ଛୁଆ ଚୋର ଭାବି ବିଦ୍ୟୁତ୍‌ ଖୁଣ୍ଟରେ ବାନ୍ଧି ଯୁବକଙ୍କୁ ମାଡ଼

ରାଇସୁଆଁ : ଛୁଆ ଚୋର ଭାବି ଜଣେ ବ୍ୟକ୍ତିଙ୍କୁ ଗାଁ ଲୋକେ ବିଦ୍ୟୁତ୍ ଖୁଣ୍ଟରେ ବାନ୍ଧି ମାଡ଼ ମାରିଛନ୍ତି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।

ମିଳିଥିବା ସୂଚନା ଅନୁଯାୟୀ, ତେଲକୋଇ ବ୍ଳକ ରାଇସୁଆଁ ପଞ୍ଚାୟତ ମାରଦ୍ଦା ଗ୍ରାମର ପ୍ରଫୁଲ୍ଲ ଚନ୍ଦ୍ର ଦାସଙ୍କ ଘରେ ଗତକାଲି ରାତିରେ ଜଣେ ବ୍ୟକ୍ତି ପଶି ଯାଇଥିଲା। ରୋଷେଇ ଘରେ ପଶି ଭାତ ଖାଇବାପରେ ଲୁଗାପଟା ଆଣି ବାରଣ୍ଡାରେ ଶୋଇଥିଲା। ଘରେ ବିଧବା ଶାଶୂ ଓ ବିଧବା ବୋହୂ ଛୋଟ ଛୁଆକୁ ଧରି ଶୋଇଥିଲେ। ହଠାତ୍‌ କେହି ଶୋଇ ଥିବା ଦେଖି ସାହିପଡିଶାଙ୍କୁ ପାଟି କରି ଡାକିଥିଲେ। ଲୋକମାନେ ଆସିବାରୁ ସେ ଦୌଡିବାକୁ ଆରମ୍ଭ କରିଥିଲା। ଲୋକମାନେ ତାକୁ କାବୁ କରି ବିଦ୍ୟୁତ ଖୁଣ୍ଟରେ ବାନ୍ଧି ମାଡ଼ ମାରିଥିଲେ। ଘଟଣା ସଂପର୍କରେ କାଳିଆହତା ପୁଲିସ ଫାଣ୍ଡି ଅଧିକାରୀଙ୍କୁ ଗ୍ରାମବାସୀ ଅବଗତ କରାଇବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଆୟତ୍ତକୁ ଆଣିଥିଲେ। ସେ ହେଉଛନ୍ତି ଅନୁଗୁଳ ଜିଲ୍ଲା ପାଲଲହଡ଼ା ଥାନା କଅଂଶର ଗ୍ରାମର ତୀର୍ଥ ବାସୀ ଦେହୁରୀଙ୍କ ପୁଅ ନିତିଆ ଦେହୁରୀ(୨୭)। ସେ ମାନସିକ ଭାବରେ ନ୍ୟୂନ ବୋଲି ଜଣାଯାଇଛି। ଫାଣ୍ଡି ଅଧିକାରୀ ଏ କେ ଚୌଧୁରୀ ଓ ପ୍ରଫୁଲ୍ଲ ଚନ୍ଦ୍ର ପଣ୍ଡା ନିତିଆଙ୍କ ବାପାମାଆଙ୍କୁ ଖବର ଦେଇଥିଲେ। ସେମାନେ ନ ଆସିବାରୁ ପୁଲିସ ଗାଡି ଯୋଗାଡ଼ କରି ତାଙ୍କୁ ନେଇ ତାର ବାପା ମାଆଙ୍କ ଜିମା ଦେଇଛି।

ସମ୍ବନ୍ଧିତ ଖବର