ପୂର୍ବତନ ସରପଞ୍ଚଙ୍କୁ ବିଧାୟକଙ୍କ ଦୁର୍ବ୍ୟବହାର ପ୍ରତିବାଦ : ଥାନାରେ ଭଙ୍ଗାରୁଜା, ରାଜପଥ ଅବରୋଧ

ଢେଲା ମାଡ଼ରେ ଏଏସ୍‌ଆଇ ଆହତ, ଏସ୍‌ଡିପିଓଙ୍କ ଗାଡ଼ି ଭଙ୍ଗାରୁଜା

ଖୋର୍ଦ୍ଧା/ବେଗୁନିଆ : ବେଗୁନିଆ-ବୋଲଗଡ଼ ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଉପରେ ଥିବା ଜନ ଆକ୍ରୋଶର ଶିକାର ହୋଇଛି ବେଗୁନିଆ ଥାନା। ସରପଞ୍ଚଙ୍କୁ ଦୁର୍ବ୍ୟବହାର ପ୍ରତିବାଦରେ ଥାନା ଆଗରେ ଧାରଣା ଦେବାକୁ ଆସିଥିବା ଶତାଧିକ ଲୋକେ ଥାନା ଭିତରେ ଧସେଇ ପଶିବା ସହ ଭଙ୍ଗାରୁଜା କରିଛନ୍ତି। ଲୋକଙ୍କ ଢେଲା ମାଡ଼ରେ ଜଣେ ଏଏସ୍‌ଆଇ ଆହତ ହୋଇଥିବା ବେଳେ ଏସ୍‌ଡିପିଓଙ୍କ ଗାଡ଼ି ଭଙ୍ଗାରୁଜା କରିଛନ୍ତି। ଘଟଣାସ୍ଥଳରେ ତିନି ପ୍ଲାଟୁନ୍‌ ପୁଲିସ୍‌ ଫୋର୍ସ ମୁତୟନ କରାଯାଇଛି। ଏହି ଘଟଣାରେ ପୁଲିସ ୧୧ ଜଣଙ୍କୁ ଅଟକ ରଖିଛି।

ଗତ ଡିସେମ୍ବର ୩ ତାରିଖରେ କଲ୍ୟାଣ ମଣ୍ତପ ପ୍ରାଚୀର ନିର୍ମାଣ ବିଲ୍‌କୁ ନେଇ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ବ୍ଲକ୍‌ସ୍ତରୀୟ ଏକ ବୈଠକରେ ପୂର୍ବତନ ସରପଞ୍ଚ ତଥା ବର୍ତମାନର ସରପଞ୍ଚଙ୍କ ସ୍ବାମୀ ନବକିଶୋର ସ୍ବାଇଁଙ୍କୁ ଧମକ ଦେଇଥିଲେ। ଏ ନେଇ ସରପଞ୍ଚଙ୍କ ପକ୍ଷରୁ ଥାନାରେ ଏତଲା ଦିଆଯାଇଥିଲା। ଚଳିତ ମାସ ୪ ତାରିଖରେ ନବ ସ୍ବାଇଁଙ୍କ ନେତୃତ୍ବରେ ସ୍ଥାନୀୟ କେତେକ ପଞ୍ଚାୟତ ପ୍ରତିନିଧି ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଥିଲେ। ଥାନା ଅଧିକାରୀ ମଧ୍ୟ କାର୍ଯ୍ୟାନୁଷ୍ଠାନ ପ୍ରତିଶ୍ରୁତି ଦେଇଥିଲେ। ତେବେ ୩ ସପ୍ତାହ ବିତିଯାଇଥିଲେ ମଧ୍ୟ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବାରୁ ଆଜି ଥାନା ଆଗରେ ଧାରଣା ଦିଆଯିବାର କାର୍ଯ୍ୟକ୍ରମ ଥିଲା। ଏ ନେଇ ପୁଲିସ୍‌କୁ ପୂର୍ବରୁ ସୂଚନା ମଧ୍ୟ ଦିଆଯାଇଥିଲା। ଆଜି ପୂର୍ବାହ୍ନ ୧୧ଟାରେ ବେଗୁନିଆ ଥାନା ନିକଟବର୍ତୀ ପୁରୁଣା ଗୋରୁହାଟ ପଡିଆଠାରେ ବେଗୁନିଆ-ବୋଲଗଡ଼ ନିର୍ବାଚନମଣ୍ତଳୀର ବିଭିନ୍ନ ସ୍ଥାନରୁ ଲୋ‌େକ ଜମା ହୋଇଥିଲେ। ଦିନ ପ୍ରାୟ ୨ଟା ବେଳେ ସେମାନେ ବେଗୁନିଆ ଥାନା ଆଗରେ ପହଞ୍ଚି ପୁଲିସ୍‌ ଓ ବିଧାୟକ ବିରୋଧୀ ସ୍ଲୋଗାନ୍‌ ଦେଇ ରାସ୍ତା ଉପରେ ବସି ଯାଇଥିଲେ। ଫଳରେ ଖୋର୍ଦ୍ଧା-ବଲାଙ୍ଗୀର ଜାତୀୟ ରାଜପଥର ଗାଡ଼ିମୋଟର ଚଳାଚଳ ବନ୍ଦ ହୋଇ ଯାଇଥିଲା।

ପରେ ଦୁଇରୁ ତିନି ଶହ ଲୋକ ଥାନା ଫାଟକ ଠେଲି ଭିତରକୁ ପଶିବାକୁ ଚେଷ୍ଟା କରିଥିଲେ। ଏହି ସମୟରେ ଏଏସ୍‌ଆଇ ସୁରେନ୍ଦ୍ର ସେଠୀ ଆନ୍ଦୋଳକାରୀଙ୍କୁ ବୁଝାଇବାକୁ ଚେଷ୍ଟା କରୁଥିବା ବେଳେ ଢେଲା ମାଡ଼ରେ ଆହତ ହୋଇଥିଲେ। ଖୋର୍ଦ୍ଧା ଏସ୍‌ଡିପିଓ ଯୁଗଳ କିଶୋର ଦାସଙ୍କ ନେତୃତ୍ବରେ ପୂର୍ବରୁ ମୁତୟନ ଥିବା ୧ ପ୍ଲାଟୁନ୍‌ ପୁଲିସ୍‌ ମଧ୍ୟ ଲୋକଙ୍କୁ ଅଟକାଇବାରେ ବିଫଳ ହୋଇଥିଲେ। ଆନ୍ଦୋଳନକାରୀମାନେ ଥାନା କାର୍ଯ୍ୟାଳୟ ଭିତରେ ପଶି ଭଙ୍ଗାରୁଜା କରିବା ସହ କାଗଜପତ୍ର ଚିରି ଦେଇଥିଲେ। ଏହି ସମୟରେ ଆହତ ଏଏସ୍‌ଆଇଙ୍କୁ ନେଇ ଏସ୍‌ଡିପିଓ ଯୁଗଳ କିଶୋର ଦାସ ହସ୍‌ପିଟାଲ୍‌କୁ ଯିବା ସମୟରେ ଆନ୍ଦୋଳନକାରୀମାନେ ତାଙ୍କ ଗାଡି ଭଙ୍ଗାରୁଜା କରିଥିଲେ। ସୂଚନା ପାଇଁ ଖୋର୍ଦ୍ଧା ଏସ୍‌ପି ଦିପ୍ତୀ ର˚ଜନ ରାୟ, ଜଙ୍କିଆ, ଖୋର୍ଦ୍ଧା ଟାଉନ୍‌ ଥାନା ଅଧିକାରୀଙ୍କ ସମେତ ୨ ପ୍ଲାଟୁନ୍‌ ପୁଲିସ୍‌ ଫୋର୍ସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରିଥିଲେ। ମିଳିଥିବା ସୂଚନା ମୁତାବକ, ଆହତ ଏଏସ୍‌ଆଇ ସୁରେନ୍ଦ୍ର ସେଠୀଙ୍କ ଏତଲା ଭିତ୍ତିରେ ପୁଲିସ୍‌ ଏକ ମାମଲା ରୁଜୁ କରି ରାତି ସାଢେ଼ ୯ଟା ସୁଦ୍ଧା ୧୧ ଜଣଙ୍କୁ ଖୋର୍ଦ୍ଧା ଟାଉନ୍‌ ଥାନାରେ ଅଟକ ରଖିଛି।

ସମ୍ବନ୍ଧିତ ଖବର