ଜୟପୁର : ଜୟପୁର କାଗଜକଳ କର୍ମଚାରୀମାନେ ଦରମା ପ୍ରଦାନ ଦାବିକୁ ନେଇ ମଙ୍ଗଳବାର ଦିନ ସିଜିଏମ୍ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି। ମଙ୍ଗଳବାର ପୂର୍ବାହ୍ନ ୧୧ଟାରୁ ଧାରଣାରେ ବସିଥିବା ବେଳେ ଅପରାହ୍ନ ୪ଟାରେ ଉଠିଥିଲେ। ଗୋଟିଏ ମାସର ଅଗ୍ରୀମ ଦରମା ଗୁରୁବାର ମଧ୍ୟରେ ମିଳିବା ନେଇ ପ୍ରତିଶୃତି ପାଇବା ପରେ କର୍ମଚାରୀମାନେ ଆନ୍ଦୋଳନରୁ ପ୍ରତିହତ ହୋଇଥିଲେ।
ସୂଚନା ଅନୁଯାୟୀ, ବାରମ୍ବାର ଦାବି ପରେ ଦରମା ପ୍ରଦାନ ପାଇଁ କମ୍ପାନୀ ଏକ ସର୍ତ୍ତ ରଖିଥିଲେ ଯେ ମାସିକ ୫୫୦୦ ମେଟ୍ରିକ ଟନ କାଗଜ ଉତ୍ପାଦନ ହେଲେ ଦରମା ପାଇପାରିବେ। ନଚେତ କର୍ମଚାରୀମାନେ ଅଗ୍ରୀମ ଦରମା ଆକାରରେ ମାସିକ କିଛି ଟଙ୍କା ପାଇପାରିବେ। କଞ୍ଚାମାଲ ଠାରୁ ଆରମ୍ଭ କରି କେମିକାଲ ଓ କୋଇଲା ଆବଶ୍ୟକ ପରିମାଣରେ ନାହିଁ। ଏସବୁର ଅଭାବ ଯୋଗୁଁ କମ୍ପାନୀ ବନ୍ଦ ରହୁଛି ଓ ମେସିନ୍ ଚାଲିପାରୁନାହିଁ। ଏମିତିରେ ୫୫୦୦ ମେଟ୍ରିକ ଟନ୍ କାଗଜ କିଭଳି ଉତ୍ପାଦନ ହେବ ଓ କର୍ମଚାରୀ ଦରମା ପାଇବେ ଜଗି ବସିଛନ୍ତି। ସମ୍ପୂର୍ଣ୍ଣ ଦରମା ତ ମିଳିବା ଦୂରର କଥା ଅଗ୍ରୀମ ଦରମା ମଧ୍ୟ ଗତ ୨ ମାସ ଧରି ପାଇପାରି ନାହାନ୍ତି। ସେପ୍ଟେମ୍ବର, ଅକ୍ଟୋବର ମାସରେ ବିନା ଅଗ୍ରୀମ ଦରମାରେ କାମ କରିଥିବା ବେଳେ ଏବେ ନଭେମ୍ବର ମାସ ମଧ୍ୟ ଶେଷ ହେବାକୁ ଯାଉଛି। ଏଭଳି ସ୍ଥିତିରେ ପରିବାର କେମିତି ଚଳାଇବେ ଗୁଜୁରାଣ କେମିତି ମେଣ୍ଟାଇବେ ବୋଲି କର୍ମଚାରୀମାନେ କହିଛନ୍ତି।
ଗତ ୨ ମାସର ଅ୍ରଗୀମ ଦରମ ପାଇବା ଦାବିରେ ମଙ୍ଗଳବାର ଦିନ ୪ଟି ଶ୍ରମିକ ସଂଗଠନର ପ୍ରତିନିଧି ଓ ସୂମହ ଶ୍ରମିକମାନେ ସିଜିଏମ୍ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ। ପୂର୍ବାହ୍ନ ୧୧ଟାର ଧାରଣାରେ ବସିଥିବା ବେଳେ ଅପରାହ୍ନରେ ସିଜିଏମ୍ ଓ ଡିଜିଏମ୍ ଫୋନ ଯୋଗେ ଉଚ୍ଚ କତୃପକ୍ଷଙ୍କ ସହ ଆଲୋଚନା କରିଥିଲେ। ଦୁଇ ଦିନ ମଧ୍ୟରେ ଗୋଟିଏ ମାସର ଅଗ୍ରୀମ ଦରମା ପ୍ରଦାନ କରାଯିବ ଏବଂ ପରବର୍ତ୍ତୀ ସମୟରେ ଅଲଗା ୨ ମାସର ଦରମା ଦିଅଯିବ ବୋଲି ସିଜିଏମ୍ ପ୍ରତିଶୃତି ଦେଇଥିଲେ। ଅପରାହ୍ନରେ କର୍ମଚାରୀମାନେ ଧାରଣାରୁ ପ୍ରତିହତ ହୋଇ ନିଜ ବିଭାଗକୁ ଯାଇଥିଲେ। ଏଥେିର ସରୋଜ କୁମାର ସୁଆର, ସନ୍ଦୀପ ପଟ୍ଟନାୟକ, ଭଗବାନ ଚୌଧୁରୀ, ଧୀରେନ୍ଦ୍ର ମହାନ୍ତି, ବନମାଳୀ ପାତ୍ର, ବଂଶୀଧର ମହାକୁଡ ସମେତ ସମୂହ କର୍ମଚାରୀମାନେ ଯୋଗ ଦେଇଥିଲେ।