ବିଧାୟକଙ୍କ ପୁଅ ମାଡ଼ରେ ପିଇଓ ଅଚେତ ଅଭିଯୋଗ

ମୁଖ୍ୟ ଅଭିଯୁକ୍ତ ଫେରାର୍‌, ପିଇଓଙ୍କ କଲମ ଛାଡ଼ ଆନ୍ଦୋଳନ

କାର୍ଯ୍ୟାନୁଷ୍ଠାନ ଦାବିରେ ଡିଜିଙ୍କୁ ଭେଟିଲା ବିଜେପି
କଂଗ୍ରେସର ବିରୋଧ, ଜିଲ୍ଲପାଳଙ୍କ ହସ୍ତକ୍ଷେପ ଦାବି

ଆନନ୍ଦପୁର : କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ୍‌ କାର୍ଯ୍ୟାଳୟରେ ଜଣେ ପିଇଓଙ୍କୁ ମାଡ଼ ଘଟଣାକୁ ନେଇ ଆଜି ଦିନତମାମ ଉତ୍ତେଜନା ଲାଗିରହିଛି। ସ୍ଥାନୀୟ ବିଧାୟକ ବଦ୍ରିନାରାୟଣ ପାତ୍ରଙ୍କ ପୁଅ ବି ପିଇଓଙ୍କୁ ମାଡ଼ମାରି ଅଚେତ କରିଥିବା ନେଇ ଅଭିଯୋଗ ହୋଇଛି। ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଖାଳିଆମେଣ୍ଟା ସରପଞ୍ଚ ପ୍ରୀତିନନ୍ଦା ଭୂୟାଁଙ୍କ ସ୍ବାମୀ ସୁରେନ୍ଦ୍ର ଭୂୟାଁ ଫେରାର ହୋଇଯାଇଛନ୍ତି। ପୁଲିସ ଅଭିଯୁକ୍ତ ସୁରେନ୍ଦ୍ରଙ୍କ ଦୁଇଟି ଦାମୀ କାର୍‌ ଜବତ କରିଛି।

ଆକ୍ରମଣର ଶିକାର ହୋଇଥିବା ପିଇଓ ହେଉଛନ୍ତି ରାମଚନ୍ଦ୍ର ନାୟକ। ସେ ଖାଳିଆମେଣ୍ଟା ପଞ୍ଚାୟତ ଦାୟିତ୍ବରେ ଅଛନ୍ତି। ତାଙ୍କ ଅଭିଯୋଗ ଅନୁସାରେ, ପକ୍କାଘରେ ରହୁଥିବା ଜଣେ ବ୍ୟକ୍ତିଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରିବାକୁ ସୁରେନ୍ଦ୍ର ପିଇଓ ରାମଚନ୍ଦ୍ରଙ୍କ ଉପରେ ଚାପ ପକାଉଥିଲେ। ଏଥିରେ ଅରାଜି ହେବାରୁ ଗତକାଲି ସନ୍ଧ୍ୟାରେ ବ୍ଲକ୍‌ କାର୍ଯ୍ୟାଳୟରେ ପଶି ରାମଚନ୍ଦ୍ରଙ୍କୁ ମାଡ଼ ମାରିଥିଲେ ସୁରେନ୍ଦ୍ର। ଏହି ଘଟଣା ପରେ ଘସିପୁରା ବିଧାୟକ ବଦ୍ରିନାରାୟଣ ପାତ୍ରଙ୍କ ପୁଅ ଦେବାଶିଷ ତୁରନ୍ତ ବ୍ଲକ୍‌ କାର୍ଯ୍ୟାଳୟରେ ପହଞ୍ଚି ରାମଚନ୍ଦ୍ରଙ୍କୁ ଘସିପୁରା ପୂର୍ତ୍ତ ବିଭାଗ ଡାକବଙ୍ଗଳାକୁ ଉଠାଇ ନେଇଥିଲେ। କିଛି ସମୟ ପରେ ସେଠାରେ ସୁରେନ୍ଦ୍ର ମଧ୍ୟ ପହଞ୍ଚିଥିଲେ। ରାମଚନ୍ଦ୍ରଙ୍କୁ ମାମଲାର ରଫାଦଫା କରିବାକୁ ଧମକ ଦେବା ସହ ୫୦ ହଜାର ଟଙ୍କା ଲାଞ୍ଚ ଯାଚିଥିଲେ। ସେ ଟଙ୍କା ନେବାକୁ ମନା କରିବାରୁ ଉଭୟ ଦେବାଶିଷ ଓ ସୁରେନ୍ଦ୍ର ତାଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ମାଡ଼ ଖାଇ ରାମଚନ୍ଦ୍ର ଅଚେତ ହୋଇଯାଇଥିଲେ। ପିଇଓଙ୍କ ପାଖରେ ଥିବା ସରକାରୀ କାଗଜପତ୍ର ମଧ୍ୟ ଚିରି ଦେଇଥିଲେ ବୋଲି ଅଭିଯୋଗ ହୋଇଛି।

ଅନ୍ୟପକ୍ଷରେ ଏହି ମାଡ଼ ଘଟଣାରେ ପିଇଓ ସଂଘ ପକ୍ଷରୁ କଲମ ଛାଡ଼ ଆନ୍ଦୋଳନ କରାଯାଇଛି। ଅଭିଯୁକ୍ତଙ୍କୁ ଗିରଫ ଦାବିରେ ବ୍ଲକ୍‌ର ସମସ୍ତ ପିଇଓ କାମ ବନ୍ଦ କରି ବ୍ଲକ୍‌ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି।

ସେହିଭଳି, ବିଭିନ୍ନ ସମୟରେ ବିଧାୟକଙ୍କ ପୁଅଙ୍କୁ ନେଇ ଆଇନଶୃଙ୍ଖଳା ପରିସ୍ଥିତି ଉପୁଜୁଛି। ଅତୀତରେ ପୁଲିସକୁ ମାଡ଼ ମାରି ଦେବାଶିଷ ଜେଲ୍‌ ଯାଇଥିଲେ। ଏବେ ପୁଣି ଜଣେ ପିଇଓଙ୍କୁ ଆକ୍ରମଣ କରିଛନ୍ତି। ସରକାରୀ ଡାକବଙ୍ଗଳାରେ ଦେବାଶିଷ ତାଙ୍କୁ ନିସ୍ତୁକ ମାଡ଼ ମାରିଥିବା ନେଇ ବିଜେପିର ଏକ ପ୍ରତିନିଧି ଦଳ ଡିଜି ଅଭୟଙ୍କୁ ଭେଟି କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର