ଆୟୁଷ୍ମାନ ଯୋଜନାରେ ସାମିଲ ହେବ କି ଓଡ଼ିଶା ? ଜନତାଙ୍କ ସ୍ୱାର୍ଥ ଓ ସ୍ୱାସ୍ଥ୍ୟକୁ ପ୍ରାଧାନ୍ୟ ଦେଉଛୁ ବୋଲି କହିଲେ ବିଜେଡି ନେତା ସଞ୍ଜୟ ଦାସ ବର୍ମା

ଭୁବନେଶ୍ବର: ଆୟୁଷ୍ମାନରେ ଯୋଜନାରେ ସାମିଲ ହେବ କି ଓଡ଼ିଶା ? କାଳିଆ ଓ ପିଏମ କିଷାନ ଯୋଜନାର ମିଶ୍ରଣ ପରେ ଆୟୁଷ୍ମାନ ଯୋଜନା ରାଜ୍ୟରେ ଲାଗୁ ହେବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଆୟୁଷ୍ମାନ୍ ଯୋଜନା ଓ ବିଜୁ ସ୍ୱାସ୍ଥ୍ୟ ଯୋଜନାର ମିଶ୍ରଣ ନେଇ ଗତକାଲି ବିଜେଡ଼ି ସାଂସଦ ଅମର ପଟ୍ଟନାୟକ ସକରାତ୍ମକ ବୟାନ ଦେଇଥିବା ବେଳେ ଆଜି ଏ ପ୍ରସଙ୍ଗରେ ବିଜେଡି ସାଧାରଣ ସମ୍ପାଦକ ସଂଜୟ ଦାସବର୍ମା ପ୍ରତିକ୍ରିୟା ରଖିଛନ୍ତି।

ସଂଜୟ ଦାସ ବର୍ମା କହିଛନ୍ତି, ଜନସାଧାରଣଙ୍କ ସ୍ୱାର୍ଥକୁ ସରକାର ସର୍ବାଧିକ ଗୁରୁତ୍ବ ଦେଉଛନ୍ତି  । ଆୟୁଷ୍ମାନ ଯୋଜନା ଓଡ଼ିଶାରେ ଲାଗୁ ହେବ କି ନାହିଁ, ସରକାର ସେ ନିଷ୍ପତ୍ତି ନେବେ ।  ଜନତାଙ୍କ ପାଇଁ କିଛି କାର୍ଯ୍ୟ ରାଜ୍ୟ ସରକାର ନିର୍ବାହ କରନ୍ତି ଓ  ଆଉ କିଛି କାର୍ଯ୍ୟ କେନ୍ଦ୍ର ସରକାର କରନ୍ତି । ଏଥି ସହ ରାଜନୀତିରୁ ଊର୍ଦ୍ଧ୍ୱକୁ ଯାଇ  କିଛି କାମ ଉଭୟ କେନ୍ଦ୍ର ଓ ରାଜ୍ୟ ମିଳିିତ ଭାବେ ନିର୍ବାହ କରନ୍ତି । ଜନସାଧାରଣଙ୍କ ସ୍ୱାର୍ଥ ପାଇଁ ରାଜ୍ୟ ସରକାର ହୁଅନ୍ତୁ କିମ୍ବା କେନ୍ଦ୍ର ସରକାର, ସମସ୍ତେ ଅଙ୍ଗୀକାରବଦ୍ଧ । ଜନତାଙ୍କ ସ୍ୱାର୍ଥ ଓ ସ୍ୱାସ୍ଥ୍ୟ ଆମର ପ୍ରାଧାନ୍ୟ ବୋଲି ସେ ଗଣମାଧ୍ୟମକୁ କହିଛନ୍ତି।

ସେପଟେ ଗତକାଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ଆୟୁଷ୍ମାନ ଯୋଜନା ଓଡ଼ିଶାରେ ଲାଗୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ । ଏହି ଯୋଜନାରେ ରାଜ୍ୟବାସୀ ଉପକୃତ ହେବେ ବୋଲି କହିଥିଲେ ହର୍ଷବର୍ଦ୍ଧନ । କେବଳ ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ନୁହଁନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଆୟୁଷ୍ମାନ୍ ଯୋଜନାରେ ଓଡ଼ିଶା ଖୁବ ଶୀଘ୍ର ସାମିଲ ହେଉ ଓ ଓଡ଼ିଶା ବାହାରେ ରହୁଥିବା ଲୋକେ ଉପକୃତ ହୁଅନ୍ତୁ ବୋଲି କହିଥିଲେ ।

ସମ୍ବନ୍ଧିତ ଖବର