ସରକାରୀ ଶିକ୍ଷାନୁଷ୍ଠାନର ପ୍ରଦର୍ଶନ ନୈରାଶ୍ୟଜନକ, ଦେଶର ଶ୍ରେଷ୍ଠ ଶହେରେ ଓଡ଼ିଶାର ୪ ଶିକ୍ଷାନୁଷ୍ଠାନ

ସୋଆ, କିଟ୍‌, ଏନ୍‌ଆଇଟିର ଉନ୍ନତି, ଖସିଲା ଆଇଆଇଟି
ବିଶ୍ବବିଦ୍ୟାଳୟ ବର୍ଗରେ ୮୭ତମ ସ୍ଥାନରେ ଉତ୍କଳ

ଭୁବନେଶ୍ବର : କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଆଜି ପ୍ରକାଶ ପାଇଥିବା ନ୍ୟାସନାଲ ଇନଷ୍ଟିଚ୍ୟୁସନାଲ୍‌ ରୢାଙ୍କିଙ୍ଗ୍‌ ଫ୍ରେମଵାର୍କ(ଏନ୍‌ଆଇଆରଏଫ୍‌) ମାନ୍ୟତା ତାଲିକାରେ ଓଡ଼ିଶାର ସରକାରୀ ଶିକ୍ଷାନୁଷ୍ଠାନଙ୍କ ନୈରାଶ୍ୟଜନକ ପ୍ରଦର୍ଶନ ଜାରି ରହିଛି। ବିଗତ ବର୍ଷଗୁଡ଼ିକ ପରି ଏଥର ମଧ୍ୟ ରାଜ୍ୟ ସରକାରଙ୍କ କୌଣସି ଗୋଟିଏ ବି ଶିକ୍ଷାନୁଷ୍ଠାନ ସାମଗ୍ରିକ ସଫଳତାକୁ ଆଧାର କରି ପ୍ରକାଶିତ ଶ୍ରେଷ୍ଠ ଶହେ ଭିତରକୁ ଆସିପାରି ନାହାନ୍ତି। ତେବେ ଏହି ଶ୍ରେଷ୍ଠ ଶହେ ତାଲିକାରେ ଓଡ଼ିଶାରୁ ୪ଟି ଶିକ୍ଷାନୁଷ୍ଠାନ ପୂର୍ବ ଭଳି ସ୍ଥାନ ବଜାୟ ରଖିଛନ୍ତି। ଗତବର୍ଷ ୩୮ତମ ସ୍ଥାନରେ ଥିବା ଶିକ୍ଷା ଓ ଅନୁସନ୍ଧାନ(ସୋଆ) ଡିମ୍‌ଡ ବିଶ୍ବବିଦ୍ୟାଳୟ ଏ ବର୍ଷ ଗୋଟିଏ ସ୍ଥାନ ଉପରକୁ ଉଠି ୩୭ତମ ସ୍ଥାନରେ ପହଞ୍ଚିଛି। ସେହିପରି କଳିଙ୍ଗ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ତଷ୍ଟ୍ରିଆଲ ଟେକ୍ନୋଲୋଜି(କିଟ୍‌) ଡିମ୍‌ଡ ବିଶ୍ବବିଦ୍ୟାଳୟ ମଧ୍ୟ ଗତବର୍ଷ ତୁଳନାରେ ଉନ୍ନତ ପ୍ରଦର୍ଶନ କରି ୩୯ତମ ସ୍ଥାନରେ ପହଞ୍ଚିଥିବା ବେଳେ ଏନ୍‌ଆଇଟି ରାଉରକେଲା ୪୧ତମ ଓ ଆଇଆଇଟି ଭୁବନେଶ୍ବର ୫୮ତମ ସ୍ଥାନରେ ରହିଛି। ଉତ୍କଳ ବିଶ୍ବବିଦ୍ୟାଳୟ ୧୦୧ରୁ ୧୫୦ ଶିକ୍ଷାନୁଷ୍ଠାନ ମଧ୍ୟରେ ରହିଥିବା ବେଳେ ସିଭି ରମଣ ଗ୍ଲୋବାଲ ୟୁନିଭରସିଟି, ଏସ୍‌ସିବି ମେଡିକାଲ କଲେଜ ଓ ହସ୍ପିଟାଲ ଏବଂ ଭିସୁଟ୍‌ ବୁର୍ଲା ୧୫୧ରୁ ୨୦୦ ସ୍ଥାନ ମଧ୍ୟରେ ରହିଛନ୍ତି।

ଅନ୍ୟପକ୍ଷରେ ଦେଶର ବିଶ୍ବବିଦ୍ୟାଳୟଗୁଡ଼ିକୁ ନେଇ ପ୍ରସ୍ତୁତ ହୋଇଥିବା ‘ଶ୍ରେଷ୍ଠ ଶହେ ବିଶ୍ବବିଦ୍ୟାଳୟ’ ବର୍ଗରେ ଓଡ଼ିଶାରୁ ୩ଟି ବିଶ୍ବବିଦ୍ୟାଳୟ ସ୍ଥାନ ପାଇଛନ୍ତି। ସୋଆ ୨୦ତମ ସ୍ଥାନରେ ରହିଥିବା ବେଳେ କିଟ୍‌ ୨୧ ଏବଂ ଉତ୍କଳ ବିଶ୍ବବିଦ୍ୟାଳୟ ୮୭ତମ ସ୍ଥାନରେ ରହିଛି। ଉତ୍କଳ ବିଶ୍ବବିଦ୍ୟାଳୟ ଗତବର୍ଷ ତୁଳନାରେ ଏଥର ଉନ୍ନତ ପ୍ରଦର୍ଶନ କରି ୯ଟି ସ୍ଥାନ ଉପରକୁ ଉଠିଛି। ଭିସୁଟ୍‌ ଏହି ବର୍ଗରେ ୧୦୧ରୁ ୧୫୦ ରୢାଙ୍କ୍‌ରେ ରହିଥିବା ବେଳେ ସିଭି ରମଣ ଗ୍ଲୋବାଲ ୟୁନିଭରସିଟି, ସେଞ୍ଚୁରିଆନ୍‌ ବିଶ୍ବବିଦ୍ୟାଳୟ ଓ ଜାଭିଅର ବିଶ୍ବବିଦ୍ୟାଳୟ ୧୫୧ରୁ ୨୦୦ ରୢାଙ୍କ୍‌ ମଧ୍ୟରେ ରହିଛନ୍ତି।

ସେହିପରି ଇଞ୍ଜିନିୟରି˚ କଲେଜ ବର୍ଗରେ ଦେଶର ଶ୍ରେଷ୍ଠ ଦୁଇ ଶହ ମଧ୍ୟରେ ଓଡ଼ିଶାରୁ ୯ଟି ଶିକ୍ଷାନୁଷ୍ଠାନ ସ୍ଥାନ ପାଇଛନ୍ତି। ଏନ୍‌ଆଇଟି ରାଉରକେଲା ୨୦ତମ ସ୍ଥାନ ବଜାୟ ରଖିଛି। ଆଇଆଇଟି ଭୁବନେଶ୍ବର ୨୮, ସୋଆ ୩୨, କିଟ୍‌ ୩୯, ସିଭିରମଣ ୧୦୦ତମ ସ୍ଥାନରେ ରହିଛି। ଭିସୁଟ୍‌ ୧୧୬ତମ ସ୍ଥାନକୁ ଉନ୍ନୀତ ହୋଇଥିବା ବେଳେ ଭୁବନେଶ୍ବରସ୍ଥିତ ସିଲିଅନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି ୧୬୩, ସେଞ୍ଚୁରିଆନ୍‌ ବିଶ୍ବବିଦ୍ୟାଳୟ ୧୮୫, ଆଇଆଇଆଇଟି ଭୁବନେଶ୍ବର ୧୯୦ତମ ସ୍ଥାନରେ ରହିଛି। ଜିଆଇଟିଏ ୨୫୧ରୁ ୩୦୦ତମ ରୢାଙ୍କ୍‌ ମଧ୍ୟରେ ରହିଥିବା ଜଣାପଡ଼ିଛି। ମ୍ୟାନେଜମେଣ୍ଟ ଶିକ୍ଷାନୁଷ୍ଠାନ ବର୍ଗରେ ଓଡ଼ିଶାରୁ ୩ଟି ଶିକ୍ଷାନୁଷ୍ଠାନ ଶ୍ରେଷ୍ଠ ଶହେ ତାଲିକାରେ ରହିଛନ୍ତି। କିଟ୍‌ ୩୧ତମ ସ୍ଥାନରେ ଥିବା ବେଳେ ଜାଭିଅର ବିଶ୍ବବିଦ୍ୟାଳୟ ୩୨, ଆଇଆଇଏମ୍‌, ସମ୍ବଲପୁର ୬୧, ଆଇଏମ୍‌ଆଇ ଭୁବନେଶ୍ବର ୬୨ତମ ସ୍ଥାନରେ ରହିଛି।

ମେଡିକାଲ କଲେଜ ବର୍ଗରେ ଶ୍ରେଷ୍ଠ ୫୦ ଶିକ୍ଷାନୁଷ୍ଠାନ ମଧ୍ୟରେ ସୋଆ ୨୧ତମ ସ୍ଥାନକୁ ଉନ୍ନତି କରିଥିବା ବେଳେ ଭୁବନେଶ୍ବର ଏମ୍‌ସ ୩୧, କିଟ୍‌ ୩୬, ଏସ୍‌ସିବି ମେଡିକାଲ କଲେଜ ୩୯ତମ ସ୍ଥାନରେ ରହିଛି। ଆଇନ ଶିକ୍ଷାନୁଷ୍ଠାନ ବର୍ଗରେ ଶ୍ରେଷ୍ଠ ୩୦ ମଧ୍ୟରେ କିଟ୍‌ ବିଶ୍ବବିଦ୍ୟାଳୟ ୧୦ ଓ ନ୍ୟାସନାଲ ଲ’ ୟୁନିଭରସିଟି ୧୮ତମ ସ୍ଥାନରେ ରହିଛି। ଡେଣ୍ଟାଲ କଲେଜ ବର୍ଗରେ ଦେଶର ଶ୍ରେଷ୍ଠ ୩୦ ଶିକ୍ଷାନୁଷ୍ଠାନ ମଧ୍ୟରେ ସୋଆ ୧୪ ଓ କିଟ୍‌ ୧୭ତମ ସ୍ଥାନରେ ରହିଛି। ଫାର୍ମାସି ଓ ଆର୍କିଟେକ୍‌ ଶିକ୍ଷାନୁଷ୍ଠାନ ବର୍ଗରେ ଓଡ଼ିଶାରୁ କୌଣସି ବି ଗୋଟିଏ ବି ଶିକ୍ଷାନୁଷ୍ଠାନ ତାଲିକାରେ ନ ଥିବା ଦେଖିବାକୁ ମିଳିଛି। ସେହିପରି ଗବେଷଣା ବର୍ଗରେ ବି ରାଜ୍ୟ ସରକାରଙ୍କ କୌଣସି ଶିକ୍ଷାନୁଷ୍ଠାନ ସ୍ଥାନ ପାଇ ନାହାନ୍ତି। ତେବେ କେନ୍ଦ୍ରୀୟ ଶିକ୍ଷାନୁଷ୍ଠାନ ଏନ୍‌ଆଇଟି ରାଉରକେଲା ୩୧ତମ ସ୍ଥାନରେ ଥିବା ବେଳେ ଆଇଆଇଟି ଭୁବନେଶ୍ବର ୪୩ତମ ସ୍ଥାନରେ ରହିଛି।

ଆଜି ମଧ୍ୟାହ୍ନରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ତାଲିକାକୁ ଉନ୍ମୋଚନ କରି କହିଲେ ଯେ ଦେଶର ରୢାଙ୍କିଂ ଫ୍ରେମୱାର୍କରେ ଅଧିକରୁ ଅଧିକ ଶିକ୍ଷାନୁଷ୍ଠାନକୁ ଆଣିବା ପାଇଁ ଆମେ ସାମୂହିକ ଭାବେ କାର୍ଯ୍ୟ କରିବା ସହ ଭାରତକୁ ବିଶ୍ବସ୍ତରୀୟ ଅଧ୍ୟୟନର ପେଣ୍ଠସ୍ଥଳୀ ଭାବେ ପ୍ରତିଷ୍ଠା କରିବାକୁ ହେବ। ଚଳିତବର୍ଷ ଏହି ଫ୍ରେମୱାର୍କରେ ୬ ହଜାର ଶିକ୍ଷାନୁଷ୍ଠାନ ଭାବନେବା ଖୁସିର ବିଷୟ। ଏହି ବ୍ୟବସ୍ଥା ଶିକ୍ଷା, ଶିକ୍ଷାଦାନ, ସମ୍ବଳ, ଗବେଷଣା ଓ ବିଶେଷଜ୍ଞ, ଗ୍ରାଜୁଏଟ ଆଉଟ୍‌କମ୍‌, ଆଉଟରିଚ୍‌ ଓ ଉଚ୍ଚଶିକ୍ଷାକୁ ସର୍ବବ୍ୟାପୀ କରିଛି। ରୢାଙ୍କିଂ ହେଉଛି ଶିକ୍ଷାନୁଷ୍ଠାନର ଗୁଣାତ୍ମକତା ଓ ଉତ୍କର୍ଷର ମାପଦଣ୍ଡ। ଆମକୁ ଆଞ୍ଚଳିକ ରୢାଙ୍କିଂ ଫ୍ରେମୱାର୍କ ମଧ୍ୟ ବିକଶିତ କରିବାକୁ ହେବ। ସୁନିଶ୍ଚିତ କରିବାକୁ ହେବ ଯେ ଆମର ରୢାଙ୍କିଂ ଫ୍ରେମୱାର୍କ କେବଳ ଦେଶରେ ନୁହେଁ, ବରଂ ବିଶ୍ବ ଓ ବିକାଶଶୀଳ ଅର୍ଥନୀତି ପାଇଁ ବେଞ୍ଚମାର୍କ ଭାବେ ଉଭା ହେବ।

ସମ୍ବନ୍ଧିତ ଖବର