ଚମଡ଼ା ବୋଝେଇ ଗାଡ଼ିରେ ନିଆଁ ଲଗାଇ ଦେଲେ ଲୋକେ

ପାଣିକୋଇଲି : କୋରେଇରୁ ଗୋ-ଚମଡ଼ା ଓ ହାଡ଼ ନେଇ କୋଲକାତା ଅଭିମୁଖେ ଯାଉଥିବା ଏକ ୪୦୭ ମିନି ଟ୍ରକ୍‌ରେ ଆଜି ସନ୍ଧ୍ୟାରେ ପାଣିକୋଇଲି ନିକଟରେ ଉତ୍ତ୍ୟକ୍ତ ଲୋକେ ନିଆଁ ଲଗାଇ ଦେଇଛନ୍ତି। ଖବର ପାଇ ପାଣିକୋଇଲି ପୁଲିସ ପହଞ୍ଚି ଚାଳକ ସମେତ ମୋଟ ୪ ଜଣଙ୍କୁ ଅଟକ ରଖିଛି। ସେମାନେ ହେଲେ ପଶ୍ଚିମବଙ୍ଗ ଉଲବେରିଆ ଅଞ୍ଚଳର ରାଜେଶ ସାହା(୧୬), ହାସିତୁମ(୨୭), ଜୟଲାଲ ସାହା(୪୦) ଓ ବାବା ଆଲମ(୩୫)।

ଆଜି ସନ୍ଧ୍ୟାରେ କୋରେଇରୁ ଏହି ୪୦୭ ମିନି ଟ୍ରକ (ଡବ୍ଲୁବି ୧୧ ଡି ୪୮୩୮)ରେ ଗୋ ଚମଡ଼ା ଓ ହାଡ଼ ବୋଝେଇ କରି କୋରେଇ-ପାଣିକୋଇଲି ରାସ୍ତାରେ ଆସୁଥିଲା। ପଥରପଦା ପଞ୍ଚାୟତ ଓଚିନ୍ଦା ଛକ ହମ୍ପ୍‌ସ ନିକଟରେ ଉତ୍କଟ ଦୁର୍ଗନ୍ଧ ବାହାରିବାରୁ ସେଠାରେ ଥିବା ଯୁବକମାନେ ଗାଡିଟିକୁ ଅଟକାଇଥିଲେ। ଗାଡ଼ି ମଧ୍ୟରେ ଥିବା ୪ ଜଣଙ୍କୁ ଉତ୍ତ୍ୟକ୍ତ ଲୋକମାନେ ଅଟକ ରଖି ଘେରିଯାଇଥିଲେ। ପାଣିକୋଇଲି ଥାନାକୁ ଖବର ଦେବାରୁ ପୁଲିସ ପହଞ୍ଚି ୪ ବେପାରୀଙ୍କୁ ଗାଡ଼ିରେ ବସାଇ ଥାନାକୁ ନେଇଯାଇଥିଲା। ଖବର ପ୍ରଚାରିତ ହେବା ପରେ ବହୁ ଲୋକ ସେଠାରେ ରୁଣ୍ଡ ହୋଇଥିଲେ। ଘଟଣାସ୍ଥଳରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା। ଭିଡ଼ ଭିତରେ କେହି ଚମଡ଼ା ବୋଝେଇ ମିନିଟ୍ରକ୍‌ରେ ନିଆଁ ଲଗାଇଦେଇଥିଲେ। ଗାଡ଼ି ସହ ଚମଡ଼ା ହୁତ୍‌ହୁତ୍‌ ହୋଇ ଅଧାଅଧି ଜଳିଯାଇଥିଲା। ପରେ ଦମକଳ ବାହିନୀ ପହଞ୍ଚି ରାତି ୧୦ ଟା ସୁଦ୍ଧା ନିଆଁ ଲିଭାଇଥିଲା। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଦୁଇଦିନ ତଳେ ମଧ୍ୟ ଯାଜପୁରରୋଡ୍‌ରେ ଏକ ଚମଡ଼ା ବୋଝେଇ ଗାଡ଼ି ଧରାଯାଇଥିଲା।

ସମ୍ବନ୍ଧିତ ଖବର