ି ଗୁଡ଼ିକରେ ମଧ୍ୟ ନିଆଁ ଲଗାଇ ଦେଇଥିଲେ। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଏହାସହ ଉତ୍ତ୍ୟକ୍ତ ଲୋକେ ଥାନାରୁ କିଛି ବନ୍ଧୁକ ମଧ୍ୟ ଲୁଟି ନେଇଥିବା ପୁଲିସ କହିଛି। ଉତ୍ତ୍ୟକ୍ତ ଲୋକଙ୍କ ମାଡ଼ରେ ଏସ୍ଡିପିଓ ସୁପ୍ରସନ୍ନ ମଲିକ, ତହସିଲଦାର ଏମ୍. ଅନୁରାଧା, ସ୍ଥାନୀୟ ସାମ୍ବାଦିକ ସୁବ୍ରତ ମହାନ୍ତିଙ୍କ ମୁଣ୍ଡ ଫାଟି ଗୁରୁତର ହୋଇଥିଲେ। ଏସ୍ଡିପିଓ ସୁପ୍ରସନ୍ନ ମଲିକ ଏବଂ ସାମ୍ବାଦିକ ସୁବ୍ରତ ମହାନ୍ତିଙ୍କୁ ଅଧିକ ଚିକିତ୍ସା ନିମନ୍ତେ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା।
ସୂଚନାଯୋଗ୍ୟ, ଗତ ୩ ତାରିଖ ଦିନ ଫିରିଙ୍ଗିଆ ଥାନା ଗାଡ଼ିରେ ୨ ଜଣ ହୋମ୍ଗାର୍ଡ଼ ଗଞ୍ଜେଇ ଭର୍ତ୍ତି କରି ନେଉଥିବା ବେଳେ ମାଶ୍ରିପଡ଼ା ନିକଟରେ ଲୋକେ ଗାଡ଼ିକୁ ଅଟକାଇଥିଲେ। ଖାନତଲାସ କରିବା ପରେ ଗାଡ଼ିରେ ଗଞ୍ଜେଇ ଥିବା ଜଣାପଡ଼ିଥିଲା। ତେବେ ପୁଲିସ କାହିଁକି ଗାଡ଼ିରେ ଗଞ୍ଜେଇ ନେଉଥିଲା ଏବଂ କେଉଁ ଅଞ୍ଚଳକୁ ଗଞ୍ଜେଇ ଚାଲାଣ ହେଉଥିଲା ବୋଲି ଲୋକେ ପଚରାଉଚରା କରିବା ପରେ ସମ୍ପୃକ୍ତ ୨ ଜଣ ହୋମ୍ଗାର୍ଡ଼ 'ଆମେ କିଛି ଜାଣିନୁ, ଆଇଆଇସି ଆମକୁ ପଠାଇଛନ୍ତି' ବୋଲି କହିଥିଲେ। ଏହି ଘଟଣାକୁ ନେଇ ସ୍ଥାନୀୟ ଲୋକେ ଉତ୍ତ୍ୟକ୍ତ ହୋଇ ପଡ଼ିଥିଲେ। ତେବେ ଘଟଣାର ଦୁଇ ଦିନ ପରେ ଅର୍ଥାତ୍ ଆଜି ସ୍ଥାନୀୟ ଲୋକେ ଆଇଆଇସିଙ୍କ ଗିରଫ ଏବଂ ପୁଲିସ ବିରୋଧରେ ତଦନ୍ତ ଦାବିରେ ଫିରିଙ୍ଗିଆ ବ୍ଲକ୍ ଅଫିସ ନିକଟରେ ଫୁଲବାଣୀ-ବାଲିଗୁଡ଼ା ମୁଖ୍ୟ ରାସ୍ତାରେ ଗଛ ପକାଇ ଅବରୋଧ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/08/793bda1c-a55a-412e-8c4a-a463eceaa074.jpg)