ଅଭିଶପ୍ତ ଜୀବନ: ପାଣି ପାଇଁ ୨ କିଲୋମିଟର ଦୂର ନଦୀକୁ ଯାଆନ୍ତି ଲୋକେ, ରୋଗୀ ପାଇଁ ଦୋଳା ଭରସା

ସୋରଡ଼ା: ଦେଶ ସ୍ବାଧୀନତାକୁ ପୂରିଲାଣି ୭୫ ବର୍ଷ। ହେଲେ ବିକାଶର ପରିଭାଷା ଏଠି ପୂରା ଅଲଗା । ବିକାଶ ଯେମିତି ଏଠାରେ ସାତସପନ। ନା’ ଅଛି ଭଲ ରାସ୍ତା, ନା’ ମିଳୁଛି ଉଚିତ ସ୍ବାସ୍ଥ୍ୟସେବା । ଖାଲି ସେତିକି ନୁହେଁ ପାନୀୟ ଜଳଯୋଗାଣ ଓ ଶିକ୍ଷା ବ୍ୟବସ୍ଥା କଥା ନକହିବା ଆହୁରି ଭଲ। ରାଜ୍ୟ ସରକାରଙ୍କ ମାଳ ମାଳ ଯୋଜନା ଅପହଞ୍ଚ ହୋଇଥିବାରୁ ବର୍ଷସାରା ଅଭିଶପ୍ତ ଜୀବନ କାଟିବାକୁ ପଡ଼େ। ଏମିତି ଦୁଇ ଗ୍ରାମ ହେଉଛି, ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ୍ ଗୋଚ୍ଛା ପଞ୍ଚାୟତର ଆଦିବାସୀଅଧ୍ୟୁଷିତ ଦୁର୍ଗମ ଇଲାକା ଦୁଲ୍ଲାବନ୍ଧ ଓ ପୁରୁଣାସରାବାଡ଼ି। ୨ ଗାଁକୁ ବିକାଶ ଆଜି ବି ଅପହଞ୍ଚ ହୋଇଥିବା ଜନପ୍ରତିନିଧିଙ୍କଠୁ ଆରମ୍ଭ କରି ପ୍ରାଶାସନିକ ଅଧିକାରୀ ଦିନଟିଏ ବି କାହାର ପାଦ ପଡ଼ିନି। କେବଳ ପଞ୍ଚାୟତ ନିର୍ବାଚନ ବେଳେ ନେତା ମୁଣ୍ତ ପୋତି ଭୋଟ ମାଗିବା ପରେ ସ୍ଥିତି ଯେମିତିକୁ ସେମିତି। ବିକାଶ କେବଳ ପ୍ରତିଶ୍ରୁତିରେ ସୀମିତ ରହିଛି। ବିକାଶମୂଳକ ଯୋଜନା ବିଷୟରେ ଆଜି ବି ଅଜ୍ଞ ହୋଇ ସେମିତି ପଡ଼ି ରହିଛନ୍ତି। ମୋଟାମୋଟି ଭାବେ କହିବାକୁ କଲେ ଏମାନେ ପରାଧୀନ ଭଳି ଜୀବନ ଅତିବାହିତ କରୁଛନ୍ତି।

ଦୁଲ୍ଲାବନ୍ଧ ଗ୍ରାମରେ ୩୦ଟି ଆଦିବାସୀ ପରିବାର ରହୁଛନ୍ତି। ହେଲେ ପରିତାପର ବିଷୟ ହେଉଛି, ଏହି ଗାଁକୁ ସବୁଦିନିଆ ପକ୍କାରାସ୍ତା ନାହିଁ। ଜମିହୁଡ଼ା ଉପରେ ସଂକୀର୍ଣ୍ଣ ରାସ୍ତା ହିଁ ଏକମାତ୍ରା ସାହାଭରସା। କିନ୍ତୁ ଅସରାଏ ବର୍ଷା ହେଲେ ରାସ୍ତାର ସ୍ଥିତି ସଂଗିନ୍। ଗାଁକୁ ଭଲ ରାସ୍ତା ନଥିବାରୁ ଗ୍ରାମବାସୀ ସ୍ବାସ୍ଥ୍ୟସେବାବୁ ବଞ୍ଚିତ ହୋଇଥାନ୍ତି। ଆମ୍ବୁଲାନ୍ସ୍ ତ ଦୂରର କଥା, ସାଧାରଣ ବାଇକ୍ କି ସାଇକେଲ୍ ବି ଗାଁ ଭିତରକୁ ଆସିପାରୁନି। ସେହିପରି ପିଇବା ପାଣି କଥା ନକହିବା ଭଲ। ଗାଁରେ ୨ଟି ନଳକୂପ ରହିଥିବା ବେଳେ ଗୋଟିଏ ସଂପୂର୍ଣ୍ଣ ଭାବେ ଅଚଳ ହୋଇ ପଡ଼ିରହିଛି। ଆଉ ଗୋଟିଏ ନଳକୂପରୁ କଳଙ୍କି ମିଶା ପାଣି ବାହାରୁଛି। ଫଳରେ ଲୋକେ ବାଧ୍ୟ ହୋଇ ଗାଁଠାରୁ ଦୁଇ କି‌ଲୋମିଟର ଦୂରରେ ଥିବା ନଦୀର ଅପରିଷ୍କାର ପାଣିକୁ ବ୍ୟବହାର କରି ‌ବିଭିନ୍ନ ରୋଗରେ ପୀଡ଼ିତ ହେଉଛନ୍ତି।

ସେହିପରି ଆଉ ଏକ ଗ୍ରାମ ହେଉଛି ପୁରୁଣାସରାବାଡ଼ି। ଏଠାରେ ବି ସମାନ ଅବସ୍ଥା। ଗାଁକୁ ଭଲ ରାସ୍ତା ନଥିବାରୁ କାହାର ଦେହ ଖରାପ ହେଲେ ଦୋଳା କିମ୍ବା ଖଟିଆରେ ବୋହି ଦୀର୍ଘ ୩ କିଲୋମିଟର ଦୂର ସାନଗୋଚ୍ଛା ପର୍ଯ୍ୟନ୍ତ ଆଣିବାକୁ ପଡ଼େ। ଏଭଳି ପରିସ୍ଥିତିରେ ଗର୍ଭବତୀ ଓ ଅନ୍ୟାନ୍ୟ ଗୁରୁତର ରୋଗୀଙ୍କ ଅବସ୍ଥା ସଂକଟାପନ୍ନ ହୋଇଥାଏ। ବର୍ଷା ହେଲେ ସ୍ଥିତି ଆହୁରି ଶୋଚନୀୟ ହୋଇପଡ଼େ। ପଞ୍ଚାୟତକୁ ଯାଇ ହିତାଧିକାରୀ ଚାଉଳ ବି ଆଣିପାରୁ ନଥିବା ବେଳେ ପିଲା ମାନେ ସ୍କୁଲ ଓ କଲେଜ ଯାଇପାରନ୍ତି ନାହିଁ। ବିଭିନ୍ନ ଆନୁଷଙ୍ଗିକ ସମସ୍ୟାର ସମାଧାନ ଲାଗି ଜନସାଧାରଣ ସରପଞ୍ଚଙ୍କଠୁ ଆରମ୍ଭ କରି ବିଡିଓଙ୍କ ପର୍ଯ୍ୟନ୍ତ ସଭିଙ୍କୁ ଅବଗତ କଲେ କୌଣସି ସୁଫଳ ମିଳୁ ନଥିବା ଅଭିଯୋଗ ହୋଇଛି। ଆଉ ଆମକୁ କେବଳ ଭଗବାନ ହିଁ ଭରସା ବୋଲି ଦୁଇ ଗ୍ରାମର ଲୋକେ କହିଛନ୍ତି।

ସମ୍ବନ୍ଧିତ ଖବର