ଲୋକମାନେ ‘ତାଲାବନ୍ଦ’ର ମହତ୍ୱ ବୁଝନ୍ତୁ: ଆରୋଗ୍ୟ ଲାଭପରେ କହିଲେ ପ୍ରଥମ କରୋନା ଆକ୍ରାନ୍ତ ବ୍ୟକ୍ତି

ଭୁବନେଶ୍ୱର: ରାଜ୍ୟର ପ୍ରଥମ କରୋନା ଆକ୍ରାନ୍ତ ବ୍ୟକ୍ତି ଆଜି ପୂର୍ବାହ୍ନରେ କ୍ୟାପିଟାଲ ହସ୍ପିଟାଲରୁ ସୁସ୍ଥ ହୋଇ ଘରକୁ ଫେରିବା ପରେ ରାଜ୍ୟବାସୀଙ୍କୁ ବାର୍ତ୍ତା ଦେଇଛନ୍ତି । ଇଟାଲୀ ଫେରନ୍ତା ଯୁବକ କହିଛନ୍ତି, ଲୋକେ ତାଲା ବନ୍ଦର ମହତ୍ୱ ବୁଝନ୍ତୁ । କରୋନା ପାଇଁ ଲକଡାଉନ ଜାରି ଥିବା ବେଳେ ସମସ୍ତେ ନିଜ ନିଜ ଘରେ ରୁହନ୍ତୁ । ଏଥି ସହିତ ସମସ୍ତେ ସକରାତ୍ମକ ମନୋଭାବ ରଖନ୍ତୁ ।

ହସ୍ପିଟାଲରୁ ସୁସ୍ଥ ହୋଇ ଘରକୁ ଫେରିଥିବା ଯୁବକ କହିଛନ୍ତି, କରୋନା ସଂକ୍ରମଣ ପରୀକ୍ଷା ପଜିଟିଭ ଆସିବା ପରେ ପ୍ରଥମେ ମୁଁ ଡରି ଯାଇଥିଲି । ହସ୍ପିଟାଲର ଡାକ୍ତରଙ୍କ ସହଯୋଗରେ ସକରାତ୍ମକ ଭାବନା ଆସିଥିଲା । ତେଣୁ ମୋତେ ଭଲ କରିଥିବା ଡାକ୍ତରମାଙ୍କୁ ଧନ୍ୟବାଦ ଜଣାଉଛି । ସେ କହିଛନ୍ତି ରାଜ୍ୟର ମାଗଣା ଚିକିତ୍ସା ବ୍ୟବସ୍ଥା ବହୁତ ଭଲ ।

ସୂଚନାଯୋଗ୍ୟ, ରାଜ୍ୟର ପ୍ରଥମ କରୋନା ଆକ୍ରାନ୍ତଙ୍କ ନମୁନା ଗତ ମାର୍ଚ୍ଚ ୧୫ରେ ପଜିଟିଭ ରିପୋର୍ଟ ଆସିଥିଲା । ତାଙ୍କର ରିପୋର୍ଟ ପଜିଟିଭ ଆସିବା ପରେ ରାଜ୍ୟବାସୀଙ୍କ ମନରେ ଏକ ଭିନ୍ନ ଚିନ୍ତାଧାରା ଆସିଥିଲା । କାରଣ ଲୋକେ ଭାବୁଥିଲେ ସଂପୃକ୍ତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ଲୋକେ ମଧ୍ୟ କରୋନା ସଂକ୍ରମଣ ହୋଇପାରନ୍ତି । କିନ୍ତୁ ଦୀର୍ଘ ୧୯ ଦିନର ଚିକିତ୍ସା ପରେ ଯୁବକ ଜଣକ ଆଜି ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ରାଜ୍ୟରେ ଏପର୍ଯ୍ୟନ୍ତ କରୋନା ଭାଇରସ ସଂକ୍ରମିତ ସଂଖ୍ୟା ୯ରେ ପହଞ୍ଚିଛି । ଆଜି କେବଳ ଏଥିରୁ ୪ ଜଣ ଲୋକ କରୋନା ସଂକ୍ରମଣ ଚିହ୍ନଟ ହୋଇଛନ୍ତି । ଏପର୍ଯ୍ୟନ୍ତ ଭୁବନେଶ୍ୱରରୁ ୭ ଜଣ, କଟକରୁ ଜଣେ ଓ ଭଦ୍ରକରୁ ଜଣେ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି ।

ସମ୍ବନ୍ଧିତ ଖବର