ଭୁବନେଶ୍ବରରେ ବସ୍ତି ଉପରେ ନଜର, ଦିନକୁ ୧୪୦୦ରୁ ଅଧିକ ଟେଷ୍ଟିଂ ଉପରେ ଗୁରୁତ୍ୱ : ଅନୁ ଗର୍ଗ

ହୋମ ଆଇସୋଲେସନକୁ ପ୍ରୋତ୍ସାହନ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ କରୋନା ଭାଇରସ ଦିନକୁ ଦିନ ଉଗ୍ର ରୂପ ନେଉଥିବା ବେଳେ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ମୁକାବିଲା ପାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି । ଏବେ ବିଏମସି ଦିନକୁ ୧୪ ଶହ ଜଣଙ୍କର ନମୁନା ପରୀକ୍ଷା କରିବାକୁ ଲକ୍ଷ୍ୟ ରଖିଛି । ଭୁବନେଶ୍ୱର କୋଭିଡ ପର୍ଯ୍ୟବେକ୍ଷକ ତଥା ମହିଳା ଓ ଶିଶୁ କଲ୍ୟାଣ ବିଭାଗର ପ୍ରମୁଖ ସଚିବ  ଅନୁ ଗର୍ଗ ଏହା କହିଛନ୍ତି । ଗୀତଗୋବିନ୍ଦ ସଦନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀମତୀ ଗର୍ଗ କହିଛନ୍ତି, ବିଏମସି ବସ୍ତି ଅଚଂଳରେ ସ୍ୱତନ୍ତ୍ର ନଜର ରଖିଛି । କାରଣ ବସ୍ତି ଅଂଚଳକୁ ନେଇ ସମସ୍ତଙ୍କର ଆଶଙ୍କା ରହିଛି । ତେଣୁ ବସ୍ତି ଅଂଚଳ ପାଇଁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତି କରାଯାଇଛି । ଆମର ଟିମ ଲୋକଙ୍କର ସ୍ଥିତି ପରଖୁଛନ୍ତି । ଲକ୍ଷଣ ଥିବା ଲୋକଙ୍କୁ ଚିହ୍ନଟ କରୁଛନ୍ତି । ଆମେ ବସ୍ତି ଅଂଚଳରେ କଣ୍ଟେନମେଣ୍ଟ ଜୋନ କରୁଛୁ । ବୟସ୍କମାନଙ୍କ ପାଇଁ ଆମେ ସ୍ୱତନ୍ତ୍ର ପ୍ଲାନ କରିଛୁ ।

YouTube

ଶ୍ରୀମତୀ ଗର୍ଗ ସୂଚନା ଦେଇଛନ୍ତି ଯେ ବହୁବିଧ ରୋଗରେ ଆକ୍ରାନ୍ତ ଓ ବରିଷ୍ଠ ନାଗରିକଙ୍କ ଲାଗି  ଆମେ ସଚେତକ ଆପ କରିଛୁ । କୋଭିଡ ସ୍ଥିତି କ’ଣ, ପାଖରେ କେଉଁ ଡାକ୍ତର ଅଛନ୍ତି । ଲୋକଙ୍କୁ ଏସବୁ ତଥ୍ୟ ଉପଲବ୍ଧ କରାଉଛୁ । ସଚେତକ ଆପ ଡାଉନଲୋଡ କରନ୍ତୁ । ସଚେତକ ଆପରୁ ଲୋକଙ୍କୁ ଉପକାର ମିଳୁଛି । ଏହି ଆପ୍ ମାଧ୍ୟମରେ ୱାର୍ଡରେ କେତେ ଆକ୍ରାନ୍ତ ଅଛନ୍ତି, ତାହା ଜଣାପଡୁଛି । ଆପଣମାନେ ମଧ୍ୟ ସଚେତକ ଆପ ଡାଉନଲୋଡ କରନ୍ତୁ ବୋଲି ଶ୍ରୀମତୀ ଗର୍ଗ ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି, ଅସୁବିଧା ହେଲେ ଆମକୁ ଜଣାନ୍ତୁ । ପ୍ରାୟ ୧୦ ହଜାର ଲୋକ ‘ସଚେତକ’ ଆପ ଡାଉନଲୋଡ଼ କରିଛନ୍ତି । ବିଏମସି ଅଧିନରେ ଥିବା ୬୭ଟି ୱାର୍ଡରେ ସଚେତକ ଟିମ ଅଛନ୍ତି । ସେମାନେ ନିରନ୍ତର କାମ କରୁଛନ୍ତି ।

ଭୁବନେଶ୍ୱରରେ ହୋମ ଆଇସୋଲେସନକୁ ଗୁରୁତ୍ବ ଦିଆଯାଉଛି । ଏଥି ପାଇଁ ବିଏମସି ପକ୍ଷରୁ ଅନୁମତି ପ୍ରଦାନ କରାଯାଉଛି । ଏବେ ବିଏମସି ଅଂଚଳରେ ୧୬୭ ଜଣ ଲୋକ ହୋମ ଆଇସୋଲେସନରେ  ଅଛନ୍ତି । ସେହିଭଳି କୋଭିଡ୍ କେୟାର ସେଣ୍ଟରଗୁଡ଼ିକରେ ୧୫୦୦ ବେଡ ବଢ଼ାଇବାର ଯୋଜନା ଚାଲିଛି  । ଏବେ ୬ଟି ସ୍ଥାନରେ ୮୭୦ ଶଯ୍ୟା ବିଶିଷ୍ଟ କୋଭିଡ କେୟାର ହୋମ କରାଯାଇଛି ।

ଶେଷରେ ସେ ଭୁବନେଶ୍ବରର ଜନସାଧାରଣଙ୍କୁ  ଲକଡାଉନକୁ ସମ୍ମାନ ଜଣାଇବାକୁ ଅନୁରୋଧ କରିଛନ୍ତି । ଲୋକେ ଏବେ ବି ବହୁ ସ୍ଥାନରେ ଭିଡ କରୁଛନ୍ତି । ମାସ୍କ ପିନ୍ଧୁନାହାନ୍ତି । ଆପଣ ଯେତେବେଳେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି, ଆମକୁ ଜଣାନ୍ତୁ । ସମସ୍ତେ ପ୍ରୋଟୋକଲକୁ ସମ୍ମାନ ଜଣାନ୍ତୁ । ଲକ୍‌ଡାଉନକୁ ମାନନ୍ତୁ । ଭିଡକୁ ନ ଯାଇ ଯଥା ସମ୍ଭବ ଘରେ ରୁହନ୍ତୁ ବୋଲି ଶ୍ରୀମତି ଗର୍ଗ ପରାମର୍ଶ ଦେଇଛନ୍ତି ।

ସମ୍ବନ୍ଧିତ ଖବର