ବିଡିଓଙ୍କ ବିରୋଧରେ ପୁଣି ଗର୍ଜିଲେ ଲୋକ ପ୍ରତିନିଧି, ୨୮ରୁ ଧାରଣା ଓ ଶାନ୍ତିପୂର୍ଣ୍ଣ ପ୍ରତିବାଦ

ରାୟଗଡ଼ା: ରାୟଗଡା ଜିଲ୍ଲାର ଗୁଡାରୀ ବ୍ଲକର ବିଡିଓଙ୍କୁ ନେଇ ବିବାଦ ଥମିବାର ନାମ ନେଉ ନାହିଁ। ଲୋକ ପ୍ରତିନିଧିମାନଙ୍କୁ ଅବହେଳା କରିବା, କୌଣସି ଉନ୍ନୟନ ମୂଳକ କାର୍ଯ୍ୟରେ ଲୋକ ପ୍ରତିନିଧିଙ୍କୁ ସାମିଲ ନକରିବା ଏବଂ ସରକାରୀ କାର୍ଯ୍ୟକ୍ରମରେ ମଧ୍ୟ ଉପେକ୍ଷା କରିବାକୁ ନେଇ ଲୋକପ୍ରତିନିଧିମାନେ ଗତ ଜାନୁଆରି ୧୧ ତାରିଖରେ ପ୍ରଥମେ ଜିଲ୍ଲା ପ୍ରଶାସନ ଅଭିଯୋଗ କରିଥିଲେ।

ଅଭିଯୋଗ ଅନୁଯାୟୀ ଏହାର ତଦନ୍ତ ପାଇଁ ଜିଲ୍ଲାପରିଷଦ ପତ୍ର ସଂଖ୍ୟା ୧୩୨୯/୨୪, ତାରିଖ-୧୩.୨.୨୪ରେ ଅଭିଯୋଗର ସତ୍ୟାସତ୍ୟ ଏବଂ ଅନୁସନ୍ଧାନ ପାଇଁ ୧୬ ଫେବ୍ରୁଆରି ଦିନ ଧାର୍ଯ୍ୟ କରାଯାଇଥିଲା। ଏହି ଦିନ ସମସ୍ତ ଲୋକ ପ୍ରତିନିଧି ଆସିଥିବା ବେଳେ ଜିଲ୍ଲା ପରିଷଦ ସିଡିଓ ସେହି ଦିନ ଗୁଡାରି ପହଞ୍ଚିଲେ ନାହିଁ, ଯାହାଫଳରେ ଲୋକ ପ୍ରତିନିଧିମାନେ ନଖଇ ନପିଇ ଅପେକ୍ଷା କରି ଘରକୁ ଫେରିଥିଲେ। ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଦୋଷ ଦୁର୍ବଳତାକୁ ଲୁଚାଇବାକୁ ସେହି ଦିନ ଜିଲ୍ଲା ପ୍ରଶାସନ ତରଫରୁ ଅଧିକାରୀ ଆସିନଥିବା ଅଭିଯୋଗ କରାଯାଇଥିଲା। ଏପରିକି ଶୁଣାଣିର ବାତିଲ ସଂପର୍କରେ ମଧ୍ୟ କୌଣସି ଲୋକ ପ୍ରତିନିଧିଙ୍କୁ ଅବଗତ କରିଲେ ନାହିଁ। ବିଡିଓ ନିଜେ ହିଁ କାର୍ଯ୍ୟ ନିର୍ବାହୀ ଅଧିକାରୀ ହୋଇଛନ୍ତି। କନିଷ୍ଠ ଯନ୍ତ୍ରୀଙ୍କୁ ନିଜେ କାମଗୁଡିକର ଆବଣ୍ଟନ କରି କାମ ଚଳାଉଛନ୍ତି। ଗ୍ରାମାଞ୍ଚଳର ବାସ୍ତବ ସମସ୍ୟା ଉପରେ କୌଣସି ଗୁରୁତ୍ବ ଦେଉନାହାନ୍ତି ବୋଲି ଅଭିଯୋଗ କରାଯଆଇଛି। ଲୋକ ପ୍ରତିନିଧିଙ୍କୁ ଅଣଦେଖା କରିବା ଅର୍ଥା ଜନସାଧାରଣଙ୍କୁ ଅପମାନ କରିବା ଭଳି କାମ କରୁଥିବା କୁହାଯାଇଛି।ତେଣୁ ଜନସାଧାରଣଙ୍କ ସାମୁହିକ ସ୍ବାର୍ଥକୁ ଦୃଷ୍ଟିରେ ରଖି ଆସନ୍ତା ୨୮ ତାରିଖରୁ ଧାରଣା ଦେବା ସହ ଶାନ୍ତିପୂର୍ଣ୍ଣ ପ୍ରତିବାଦ କରିବା ନେଇ ଲୋକ ପ୍ରତିନିଧିମାନେ ନିଷ୍ପତ୍ତି ନେଇଛନ୍ତି।ଯେତେ ଦିନ ପର୍ଯ୍ୟନ୍ତ ବିଡିଓଙ୍କୁ ବଦଳି କରାନଯାଏ, ସେତେଦିନ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି କୁହାଯାଇଛି।ତେବେ ଏନେଇ ଜିଲ୍ଲା ପ୍ରଶାସନ କି ପଦକ୍ଷେପ ଗ୍ରହଣ କରୁଛି ଦେଖିବାକୁ ବାକି ରହିଲା।

ସମ୍ବନ୍ଧିତ ଖବର