ଭୁବନେଶ୍ବର: ରାଜ୍ୟରେ ଗତ ୨୪ଘଣ୍ଟାରେ ୨୩୦୩୫ କୋଭିଡ୍ ନମୁନା ପରୀକ୍ଷା ହୋଇଛି। ଯାହାକି ରାଜ୍ୟରେ ଏ ପର୍ଯ୍ୟନ୍ତ ସର୍ବାଧିକ। ତେବେ ତହିଁରୁ ୧୬ହଜାରରୁ ଅଧିକ କେବଳ ରାପିଡ୍ ଆଣ୍ଟିଜେନ୍ କିଟ୍ରେ ହୋଇଥିବା ସୂଚନା ମିଳିଛି। ଆଗକୁ ରାଜ୍ୟରେ ଦୈନିକ କୋଭିଡ୍ ନମୁନା ପରୀକ୍ଷା ୩୨ ହଜାର ଛୁଇଁବ ବୋଲି ସ୍ବାସ୍ଥ୍ୟ ବିଭାଗରୁ ସୂଚନା ମିଳିଛି। ରାଜ୍ୟରେ ଏବେ ୩ ପ୍ରକାରର ଲ୍ୟାବ୍ରେ କୋଭିଡ୍ ପରୀକ୍ଷା କରାଯାଉଛି। ଆରଟି-ପିସିଆର, ରାପିଡ୍ ଆଣ୍ଟିଜେନ୍ ଓ ଟ୍ରୁନାଟ୍ରେ ପରୀକ୍ଷା ହେଉଛି। ରାଜ୍ୟ ସରକାର ଚଳିତମାସରେ ଦୈନିକ ୨୦ ହଜାର ନମୁନା ପରୀକ୍ଷା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ। ଗତ ୨୪ଘଣ୍ଟାରେ ଏହାଠାରୁ ଯଥେଷ୍ଟ ଅଧିକ ସଂଖ୍ୟକ ପରୀକ୍ଷା କରାଯାଇଛି। ତେବେ ରାପିଡ୍ ଆଣ୍ଟିଜେନ୍ କିଟ୍ ଆସିବା ପରେ ରାଜ୍ୟରେ ନମୁନା ପରୀକ୍ଷା ଯଥେଷ୍ଟ ବୃଦ୍ଧି ପାଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମେତ ମେଡିକାଲ କଲେଜ ଓ ଘରୋଇ ସ୍ବୀକୃତିପ୍ରାପ୍ତ ଲାବୋରେଟାରିରେ ଆଣ୍ଟିଜେନ୍ କିଟ୍ ପରୀକ୍ଷା ହେଉଛି। ରୋଗୀଙ୍କୁ ହସ୍ପିଟାଲରେ ଆଡମିସନ୍ କରିବା ପୂର୍ବରୁ ହସ୍ପିଟାଲରେ ରାପିଡ୍ ଆଣ୍ଟିଜେନ୍ କିଟ୍ରେ ପରୀକ୍ଷା କରାଯାଇ ଆଡମିସନ୍ କରାଯାଉଛି। ଗତ କିଛିଦିନ ଭିତରେ ରାଜ୍ୟ ସରକାର ୫.୨୫ଲକ୍ଷରୁ ଅଧିକ ରାପିଡ୍ ଆଣ୍ଟିଜେନ୍ କିଟ୍ କିଣିଥିବା ଜଣାପଡ଼ିଛି। ଆହୁରି ୧୩ ଲକ୍ଷ ରାପିଡ୍ କିଟ୍ ପାଇଁ ସରକାର ବରାଦ ଦେଇଛନ୍ତି ଓ ଖୁବ୍ ଶୀଘ୍ର ଏହା ରାଜ୍ୟରେ ପହଞ୍ଚିବ ବୋଲି ସୂଚନା ମିଳିଛି। ରାଜ୍ୟର ସରକାରୀ ଓ ଘରୋଇକୁ ମିଶାଇ ସମୁଦାୟ ୫୫ଟି କୋଭିଡ୍ ପରୀକ୍ଷା ଲ୍ୟାବ୍ ରହିଛି।
ଗତ ୨୪ଘଣ୍ଟାରେ ରାଜ୍ୟରେ ହୋଇଥିବା ୨୩୦୩୫ ନମୁନାରୁ ୧୬୧୩୭ ନମୁନା କେବଳ ରାପିଡ୍ ଆଣ୍ଟିଜେନ୍ କିଟ୍ରେ ହୋଇଛି। ଏହାସହ ଆର୍ଟି-ପିସିଆରରେ ୬୭୩୫ ଓ ଟ୍ରୁନାଟ୍ରେ ୧୬୩ ନମୁନା ପରୀକ୍ଷା ହୋଇଛି। ତେବେ କେନ୍ଦ୍ରାପଡ଼ା ଜିଲ୍ଲାରେ ସର୍ବାଧିକ ୫୬୫୧ ଆଣ୍ଟିଜେନ୍ ପରୀକ୍ଷା ହୋଇଛି। ଏହାବାଦ୍ ଗଞ୍ଜାମରେ ୨୦୦୨, ଗଜପତି ୧୦୬୫, କଳାହାଣ୍ଡିରେ ୧୦୧୬, ମୟୂରଭଞ୍ଜରେ ୮୮୩, ସମ୍ବଲପୁର ୫୩୪ ଓ ଖୋର୍ଧାରେ ୩୩୨ ନମୁନା ପରୀକ୍ଷା କରାଯାଇଛି। ସେହିପରି ଏସ୍ସିବି ମେଡିକାଲ କଲେଜରେ ସର୍ବାଧିକ ୨୫୯୨ ଆର୍ଟି-ପିସିଆର ନମୁନା ପରୀକ୍ଷା କରାଯାଇଛି। ଏହାବାଦ୍ ଆଇଏନ୍ଡିଏନ୍ଏରେ ୧୮୧୧, ଆରଏମ୍ଆରସିରେ ୭୫୩, ଏମ୍ସରେ ୨୪୮, ଭୀମ ଭୋଇ ମେଡିକାଲ କଲେଜରେ ୨୧୦ ଓ ଅନ୍ୟ ଲ୍ୟାବ୍ର ପରୀକ୍ଷାକୁ ମିଶାଇ ସମୁଦାୟ ୬୭୩୫ ଆରଟି-ପିସିଆର ନମୁନା ପରୀକ୍ଷା ହୋଇଛି। ତେବେ ଟ୍ରୁନାଟ୍ରେ ମାତ୍ର ୧୬୩ ନମୁନା ପରୀକ୍ଷା କରାଯାଇଛି। ଏସ୍ସିବିରେ ୫୬, ଭିମସାର ୨୬, ଝାରସୁଗୁଡ଼ା ୩୭ ଓ ଅନ୍ୟାନ୍ୟ ଲ୍ୟାବ୍ରେ ଯଥେଷ୍ଟ କମ୍ ପରୀକ୍ଷା ହୋଇଥିବା ସୂଚନା ମିଳିଛି। ନିକଟରେ ରାଜ୍ୟ ସରକାର ଘରୋଇ ଲ୍ୟାବ୍ ଗୁଡ଼ିକ ଆର୍ଟି-ପିସିଆର ଓ ରାପିଡ୍ ଆଣ୍ଟିଜେନ୍ କିଟ୍ରେ ପରୀକ୍ଷା କରିବା ଲାଗି ଅନୁମତି ପ୍ରଦାନ କରିଛନ୍ତି। ଘରୋଇ ଲ୍ୟାବ୍ରେ ଆର୍ଟି-ପିସିଆର ପାଇଁ ୨୨ଶହ ଟଙ୍କା ଧାର୍ଯ୍ୟ ହୋଇଥିବା ବେଳେ ରାପିଡ୍ ଆଣ୍ଟିଜେନ୍ ପାଇଁ୪୫୦ ଟଙ୍କା ରଖାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/07/corona-4-1.jpg)