କେନ୍ଦୁଝର ଜିଲ୍ଲାରେ ମାଣ୍ଡିଆ ଚାଷ ପ୍ରତି ଲୋକଙ୍କ ଆଗ୍ରହ ବଢ଼ୁଛି

କେନ୍ଦୁଝର : କେନ୍ଦୁଝର ଜିଲ୍ଲାରେ ଦିନକୁ ଦିନ ମାଣ୍ଡିଆ ଚାଷ ପ୍ରତି ଲୋକଙ୍କ ଆଗ୍ରହ ବଢ଼ୁଛି। ପ୍ରଥମେ ମାଣ୍ଡିଆ ଚାଷ ପାଇଁ କୁନ୍ଥକୁନ୍ଥ ହେଉଥିବା ଚାଷୀ ଏବେ ଏହି ଚାଷପାଇଁ ଆଗ୍ରହ ଦେଖାଇଲେଣି। ଏମିତିକି ଗତ ତିନିବର୍ଷ ମଧ୍ୟରେ ଜିଲ୍ଲାରେ ମାଣ୍ଡିଆ ଅମଳ ୪୬ କୁଇଣ୍ଟାଲରୁ ଆରମ୍ଭ ହୋଇ ବର୍ତ୍ତମାନ ୨୩ଶହ କୁଇଣ୍ଟାଲରେ ପହଞ୍ଚିଲାଣି। ଜିଲ୍ଲାର ୭ଟି ବ୍ଲକ୍‌ରେ ମାଣ୍ଡିଆ ଚାଷ ଅଧିକ ପରିମାଣରେ ହେଉଥିବା ବେଳେ ଆଗାମୀ ଦିନରେ ଜିଲ୍ଲାର ସମସ୍ତ ବ୍ଲକ୍‌ରେ ଏହି ଚାଷକୁ ବ୍ୟାପକ କରିବା ପାଇଁ ସମ୍ଭାବନା ସୃଷ୍ଟି ହୋଇଛି।

ସୂଚନା ଅନୁସାରେ, ପ୍ରଥମ ବର୍ଷ କେନ୍ଦୁଝର ଜିଲ୍ଲାରେ ଚାଷୀମାନେ ମୋଟ ୪୬ କୁଇଣ୍ଟାଲ ମାଣ୍ଡିଆ ବିକ୍ରି କରିଥିଲେ। କିନ୍ତୁ ଗତବର୍ଷ ଖରିଫ ଋତୁରେ ଜିଲ୍ଲାର ଝୁମ୍ପୁରା, ପଳାଶପଙ୍ଗା, ନୟାକୋଟ, ଶୁଆକାଟି, ହରିଚନ୍ଦନପୁର, ଚମ୍ପୁଆ, ଭଣ୍ଡା, ସସୋ, ବାଙ୍ଗୋର ଓ ଷଢ଼ା ମଣ୍ଡିରେ ଚାଷୀଙ୍କଠାରୁ ମାଣ୍ଡିଆ କିଣାଯାଇଥିଲା। ଜିଲ୍ଲାର ୨୩୦୭ଜଣ ଚାଷୀ ମାଣ୍ଡିଆ ବିକ୍ରି କରିବାକୁ ନାମ ପଞ୍ଜୀକରଣ କରିଥିଲେ। ୫୨୬ଜଣ ଚାଷୀ ଡିସେମ୍ବରରୁ ମାର୍ଚ୍ଚ ମାସ ମଧ୍ୟରେ ମଣ୍ଡିରେ ମୋଟ ୧୧୨୯ କୁଇଣ୍ଟାଲ ୯୪ କେଜି ମାଣ୍ଡିଆ ବିକ୍ରି କରିଥିଲେ। ଆଦିବାସୀ ଉନ୍ନୟନ ସମବାୟ ନିଗମ ଲିମିଟେଡ ମାଣ୍ଡିଆ କିଣିଥିବା ବେଳେ ଚାଷୀଙ୍କୁ ୩୭ ଲକ୍ଷ ୨୩ ହଜାର ୨୦୦ ଟଙ୍କା ପ୍ରଦାନ କରାଯାଇଥିଲା।

ଏବର୍ଷ ଜିଲ୍ଲାରେ ମାଣ୍ଡିଆ ଅମଳ ଦୁଇଗୁଣା ବଢ଼ିଛି। ଜିଲ୍ଲାରେ ୨୩୯୨ କୁଇଣ୍ଟାଲ ମାଣ୍ଡିଆ କିଣା ହୋଇଛି। ନୟାକୋଟ ଲ୍ୟାମ୍ପସ୍‌ ଦ୍ବାରା ୨୨. ୮୦ କୁଇଣ୍ଟାଲ ମାଣ୍ଡିଆ କିଣା ହୋଇଥିବା ବେଳେ, ଶୁଆକାଟି ଲ୍ୟାମ୍ପସ୍‌ ଦ୍ବାରା ୮୭.୨୨ କୁଇଣ୍ଟାଲ, ଚମ୍ପୁଆ ଲ୍ୟାମ୍ପସ୍‌ ଦ୍ବାରା ୧୨୧. ୮୨ କୁଇଣ୍ଟାଲ, ଭଣ୍ଡା ଲ୍ୟାମ୍ପସ୍‌ ଦ୍ବାରା ୧୫୨.୨୫ କୁଇଣ୍ଟାଲ, ହରିଚନ୍ଦନପୁର ଲ୍ୟାମ୍ପସ୍‌ ଦ୍ବାରା ୧୭୮.୫୦ କୁଇଣ୍ଟାଲ, ସୋସୋ ସୋସାଇଟି ଦ୍ବାରା ୧୧୧.୫୦ କୁଇଣ୍ଟାଲ, ବାଙ୍ଗୋର ସୋସାଇଟି ଦ୍ବାରା ୫୯.୫୦ କୁଇଣ୍ଟାଲ ମାଣ୍ଡିଆ କିଣାଯାଇଛି। ସେହିପରି ଷଢ଼ା ସୋସାଇଟି ଦ୍ବାରା ୧୫୨.୫୦ କୁଇଣ୍ଟାଲ, ନରଣପୁର ଲ୍ୟାମ୍ପସ୍‌ ଦ୍ବାରା ୪୫.୫୬ କୁଇଣ୍ଟାଲ, ପଳାଶପଙ୍ଗା ଲ୍ୟାମ୍ପ୍‌ସ ଦ୍ବାରା ୧୯୯.୪୪ କୁଇଣ୍ଟାଲ, ନାରଦପୁର ଫାର୍‌ମର୍ସ ପ୍ରଡ୍ୟୁସର ଗ୍ରୁପ୍‌ ଦ୍ବାରା ୨୫୬ କୁଇଣ୍ଟାଲ ଏବଂ ଦଶେରୀ ଫାର୍‌ମର୍ସ ପ୍ରଡ୍ୟୁସର ଗ୍ରୁପ୍‌ ଦ୍ବାରା ୧୦୦୬ କୁଇଣ୍ଟାଲ ମାଣ୍ଡିଆ କିଣାଯାଇଛି। ମୋଟାମୋଟି ଭାବେ ଏବର୍ଷ ଖରିଫ ଋତ‌ୁରେ ୨୩୯୨.୫୯ କୁଇଣ୍ଟାଲ ମାଣ୍ଡିଆ କିଣାଯାଇଥିବା ବେଳେ ଏଥିପାଇଁ ଚାଷୀଙ୍କୁ ମୋଟ ୮୦ ଲକ୍ଷ ୭୯ ହଜାର ୭୭୬ ଟଙ୍କା ପ୍ରଦାନ କରାଯାଇଛି।

ଜିଲ୍ଲାରେ ମାଣ୍ଡି ଚାଷ ହେବା ପରେ ବିଭିନ୍ନ ସ୍ଥାନରେ ମିଲେଟ୍‌ ଶକ୍ତି କାଫେ ଖୋଲାଯାଇଛି। ଏହାଦ୍ବାରା ମାଣ୍ଡିଆ ଚାଷ ପ୍ରତି ଚାଷୀଙ୍କ ଆଗ୍ରହ ବଢ଼ୁଛି। କେନ୍ଦୁଝର ସଦର ମହକୁମାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଖୋଲା ଯାଇଥିବା ମିଲେଟ୍‌ ଶକ୍ତି କାଫେରେ ମାଣ୍ଡିଆ ବରାଠାରୁ ଆରମ୍ଭ କରି ମାଣ୍ଡିଆ ସରବତ୍ ପର୍ଯ୍ୟନ୍ତ ବିଭିନ୍ନ ଖାଦ୍ୟପଦାର୍ଥ ମିଳୁଛି। ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକୁ ମାଣ୍ଡିଆ ଲଡ଼ୁ ପ୍ରଦାନ କରାଯାଉଛି। ମାଣ୍ଡିଆର ବହୁ ବ୍ୟବହାର ଯୋଗୁଁ ଜିଲ୍ଲାରେ ପୂର୍ବାପେକ୍ଷା ମାଣ୍ଡିଆ ଉତ୍ପାଦନ ମଧ୍ୟ ବୃଦ୍ଧି ପାଇଛି।

ସମ୍ବନ୍ଧିତ ଖବର