ଭୁବନେଶ୍ବର: କଳକାରଖାନାରେ ଭରପୂର ଓଡ଼ିଶାରେ ବ୍ୟାପକ ଭାବେ ବିଷାକ୍ତ ଗ୍ୟାସ ବାୟୁମଣ୍ଡଳକୁ ପ୍ରବେଶ କରୁଛି। ଓଡ଼ିଶାରେ ମୁଣ୍ଡପିଛା ୬.୯ ଟନ୍‌ର ଗ୍ରିନ୍‌ ହାଉସ୍‌ ଗ୍ୟାସ୍‌ ନିର୍ଗମନ ହେଉଛି, ଯାହାକି ଜାତୀୟ ହାର ୨.୮ ଟନ୍‌ଠାରୁ ପ୍ରାୟ ଦୁଇ ଗୁଣା ଅଧିକ। ଇଣ୍ଟରନ୍ୟାସନାଲ ଫୋରମ୍‌ ଫର୍‌ ଏନ୍‌ଭର୍ନମେଣ୍ଟ ସଷ୍ଟେନେବିଲିଟି ଆଣ୍ଡ୍‌ ଟେକ୍ନୋଲୋଜି(ଆଇଫରେଷ୍ଟ) ପକ୍ଷରୁ ଆଜି ପ୍ରକାଶିତ ‘ଜଷ୍ଟ ଟ୍ରାନଜିସନ୍‌ ଇନ୍‌ ଓଡ଼ିଶା ଫର୍‌ ଗ୍ରିନ୍‌ ଗ୍ରୋଥ୍‌ ଆଣ୍ଡ୍‌ ଗ୍ରିନ୍‌ ଜବସ୍‌’ ରିପୋର୍ଟରେ ଏହାକୁ ନେଇ ଚିନ୍ତାପ୍ରକଟ କରାଯାଇଛି।

Advertisment

ରିପୋର୍ଟରେ ଆହୁରି ଦର୍ଶାଯାଇଛି ଯେ ଦେଶର ମୋଟ ଗ୍ରିନ୍‌ ହାଉସ୍‌ ଗ୍ୟାସ ନିର୍ଗମନରେ ଓଡ଼ିଶାର ଯୋଗଦାନ ୯.୭% ରହିଛି। କୋଇଲା ଭିତ୍ତିକ ଶକ୍ତି ଓ ଇସ୍ପାତ ପ୍ରକଳ୍ପରୁ ଅଧିକ ଗ୍ୟାସ୍‌ ନିର୍ଗମନ ହେଉଛି। ରାଜ୍ୟରେ ହେଉଥିବା ନିର୍ଗମନ ପ୍ରତି ଏହି ଦୁଇ କ୍ଷେତ୍ରର ଅବଦାନ ୮୪% ଭଳି ଉଚ୍ଚସ୍ତରରେ ରହିଛି। ତେଣୁ ୨୦୭୦ ସୁଦ୍ଧା ନେଟ୍‌ ଜିରୋ ହେବା ଲାଗି ଭାରତ ଯେଉଁ ଲକ୍ଷ୍ୟ ଧାର୍ଯ୍ୟ କରିଛି ତାହା ହାସଲ କରିବାରେ ଓଡ଼ିଶା ପ୍ରମୁଖ ଭୂମିକା ଗ୍ରହଣ କରିବାକୁ ପଡ଼ିବ ବୋଲି ରିପୋର୍ଟରେ କୁହାଯାଇଛି। ଏଦିଗରେ ପ୍ରଦୂଷଣ ଭିତ୍ତିକ ପ୍ରକଳ୍ପଠାରୁ ଆଗକୁ ବଢ଼ି ସ୍ବଚ୍ଛ ଓ ପରିବେଶ ଅନୁକୂଳ ଶକ୍ତି ଆଡ଼କୁ ଅଗ୍ରସର ହେବାର ଆବଶ୍ୟକତା ରହିଛି।

ଆଶ୍ବସ୍ତିକର ବିଷୟ ହେଉଛି ଯେ ଓଡ଼ିଶା ଠିକ୍‌ ଦିଗରେ ଆଗକୁ ବଢ଼ୁଛି। ରାଜ୍ୟର ୭ଟି ଜିଲ୍ଲା ଏବେ ସ୍ବଚ୍ଛ ଶକ୍ତି ଆଡ଼କୁ ପରିବର୍ତ୍ତନର ହଟ୍‌ସ୍ପଟ୍‌ ପାଲଟିଛନ୍ତି। ସେହି ଜିଲ୍ଲାଗୁଡ଼ିକ ହେଲା ଅନୁଗୁଳ, ଢେଙ୍କାନାଳ, ଯାଜପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର ଓ କେନ୍ଦୁଝର। ରାଜ୍ୟର ଶତ ପ୍ରତିଶତ କୋଇଲା ଖଣି, ୮୮% କୋଇଲା ଭିତ୍ତିକ ପାୱାରପ୍ଲାଣ୍ଟ ଏହି ଜିଲ୍ଲାଗୁଡ଼ିକରେ ରହିଛି। ସେହିପରି ୯୭% ଇସ୍ପାତ୍‌, ୯୪% ସ୍ପଞ୍ଜ ଆଇରନ୍, ଶତ ପ୍ରତିଶତ ଆଲୁମିନିୟମ୍‌, ୬୫% ସିମେଣ୍ଟ ଓ ୯୯% ଲୁହାପଥର ଉତ୍ପାଦିତ ହେଉଥିବା ଦୃଷ୍ଟିରୁ ଏହି ପରିବର୍ତ୍ତନ ନିଶ୍ଚିତ ଭାବେ ଗୁରୁତ୍ବପୂର୍ଣ୍ଣ। ଦୀର୍ଘକାଳୀନ ଭିତ୍ତିରେ ପରିବେଶ ସୁରକ୍ଷା‌ରେ ଏହା ଲାଭଦାୟକ ହେବାକୁ ଯାଉଛି। ତେବେ ଏହି ଅଞ୍ଚଳର ବିଭିନ୍ନ କଳକାରଖାନାରେ ନିୟୋଜିତ ଥିବା ୧୦ ଲକ୍ଷରୁ ଅଧିକ ଶ୍ରମିକ ଏହି ପରିବର୍ତ୍ତନ ଦ୍ବାରା ପ୍ରଭାବିତ ହେବାର ଆଶଙ୍କା ରହିଛି।

ଜାତୀୟ ହାରଠାରୁ ଦୁଇଗୁଣା ଅଧିକ
ଜଷ୍ଟ ଟ୍ରାଞ୍ଜିସନ୍‌ ନୀତି ଆଣିବାକୁ ପରାମର୍ଶ
୭ ଜିଲ୍ଲା ସ୍ବଚ୍ଛ ଶକ୍ତି ପରିବର୍ତ୍ତନର ହଟ୍‌ସ୍ପଟ୍‌
ପ୍ରଭାବିତ ହେବେ ୧୦ ଲକ୍ଷ ଶ୍ରମିକ

ଆସନ୍ତା ଦୁଇ ଦଶନ୍ଧି ମଧ୍ୟରେ କେବଳ କୋଇଲା ଖନନରୁ ଜିଲ୍ଲା ଖଣିଜ ଫାଉଣ୍ଡେସନ(ଡିଏମ୍‌ଏଫ୍‌) ପାଣ୍ଠିକୁ ୩୫ ହଜାର କୋଟି ଟଙ୍କା ମିଳିବ। ଏହାବ୍ୟତୀତ ଓଡ଼ିଶା କୋଇଲା ସେସ୍‌ ୨ଲକ୍ଷ ୫୦ ହଜାର କୋଟି ଟଙ୍କା ପାଇବ। ରାଜ୍ୟ ଓ କେନ୍ଦ୍ର ସରକାର କୋଇଲା ସେସ୍‌ ଓ ଡିଏମ୍‌ଏଫ୍‌ରୁ ଆର୍ଥିକ ସମ୍ବଳର ଉପଯୋଗ କରି ସ୍ବଚ୍ଛ ଶକ୍ତି ଆଡ଼କୁ ଅଗ୍ରସର ହେବା ଦିଗରେ ମିଳିତ ଭାବେ କାର୍ଯ୍ୟ କରିବାକୁ ହେବ। ଅନୁଗୁଳ, ଢେଙ୍କାନାଳ ଏବଂ ଝାରସୁଗୁଡ଼ା-ସୁନ୍ଦରଗଡ଼-ସମ୍ବଲପୁର ଖଣି ଓ ଶିଳ୍ପ କ୍ଲଷ୍ଟର ପାଇଁ ଜଷ୍ଟ ଟ୍ରାଞ୍ଜିସନ୍‌ ନୀତି ଓ ଆଞ୍ଚଳିକ ଜଷ୍ଟ୍‌ ଟ୍ରାଞ୍ଜିସନ୍‌ ଯୋଜନା ବିକଶିତ କରିବାକୁ ପଡ଼ିବ। ୨୦୩୦ ସୁଦ୍ଧା ୧୧ ଗିଗାୱାଟ୍‌(ଜିଡବ୍ଲୁ) ଅକ୍ଷୟ ଶକ୍ତି ଲକ୍ଷ୍ୟ ହାସଲ ପାଇଁ ନୀତି ଓ ପ୍ରକ୍ରିୟାକୁ ସୁବ୍ୟବସ୍ଥିତ କରିବାକୁ ହେବ। କ୍ୟାପ୍ଟିଭ୍‌ ପାୱାର ପ୍ଲାଣ୍ଟ ପାଇଁ ୨୦୩୦ ସୁଦ୍ଧା ୪୩.୩୩% ଅକ୍ଷୟଶକ୍ତି କ୍ରୟ ଲକ୍ଷ୍ୟ ହାସଲ କରିବାକୁ ହେବ। ସେହିପରି ୨୦୨୫ରୁ ନୂଆ ଇସ୍ପାତ୍‌ କାରଖାନାଗୁଡ଼ିକରେ ହାଇଡ୍ରୋଜେନ୍‌କୁ ଇନ୍ଧନ ଭାବେ ବ୍ୟବହାର କରିବା ଏବଂ ୨୦୩୫ ସୁଦ୍ଧା ଗ୍ରିନ୍‌ ଷ୍ଟିଲ୍‌ ଉତ୍ପାଦନ ଲକ୍ଷ୍ୟ ଧାର୍ଯ୍ୟ କରିବାକୁ ହେବ।

୨୦୩୦ ସୁଦ୍ଧା ପ୍ରାୟ ୧୧ ହଜାର ହେକ୍ଟର କୋଇଲା ଖଣି ଜମି ସବୁଜ ଶକ୍ତି ଓ ଶିଳ୍ପ ପାଇଁ ଉପଲବ୍ଧ ହୋଇପାରିବ। ଏହି ଜମି ମୁଖ୍ୟତଃ ତାଳଚେର ଓ ଝାରସୁଗୁଡ଼ାରେ ରହିଛି। ସବୁଜ ଶକ୍ତି, ସବୁଜ ଧାତୁ ଏବଂ ଖଣି, ସବୁଜ ଉତ୍ପାଦନ, ସବୁଜ ନିର୍ମାଣ ଓ ଭିତ୍ତିଭୂମି କ୍ଷେତ୍ର ପାଇଁ କୁଶଳୀ ଶ୍ରମିକ ବିକାଶ ଉପରେ ଧ୍ୟାନ ଦେବାକୁ ପଡ଼ିବ ବୋଲି ରିପୋର୍ଟରେ ପରାମର୍ଶ ଦିଆଯାଇଛି। ଓଡ଼ିଶା ଖଣିଜ ସମ୍ପଦ, ବିପୁଳ ଅକ୍ଷୟ ଶକ୍ତି ସାମର୍ଥ୍ୟ ଓ ମାନବ ସମ୍ବଳ ଦୃଷ୍ଟିରୁ ଦେଶରେ ସବୁଜ ଖଣିଜ ଏବଂ ଧାତୁ ଶିଳ୍ପର ହବ୍‌ ହେବାକୁ ଓଡ଼ିଶାରେ ଏକ ବିଶାଳ ସୁଯୋଗ ରହିଛି। ତେଣୁ ସମସ୍ତଙ୍କ ଭଲ ପାଇଁ ରାଜ୍ୟ ଏକ ଜଷ୍ଟ ଟ୍ରାନ୍‌ଜିସନ୍‌ ନୀତି ବିକଶିତ କରିବାର ଆବଶ୍ୟକତା ରହିଛି। ଏହି ନୀତି କୋଇଲା ଇନ୍ଧନ ଉପରେ ନିର୍ଭରଶୀଳ ଜିଲ୍ଲାଗୁଡ଼ିକରେ ସବୁଜ ପୁଞ୍ଜି ବିନିଯୋଗକୁ ମାର୍ଗଦର୍ଶନ କରିପାରିବ। ଦକ୍ଷତା ଓ ନିଯୁକ୍ତି ପାଇଁ ଇକୋସିଷ୍ଟମକୁ ମଜବୁତ କରିବ ଏବଂ ଅର୍ଥ ଯୋଗାଡ଼ କରିପାରିବ ବୋଲି ଆଇଫରେଷ୍ଟ ସଭାପତି ତଥା ସିଇଓ ଚନ୍ଦ୍ର ଭୂଷଣ କହିଛନ୍ତି।