ମାହାଙ୍ଗା, (ଦୀପକ ସାହୁ): ସେମାନଙ୍କୁ କୁହାଯାଉଥିଲା ‘ଜନତା ଡାକ୍ତର’। ଯେଉଁସମୟରେ ହଇଜା, କ୍ୟାନ୍ସର୍, ଏଡ୍ସ ଭଳି ରୋଗୀଙ୍କୁ ଅଛୁଆଁ ଭାବେ ବିଚାର କରାଯାଉଥିଲା, ସେହିସମୟରେ ସେମାନଙ୍କ ନିକଟରେ ସେବା ପହଞ୍ଚାଇବା ଏବଂ ଏ ଦିଗରେ ସଚେତନତା ସୃଷ୍ଟି ପାଇଁ ସେମାନଙ୍କୁ ନିଯୁକ୍ତି ଦିଆଯାଇଥିଲା। ଦେଶରେ ଜରୁରୀକାଳୀନ ପରିସ୍ଥିତି ପରେ ହୋଇଥିବା ସାଧାରଣ ନିର୍ବାଚନରେ ଉଭୟ କେନ୍ଦ୍ର ଓ ରାଜ୍ୟରେ ସରକାର ପରିବର୍ତ୍ତନ ହୋଇଥିଲା। ଜନତା ଦଳ ସରକାର ଗଠନ କରିବା ପରେ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଏହି ସ୍ବତନ୍ତ୍ର ଅଭିଯାନ ଆରମ୍ଭ କରାଯାଇଥିଲା। ହେଲେ, ଏଭଳି ଲକ୍ଷାଧିକ ‘ଜନତା ଡାକ୍ତର’ଙ୍କ ମଧ୍ୟରୁ ଅନେକେ ଏବେ ମରିହଜି ଗଲେଣି। ଯେଉଁମାନେ ବଞ୍ଚିଛନ୍ତି, ସେମାନେ ଏବେ ଦୁର୍ଦ୍ଦିନରେ ଦିନ କାଟୁଛନ୍ତି।
ତତ୍କାଳୀନ ସରକାରଙ୍କ ପକ୍ଷରୁ ୧୯୭୭ ମସିହାରେ ‘ଜନତା ଡାକ୍ତର’ ନିଯୁକ୍ତି ଦିଆଯାଇଥିଲା। ସେହି ସମୟରେ ସେମାନଙ୍କର ମାସିକ ପାରିଶ୍ରମିକ ୫୦ ଟଙ୍କା ଧାର୍ଯ୍ୟ କରାଯାଇଥିଲା । ଜଣେ ଜଣେ ଜନତା ଡାକ୍ତରଙ୍କ ଅଧୀନରେ ଜନସଂଖ୍ୟା ଅନୁଯାୟୀ ୪/୫ଟି ଗ୍ରାମକୁ ରଖାଯାଇଥିଲା। ସେମାନେ ୨୦ ବର୍ଷ କାର୍ଯ୍ୟ କରିବେ ବୋଲି ଚୁକ୍ତି କରାଯାଇଥିଲା। ଏହି ଚୁକ୍ତିରେ ସର୍ତ୍ତ ଥିଲା ଯେ ଏହି ନିଯୁକ୍ତି ସଂପୂର୍ଣ୍ଣ ସେବାମୂଳକ। ଭବିଷ୍ୟତରେ ଏମାନେ କେବେ ବି ନିଜର ସେବା ପାଇଁ କୌଣସି ସୁବିଧା ଦାବି କରିପାରିବେ ନାହିଁ। ସରକାର ଅଧିକ ସୁବିଧା ତ ଦେଲେନି, ଅନ୍ୟପଟେ ଚୁକ୍ତି ଅନୁଯାୟୀ ୨୦ ବର୍ଷ ନ ରଖି ୫ ବର୍ଷରେ ଛଟେଇ କରିଦେଲେ। ଫଳରେ, ଏହି ଜନତା ଡାକ୍ତରଙ୍କ ମଧ୍ୟରୁ କିଏ ବାଧ୍ୟ ହୋଇ ମଜୁରୀ ଲାଗିଲା ତ କିଏ ଟ୍ୟୁସନ୍ ଆଉ ଚାଷ କଲା। ସରକାରଙ୍କ ଏହି ପଦକ୍ଷେପ ସ୍ବାସ୍ଥ୍ୟକ୍ଷେତ୍ରରେ ଏକ ପରିବର୍ତ୍ତନ ଆଣିଥିଲା। ସେମାନଙ୍କ ଉପରେ ନ୍ୟସ୍ତ ଦାୟିତ୍ବକୁ ଭିତ୍ତିକରି ‘ଜନତା ଡାକ୍ତର’ମାନେ ୩୦୦୦ ଟଙ୍କା ଦିଆଯାଉ ବୋଲି ଦାବି କରୁଥିଲେ। ମାତ୍ର, ସରକାର ତାହାକୁ ଗୁରୁତ୍ବ ଦେଲେନି। ସେପଟେ ୩ ବର୍ଷରେ ସରକାର ପରିବର୍ତ୍ତନ ହେବାସହ ପୁରୁଣା ସରକାରର ନିଷ୍ପତ୍ତିକୁ କାଏମ ରଖିବାକୁ ନୂଆ ସରକାର ଆଗ୍ରହ ପ୍ରକାଶ କଲେନି। ଫଳରେ, ଏ ପ୍ରକ୍ରିୟାରେ ଦେଶର ଲକ୍ଷାଧିକ ‘ଜନତା ଡାକ୍ତର’ ବଳି ପଡ଼ିଗଲେ। ସେମାନଙ୍କୁ ୫ ବର୍ଷ ପରେ ସେବାରହିତ କରି ଦିଆଯାଇଥିଲା। ବିଭିନ୍ନ ସମୟରେ ସେମାନେ ନିଜର ଦାବି ପାଇଁ ଆନ୍ଦୋଳନକୁ ଓହ୍ଲାଇ ଥିଲେ ବି ସରକାର ଆଉ ସେମାନଙ୍କ କଥା ଶୁଣିଲେ ନାହିଁ। ବୟସର ସାୟାହ୍ନରେ ପହଞ୍ଚିଥିବା ଏଭଳି ଅନେକ ଜନତା ଡାକ୍ତର ଏବେ ଦୁର୍ଦ୍ଦିନରେ ଦିନ କାଟୁଛନ୍ତି।
ଜନତା ଡାକ୍ତର ଭାବେ ନିଯୁକ୍ତି ପାଇଥିବା ୬୬ ବର୍ଷୀୟ ରବୀନ୍ଦ୍ର ବଳବନ୍ତରାୟ କହିବା ଅନୁଯାୟୀ, ସେ ସମୟରେ ରୋଗୀମାନଙ୍କୁ ସେବା କରିବାପାଇଁ ବହୁ କଷ୍ଟ ଭୋଗିବାକୁ ପଡ଼ୁଥିଲା। ସେତେବେଳେ ଲୋକେ ଡାକ୍ତରଙ୍କୁ ବିଶ୍ବାସ କରୁ ନଥିଲେ। ରୋଗ ଭଲ କରିବା ପାଇଁ ଝଡ଼ାଫୁଙ୍କା କରିବା ସହ ଚେରମୂଳିକୁ ଔଷଧ ଭାବେ ବ୍ୟବହାର କରୁଥିଲେ। ଏଭଳି ଅନ୍ଧବିଶ୍ବାସକୁ ଦୂର କରି ଔଷଧ ବ୍ୟବହାର କରିବା ପାଇଁ ଲୋକଙ୍କୁ ବୁଝାଇବା କାଠିକର ପାଠ ହେଉଥିଲା। ମାସକୁ ୪ଥର ମାହାଙ୍ଗା ଡାକ୍ତରଖାନାକୁ ଯାଇ ଔଷଧ ଆଣି ଗାଁକୁ ଗାଁ ବୁଲି ଲୋକଙ୍କୁ ଦେବାକୁ ପଡୁଥିଲା। କିନ୍ତୁ, ହଠାତ୍ ଏହି ଚାକିରିରୁ ଛଟେଇ ହେବା ପରେ କ’ଣ କରିବୁ ଚିନ୍ତାରେ ପଡିଥିଲୁ। ଚାଷ କରି ବହୁ କଷ୍ଟରେ ପରିବାର ପ୍ରତିପୋଷଣ କରିଥିଲି। କିନ୍ତୁ ଆଶା ଥିଲା, ସରକାର କିଛି କରିବେ ବୋଲି। କିନ୍ତୁ ୪୦ ବର୍ଷ ଭିତରେ କେହି ବି ଆମକୁ ଗୁରୁତ୍ବ ଦେଲେନି ବୋଲି କୁହନ୍ତି ମାହାଙ୍ଗା ମୂଳବସନ୍ତ ଗ୍ରାମର ରବୀନ୍ଦ୍ର।