ଏମ୍‌ସରେ କାୟାକଳ୍ପ ଟିମର ଅନୁଧ୍ୟାନ; ୧୦ ବିନ୍ଦୁ ଉପରେ ତଦାରଖ

୨୦୧୮,୧୯ର ଗୌରବ ଫେରି ପାଇବା ନେଇ ଆଶା

ଭୁବନେଶ୍ବର: ଦୁଇ ଦିନ ଧରି ଚାଲିଥିବା ଏମ୍‌ସରେ ଚାଲିଥିବା କାୟକଳ୍ପ ଟିମର ଅନୁଧ୍ୟାନ ଶେଷ ହୋଇଛି। ଏଥିପୂର୍ବରୁ ଏହି ଡାକ୍ତରଖାନା ୨୦୧୮, ୨୦୧୯ ମସିହାରେ ଲଗାତାର ଦୁଇ ବର୍ଷ ଧରି ପ୍ରଥମ ସ୍ଥାନ, ୨୦୧୭ ମସିହାରେ ଦ୍ବିତୀୟ ସ୍ଥାନ ଅତ୍କିଆର କରିଥିଲା। ଗୋଟିଏ ବର୍ଷ ବ୍ୟବଧାନ ପରେ ଚଳିତ ବର୍ଷ ପୁଣି ଏମ୍‌ସ ଟିମର ମନ ଜିତି ପୁରସ୍କାର ରାଶି ହାସଲ କରିବ ବୋଲି ଆଶା କରିଛି।

ଏମ୍ସ ଜନସମ୍ପର୍କ ଅଧିକାରୀ ଅତିରିକ୍ତ ପ୍ରଫେସର ପ୍ରଭାସ ତ୍ରିପାଠୀ କହିଛନ୍ତି, ନୂଆଦିଲ୍ଲୀ ସ୍ଥିତ ନେସନାଲ ଇନଷ୍ଟିଚ୍ୟୁଟ ଅଫ ହେଲ୍ଥ ଆଣ୍ଡ ଫେମିଲି ଓ୍ବେଲଫେୟାରର ଡା.ମୀରାମ୍ବିକା ମହାପାତ୍ର, ଡ.ଦିନେଶ ପାଉଲ, ଡ.ରୁପେଶ ଗୁପ୍ତା, ଡ.ମୁକେଶ ରାୟଙ୍କୁ ନେଇ କାୟାକଳ୍ପ ଟିମର ଗଠନ ହୋଇଛି। ଗସ୍ତର ପ୍ରଥମ ଦିନରେ ସେମାନେ ପ୍ରଥମେ ଦାୟିତ୍ବରେ ଥିବା ନିର୍ଦେଶକ ଡ.ମୁକେଶ ତ୍ରିପାଠୀ, ଅଧୀକ୍ଷକ ଡ.ଏସଏନ ମହାନ୍ତି, ଅତିରିକ୍ତ ଅଧୀକ୍ଷକ ଜବାହାର ପିଲ୍ଲେଙ୍କ ସମେତ ବରିଷ୍ଠ ଫାକଲଟିଙ୍କ ସହିତ ବୈଠକ କରିଥିଲେ। ଏହାପରେ ଡାକ୍ତରଖାନା ବୁଲି ଦେଖିଛନ୍ତି। ୧୫ ତାରିଖ ମଧ୍ୟ ଏହି ପରିଦର୍ଶନ ଜାରି ରହିବ।

ବିଶେଷଜ୍ଞଙ୍କ ଅନୁଯାୟୀ, ଘରୋଇ ଡାକ୍ତରଖାନା ତୁଳନାରେ ଉଚ୍ଚମାନର ସ୍ବାସ୍ଥ୍ୟ ସେବା ଦେବା ସତ୍ତ୍ବେ ମଧ୍ୟ ପରିଚ୍ଛନ୍ନତାର ଅଭାବ ଯୋଗୁଁ ସରକାରୀ ଡାକ୍ତରଖାନା ରୋଗୀଙ୍କ ଭରସା ହରାଉଛି। ସଫେଇ ଏବଂ ପରିଚ୍ଛନ୍ନତା ସମସ୍ୟାର ସମାଧାନ ପାଇଁ ସ୍ବଚ୍ଛ ଭାରତ ଅଭିଯାନ ଅନ୍ତର୍ଗତରେ ୨୦୧୬ ମସିହାରୁ କାୟାକଳ୍ପ ଟିମ ସରକାରୀ ଡାକ୍ତରଖାନା ଅନୁଧ୍ୟାନ ଆରମ୍ଭ କରିଥିଲେ। ଏହି ଅବସରରେ ଜାତୀୟ ସ୍ତରୀୟ ପ୍ରତିଷ୍ଠାନ, ଜିଲ୍ଲା ଏବଂ ସିଏଚସି, ପିଏଚସି ମଧ୍ୟରେ ପ୍ରତିଯୋଗିତା କରାଯାଇ ପୁରସ୍କାର ରାଶି ଦିଆଯାଏ। ସମସ୍ୟା ଉପରେ ଆଲୋକପାତ ହୁଏ। ଏଥି ଅନ୍ତର୍ଗତରେ ଟିମ ହସପିଟାଲ ଅପ କିପ, ସାନିଟେସନ ଆଣ୍ଡ ହାଇଜିନ, ହସପିଟାଲ ସପୋର୍ଟ ସର୍ଭିସ, ଓ୍ବେଷ୍ଟ ମ୍ୟାନେଜମେଣ୍ଟ, ଇନଫେକସନ କଣ୍ଟ୍ରୋଲ, ହାଇଜିନ ପ୍ରମୋସନ, ଫିଡବେକ ଆଦି ୧୦ ବିନ୍ଦୂକୁ ନେଇ ଅନୁଧ୍ୟାନ କରିଥାଆନ୍ତି। ଏଥି ଅନ୍ତର୍ଗତରେ ସେମାନେ ଡାକ୍ତରଖାନାର କୋଠାର ରକ୍ଷଣାବେକ୍ଷଣ, କୋଠାର ରଙ୍ଗ, ପାନ ଛେପ, ଜମି ସମତଳ, ଅଗ୍ନିକାଣ୍ଡ ସୁରକ୍ଷା ବ୍ୟବସ୍ଥା, ପେଷ୍ଟ କଣ୍ଟ୍ରୋଲ, ପାଣି ଟାଙ୍କି କେଉଁଠି ରହିଛି, ଶେଷରେ କେବେ ସଫେଇ ହୋଇଥିଲା, ଆସବାବପତ୍ର, ଅବ୍ୟବହୃତ ସାମଗ୍ରୀର ପରିଚାଳନା, ଲୁଗା ସଫେଇ ସେବା, ସୁରକ୍ଷା ସେବା, ଓ୍ବାର୍ଡ, ଆଇସିୟୁ, ଓଟି, ପାଚେରି, ଶୌଚାଳୟର ସଫେଇ ସହିତ ସଫେଇର ସ୍ତର, ସଫେଇ ଦିଗରେ କର୍ମଚାରୀଙ୍କ ପଦକ୍ଷେପ, ବର୍ଜ ବସ୍ତୁ ସହିତ ବର୍ଜ ପାଣି ପରିଚାଳନା, ପରିଚ୍ଛନ୍ନତା ନେଇ ଲୋକ ସଚେତନତା ତଥା ଡାକ୍ତରଖାନା ନେଇ ଲୋକଙ୍କ ମତ ଆଦି ଏମ୍ସର ପ୍ରତ୍ୟେକ ଛୋଟ-ଛୋଟ ବିନ୍ଦୁ ଉପରେ ସମୀକ୍ଷା ହେଉଛି।

ଏହି ଅବସରରେ ପ୍ରତ୍ୟେକ ବର୍ଗର କର୍ମଚାରୀଙ୍କ ମତାମତ ନିଆଯିବା ସହିତ ରେକର୍ଡ ଯାଞ୍ଚ ହୋଇଛି। କାୟକାଳ୍ପ ଆସିବା ପୂର୍ବରୁ ଡାକ୍ତରଖାନା ପ୍ରଥମେ ନିଜେ ଏବଂ ପରେ ତାଙ୍କ ନିକଟସ୍ଥ ଆଉ ଏକ ଡାକ୍ତରଖାନା ଆସେସମେଣ୍ଟ କରିଥାଆନ୍ତି। ଚଳିତ ବର୍ଷ ଏମ୍ସ ଭୁବନେଶ୍ବରର ଆକଳନ ଏମ୍ସ ଭୋପାଳ କରିଥିଲା। ବର୍ଜବସ୍ତୁ ପରିଚାଳନା, ପରିଚ୍ଛନ୍ନତା ଏମ୍ସର ସକରାତ୍ମକ ଦିଗ କିନ୍ତୁ ଯେଉଁ ସଂଖ୍ୟାରେ ଏଠାକୁ ରୋଗୀ ଆସନ୍ତି ସେହିଭଳି କାଉଣ୍ଟର, କ୍ୟାଣ୍ଟିନ କିମ୍ବା ଅନ୍ୟାନ୍ୟ ସୁବିଧା ହୋଇ ନାହିଁ। ଧର୍ମଶାଳା ନିର୍ମାଣ ସମାପ୍ତ ହୋଇନଥିବାରୁ ଲୋକେ ଖୋଲା ଆକାଶତଳେ ରାତିରେ ମଧ୍ୟ ରହୁଛନ୍ତି। ପୂର୍ବତନ ନିର୍ଦେଶକଙ୍କ ସମୟରେ ଫାକଲଟି ଏବଂ ନିର୍ଦେଶକ ବିବାଦ ଥିବାରୁ ଫିଡବେକ ସମସ୍ୟା ଥିଲା। ବର୍ତ୍ତମାନ ଏହା କଣ ରହିଛି ତାହା ସ୍ପଷ୍ଟ ନାହିଁ। କାୟାକଳ୍ପ ଟିମ ରିପୋର୍ଟ ଦେବାପରେହିଁ ସ୍ଥିତି ସ୍ପଷ୍ଟ ହୋଇପାରିବ।

ସମ୍ବନ୍ଧିତ ଖବର