କୋଇଡ଼ା: କୋଇଡ଼ା ଖଣି ମଣ୍ଡଳ ‘ସେଲ୍’ ପରିଚାଳିତ ତାଲଡିହି ଲୌହଖଣିରେ ଆଦାନୀକୁ ୨୫ ବର୍ଷ ଯାଏଁ ପରିଚାଳନା ଚୁକ୍ତିନାମାକୁ ବିରୋଧ ସହ ୧୫ ଦଫା ଦାବି ନେଇ ‘ସିଟୁ’ ପକ୍ଷରୁ ବିକ୍ଷୋଭ ଓ ଗଣଧାରଣା ଆରମ୍ଭ ହୋଇଛି। ଖଣି କର୍ତ୍ତୃପକ୍ଷଙ୍କଠାରୁ ଡକରା ପାଇଁ ଆଲୋଚନାକୁ ଯିବାବେଳେ ବିଧାୟକ ଓ ନେତାମାନେ ଦୁର୍ବ୍ୟବହାରର ଶିକାର ହୋଇଥିବା ଅଭିଯୋଗ ଉଠିଛି। ଦୁର୍ବ୍ୟବହାର କରିଥିବା ସୁରକ୍ଷା କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ବିକ୍ଷୋଭକାରୀଙ୍କ ପକ୍ଷରୁ ଦାବି ହୋଇଛି। 

Advertisment

  ବଣାଇ ବିଧାୟକ ଲକ୍ଷ୍ମଣ ମୁଣ୍ଡାଙ୍କ ନେତୃତ୍ୱରେ ତାଲଡିହି ଖଣିରେ ଆଦାନୀର ପ୍ରବେଶକୁ ବିରୋଧ କରାଯାଇଛି। ‘ସିଟୁ’ ରାଷ୍ଟ୍ରୀୟ ଉପସଭାପତି ବିଷ୍ଣୁ ମହାନ୍ତି, ଜିଲ୍ଲା ସାଧାରଣ ସମ୍ପାଦକ ପ୍ରମୋଦ ସାମଲ, ରାଜ୍ୟ କମିଟି ସଭ୍ୟ ପ୍ରଭାତ ପଣ୍ଡା, ଜିଲ୍ଲା ପରିଷଦ ସଦସ୍ୟା ସୁଶୀଳା ମୁଣ୍ଡା, ସରପଞ୍ଚ ଆନନ୍ଦମାସୀ ହର, ଅସିତ ଚୌଧୁରୀ, ଶସ୍ୟକଳା ସରପଞ୍ଚ ଏମ୍‌ଲେନ୍‌ ଭୂଇଁଆଙ୍କ ସମେତ ସହସ୍ରାଧିକ ସିଟୁ କର୍ମୀ ଧାରଣା ସହିତ ଗଣବିକ୍ଷୋଭ ଜାରି ରଖିଛନ୍ତି। ଦାବି ପୂରଣ ନ ହେବା ଯାଏଁ ବିକ୍ଷୋଭ ଓ ଧାରଣା ଜାରି ରହିବ ବୋଲି ବିଧାୟକ ପ୍ରକାଶ କରିଥିଲେ। ପରିସ୍ଥିତିକୁ ଦେଖି କୋଇଡ଼ା ତହସିଲଦାରଙ୍କ ସମେତ ରାଉରକେଲା ଅତିରିକ୍ତ ଏସ୍‌ପି ପ୍ରଭାଶଙ୍କର ନାୟକ, ୪ ପ୍ଲାଟୁନ୍ ପୁଲିସ୍ ଫୋର୍ସ ସହ ବିଭିନ୍ନ ଥାନାଧିକାରୀ ଉପସ୍ଥିତ ଥିଲେ। 

ସମାଧାନ ପାଇଁ ସେଲ୍ ବରସୁଆଁ ଲୌହଖଣି ସିଜିଏମ୍ ହିମାଂଶୁ ମିଶ୍ର ଗୁରୁବାର ଅପରାହ୍ନ ୩ଟାରେ ଆଲୋଚନା ନିମନ୍ତେ ଟେନ୍‌ସାସ୍ଥିତ ‘ସେଲ୍’ କାର୍ଯ୍ୟାଳୟକୁ ଡାକିଥିଲେ। ବିଧାୟକ ଓ ନେତୃମଣ୍ଡଳୀ ଆଲୋଚନା ପାଇଁ କାର୍ଯ୍ୟାଳୟକୁ ପ୍ରବେଶ କରିବା ସମୟରେ ସେଠାରେ ନିୟୋଜିତ କେନ୍ଦ୍ରୀୟ ଶିଳ୍ପ ନିରାପତ୍ତା ବାହିନୀର (ସିଆଇଏସ୍‌ଏଫ୍) ଯବାନମାନେ ଯୁକ୍ତିତର୍କ କରି ବିଧାୟକ ଓ ମହିଳାକର୍ମୀଙ୍କୁ ଦୁର୍ବ୍ୟବହାର କରିଥିଲେ। ଏପରିକି କୋଇଡ଼ା ଥାନାଧିକାରୀ ମନୋରଞ୍ଜନ କୁମ୍ଭାରଙ୍କୁ ମଧ୍ୟ ଠେଲାପେଲା ସହିତ ଧସ୍ତାଧସ୍ତି କରିଥିଲେ। ଫଳରେ ସେଠାରେ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା। ବିଧାୟକଙ୍କୁ ଦୁର୍ବ୍ୟବହାର ସୂଚନା ପାଇ ବାହାରେ ଥିବା କର୍ମୀମାନେ ସେଠାରେ ପହଞ୍ଚି ସିଆଇଏସ୍‌ଏଫ୍‌ ଓ ଉପସ୍ଥିତ ଆଦାନୀ କମ୍ପାନିର ପଦାଧିକାରୀଙ୍କୁ ଠେଲି ବିଦା କରିଥିଲେ। ଘଟଣା ସମ୍ପର୍କରେ ଅବଗତ ହେଲା ପରେ ବରସୁଆଁ ଲୌହଖଣି ସିଜିଏମ୍ ସେଠାରେ ନିଜେ ପହଞ୍ଚି ବିଧାୟକଙ୍କୁ ଦୁର୍ବ୍ୟବହାର ନେଇ ଦୁଃଖପ୍ରକାଶ କରିବା ସହ ପୁନଃଆଲୋଚନା ପାଇଁ ଡାକିଥିଲେ। ପରିଶେଷରେ ଦୁର୍ବ୍ୟବହାର କରିଥିବା ସିଆଇଏସ୍‌ଏଫ୍‌ ଯବାନଙ୍କ ବିରୋଧରେ ଏତଲା ଦେବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଥିଲା। ଏହାବ୍ୟତୀତ ଆଦାନୀର ‘ସେଲ୍’ ସହ ଚୁକ୍ତିନାମା ବାତିଲ୍ ଓ ଅନ୍ୟ ଦାବି ପୂରଣ ନ ହେବା ପର୍ଯ୍ୟନ୍ତ କୋଇଡ଼ା ଖଣିମଣ୍ଡଳସ୍ଥିତ ‘ସେଲ୍’ ଖଣି କାଲଟା, ତାଲଡିହି, ବରସୁଆଁ ଓ ରେଳ ସାଇଡ଼ିଂ ରକ୍ସି, ବରସୁଆଁ, ରେଞ୍ଜଡ଼ା, ପାଟାସାହି, ବିମଳାଗଡ଼ ଆଦି ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିବ ବୋଲି ବିକ୍ଷୋଭକାରୀ ଘୋଷଣା କରିଥିଲେ। ‘କିଛି ଭୁଲ୍ ବୁଝାମଣା ପାଇଁ ଏ ପରିସ୍ଥିତି ଉପୁଜିଥିଲା। ଏ ନେଇ ଆମେ ଏକ ଏତଲା ପାଇଛୁ। ଘଟଣା ସମ୍ପର୍କରେ ତଦନ୍ତ ପରେ ଉଚିତ ପଦକ୍ଷେପ ନିଆଯିବ’ ବୋଲି ରାଉରକେଲା ଅତିରିକ୍ତ ଏସ୍‌ପି ଶ୍ରୀ ନାୟକ ପ୍ରକାଶ କରିଛନ୍ତି।