ଓଡ଼ିଶାରେ ମୁଣ୍ଡପିଛା ଋଣ ୨୩ ହଜାର ୫୨୪ଟଙ୍କା

ଭୁବନେଶ୍ବର : ନବେ ଦଶକ ଶେଷରେ କଂଗ୍ରେସ ସରକାର ବିରୋଧରେ ଜନମତ ସୃଷ୍ଟି ହେବା ପଛର ଅନେକ କାରଣ ମଧ୍ୟରୁ ମୁଣ୍ଡପିଛା ଋଣ ପ୍ରସଙ୍ଗ ଅନ୍ୟତମ ଥିଲା। ସେବେ ରାଜ୍ୟର ମୋଟ ଋଣ ଥିଲା ପାଖାପାଖି ୧୮ ହଜାର ୧୦୦କୋଟି ଟଙ୍କା। କିନ୍ତୁ ବର୍ତମାନ ଜାନୁଆରି ମାସ ଶେଷ ସୁଦ୍ଧା ମୁଣ୍ଡ ପିଛା ଋଣ ଭାର ୨୩ ହଜାର ୫୨୪ ଟଙ୍କା ଛୁଇଁଲାଣି। ଆଜି ବିଧାନସଭାରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଏହି ସୂଚନା ଦେଇଛନ୍ତି।

ଅର୍ଥମନ୍ତ୍ରୀ ଏକଥା କହିଛନ୍ତି ଯେ ଓଡ଼ିଶାର ବର୍ତ୍ତମାନର ମୁଣ୍ଡପିଛା ଋଣ ଭାର ଭାରତ ସରକାର ତଥା ଅଧିକାଂଶ ପ୍ରମୁଖ ରାଜ୍ୟମାନଙ୍କ ତୁଳନାରେ ଯଥେଷ୍ଟ କମ୍ ରହିଛି। ରାଜ୍ୟର ସାମଗ୍ରିକ ଋଣ ଭାର ନେଇ କଂଗ୍ରେସ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି ଏକ ପ୍ରଶ୍ନ କରିଥିଲେ। ଏହାର ଉତ୍ତରରେ ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି, ମହାଲେଖାକାରଙ୍କ ତଥ୍ୟ ଅନୁଯାୟୀ ଗତ ଜାନୁଆରି ସୁଦ୍ଧା ରାଜ୍ୟର ମୋଟ ଋଣ ୧ଲକ୍ଷ ୩ହଜାର ୪୧୦ କୋଟି ୪୦ଲକ୍ଷ ଟଙ୍କା ରହିଛି। ରାଜ୍ୟ ସରକାର ସାଧାରଣତଃ ବିଭିନ୍ନ ଅନ୍ତର୍ଜାତୀୟ ସଂସ୍ଥା, ଭାରତ ସରକାର, ଆଭ୍ୟନ୍ତରୀଣ ସୂତ୍ର, ଭବିଷ୍ୟନିଧି ପାଣ୍ଠି ଓ ଅନ୍ୟାନ୍ୟ ପାଣ୍ଠିରୁ ଋଣ ଆହରଣ କରୁଛନ୍ତି। ବାହ୍ୟ ସାହାଯ୍ୟପ୍ରାପ୍ତ ପ୍ରକଳ୍ପ ତଥା ଭିତ୍ତିଭୂମି ସୃଷ୍ଟି ପାଇଁ ବିଭିନ୍ନ ଅନ୍ତର୍ଜାତୀୟ ଋଣ ପ୍ରଦାନକାରୀ ସଂସ୍ଥାଙ୍କ ଠାରୁ ସହାୟତା ନେଉଛନ୍ତି।

ଜାନୁଆରି ଶେଷ ସୁଦ୍ଧା ରାଜ୍ୟ ସରକାରଙ୍କର ବୈଦେଶିକ ଋଣ ୬୩୪୭ କୋଟି ୪୪ଲକ୍ଷ ଟଙ୍କା ରହିଛି। କୋଭିଡ୍ ପ୍ରଭାବରୁ ଜିଏସ୍‌ଟି ସଂଗ୍ରହରେ ଶିଥିଳତା ପରିଲକ୍ଷିତ ହୋଇଛି। ରାଜ୍ୟର ସୁନିଶ୍ଚିତ ରାଜସ୍ବ ପରିମାଣରେ ବୃଦ୍ଧି ଓ କେନ୍ଦ୍ରୀୟ ପୁଲ୍‌ରେ ଜିଏସ୍‌ଟି ପ୍ରାପ୍ତିର ପରିମାଣ ହ୍ରାସ ପାଉଥିବାରୁ କେନ୍ଦ୍ର ସରକାର ରାଜ୍ୟମାନଙ୍କୁ ଜିଏସ୍‌ଟି ଜନିତ କ୍ଷତି ଭରଣା ପାଇଁ ସ୍ପେସାଲ୍ ଵିଣ୍ଡୋ ମାଧ୍ୟମରେ ୩ ୮୨୨କୋଟି ଟଙ୍କା ଋଣ ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି।ଏହା ସତ୍ତ୍ବେ ଜାନୁଆରି ଶେଷ ସୁଦ୍ଧା ରାଜ୍ୟ ସରକାର ଜିଏସ୍‌ଟି କ୍ଷତି ଭରଣା ବାବଦରେ ୨୯୯୪.୬୧ କୋଟି ଟଙ୍କା ପାଇଛନ୍ତି। ଜାନୁଆରି ସୁଦ୍ଧା ରାଜ୍ୟର ଆଭ୍ୟନ୍ତରୀଣ ଋଣ ପରିମାଣ ୫୩ ହଜାର ୩୮୫ େକାଟି ୯୨ଲକ୍ଷ ଥିବା ବେଳେ ନାବାର୍ଡ ଠାରୁ ଅଣାଯାଇଥିବା ଋଣ ପରିମାଣ ୧୫ ହଜାର ୬୨୩ କୋଟି ୫୫ଲକ୍ଷ ଟଙ୍କା ଅଟେ।

ସମ୍ବନ୍ଧିତ ଖବର