ବଢ଼ୁଛି ରାଜ୍ୟର ମୁଣ୍ଡପିଛା ଋଣଭାର : ବର୍ତ୍ତମାନ ମୁଣ୍ଡପିଛା ଋଣ ୨୩,୫୨୪ ଟଙ୍କା, ୧୦ ବର୍ଷ ପୂର୍ବରୁ ଥିଲା ୯,୧୮୦ ଟଙ୍କା

ଭୁବନେଶ୍ବର: ଓଡ଼ିଶାରେ ମୁଣ୍ଡ ପିଛା ୠଣ ୨୩ ହଜାର ୫୨୪ ଟଙ୍କା ୮୨ ପଇସା । ରାଜ୍ୟର ସାମଗ୍ରୀକ ଋଣଭାର କେତେ ଓ ମୁଣ୍ଡପିଛା ଋଣ କେତେ ରହିଛି ବୋଲି କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ଏକ ପ୍ରଶ୍ନର ଉତ୍ତରରେ ବିଧାନସଭାରେ ଏହି ସୂଚନା ଦେଇଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ।

କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ପ୍ରଶ୍ନ କରିଥିଲେ ଯେ, ରାଜ୍ୟର ସାମଗ୍ରୀକ ଋଣ ଭାର କେତେ? ବୈଦେଶିକ ଋଣ କେତେ? ଆଭ୍ୟନ୍ତରୀଣ ଋଣ ଓ ବ୍ୟାଙ୍କ ମାନଙ୍କରୁ ଋଣ କେତେ? ସେହି ଆଧାରରେ ଏବେ ପ୍ରତ୍ୟେକ ଲୋକଙ୍କ ଉପରେ ମୁଣ୍ଡ ପିଛା ଋଣ କେତେ ?

ଏହି ପ୍ରଶ୍ନର ଉତ୍ତର ରଖି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଥିଲେ, ଜାନୁଆରି ମାସ ଶେଷ ସୁଦ୍ଧା ମୁଣ୍ଡ ପିଛା ଋଣ ଭାର ୨୩, ୫୨୪ ଟଙ୍କା ରହିଛି । ସେହିପରି ୨୦୦୯-୧୦ ଆର୍ଥିକ ବର୍ଷରେ ମୁଣ୍ଡ ପିଛା ହାର ୯,୧୮୦ ଟଙ୍କା ରହିଥିଲା । ଆମ ରାଜ୍ୟର ବର୍ତ୍ତମାନ ମୁଣ୍ଡପିଛା ଋଣଭାର ଅନ୍ୟ ପ୍ରମୁଖ ରାଜ୍ୟମାନଙ୍କ ତୁଳନାରେ ଯଥେଷ୍ଟ କମ ରହିଛି  ବୋଲି ସେ ସ୍ପଷ୍ଟ କରିଛନ୍ତି।

୨୦୨୦-୨୧ ଆର୍ଥିକ ବର୍ଷର ଶେଷ ସୁଦ୍ଧା ରାଜ୍ୟର ଋଣଭାର ୧ ଲକ୍ଷ ୩ହଜାର ୪୧୦ କୋଟି ଥିବା ବେଳେ ଏ ମଧ୍ୟରୁ ୬,୩୪୭ କୋଟି ବୈଦେଶିକ ଋଣ ରହିଛି। ସେହିପରି ୧୫, ୬୨୩ କୋଟି ଟଙ୍କା ନାବାର୍ଡରୁ ଋଣ କରାଯାଇଥିବା ବେଳେ ୫୩, ୩୮୫ କୋଟି ଟଙ୍କା ଆଭ୍ୟନ୍ତରୀଣ ସୂତ୍ରରୁ ଋଣ କରିଛନ୍ତି ସରକାର।

ସମ୍ବନ୍ଧିତ ଖବର