ପୌରସଂସ୍ଥା, ମହାନଗର ନିଗମମାନଙ୍କର ପ୍ରଦର୍ଶନ ସମୀକ୍ଷା

ଭୁବନେଶ୍ବର : ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ବିଭିନ୍ନ ନଗର ନିଗମମାନଙ୍କର କ୍ଲଷ୍ଟରୱାରି ପ୍ରଦର୍ଶନ ସମୀକ୍ଷା ଆରମ୍ଭ କରିଛି। ଛତ୍ରପୁର ଡିଆରଡିଏ କନ୍‌ଫରେନ୍ସ ହଲ୍‌ରେ ଆୟୋଜିତ ବୈଠକରେ ୩ଟି ଜିଲ୍ଲା ଗଞ୍ଜାମ, ଗଜପତି ଓ କନ୍ଧମାଳର ୨୩ଟି ମ୍ୟୁନିସିପାଲିଟିର ସମୀକ୍ଷା ହୋଇଛି। ବିଭାଗୀୟ ପ୍ରମୁଖ ଶାସନ ସଚିବ ଜି. ମାଥିଭଥାନନ୍‌ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ବିଭିନ୍ନ ପ୍ରକଳ୍ପ କିଭଳି ଉଚିତ ସମୟରେ ସରିବ, ତାହା ଉପରେ ଗୁରୁତ୍ବାରୋପ କରାଯାଇଛି। ବିଶେଷକରି ସୁଜଳ-ଡ୍ରିଙ୍କ୍‌ ଫ୍ରମ୍‌ ଟ୍ୟାପ୍ ମିସନ୍ ତଥା ପାଇପ୍ ଜଳଯୋଗାଣ, ଜାଗା ମିସନ୍, ମୁକ୍ତା, ଆହାର, ସହରୀ ପରିମଳ, ଓ ସ୍ମାର୍ଟ ଏଲ୍‌ଇଡି ଲାଇଟ୍ ପ୍ରଭୃତି ପ୍ରକଳ୍ପର ସମୀକ୍ଷା କରାଯାଇଥିଲା। ପ୍ରତ୍ୟେକ କ୍ଷେତ୍ରରେ ନାଗରିକମାନଙ୍କ ସହଭାଗିତା ରହିବା ସହ ଜନସେବା ପ୍ରଦାନ କିଭଳି ପ୍ରାଧାନ୍ୟ ଦିଆଯିବ, ତାହା ଉପରେ ଗୁରୁତ୍ବ ଦିଆଯାଇଛି। ଶତପ୍ରତିଶତ ପାନୀୟ ଜଳଯୋଗାଣ କରିବାକୁ ୱାଟ୍‌କୋ ଓ ଜନସ୍ବାସ୍ଥ୍ୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। କାର୍ଯ୍ୟର ଗୁଣବତ୍ତା ଯାଞ୍ଚ କରିବାକୁ ଜିଲ୍ଲାପାଳଙ୍କୁ କୁହାଯାଇଛି। ଏହି ସବୁ ଯୋଜନା ସହରାଞ୍ଚଳରେ ବେଶ୍‌ ଆଦୃତ ହୋଇଛି।

ପୌରପ୍ରଶାସନ ନିର୍ଦ୍ଦେଶକ ସଂଗ୍ରାମଜିତ ନାୟକ ଓ ଯୁଗ୍ମ ସଚିବ ତଥା ସୁଡା ନିର୍ଦ୍ଦେଶକ ସାରଦା ପ୍ରସାଦ ପଣ୍ଡା ବିଭିନ୍ନ ଯୋଜନା ଓ ପ୍ରକଳ୍ପର ସମୀକ୍ଷା କରିଥିବା ବେଳେ ଗଞ୍ଜାମ, ଗଜପତି, କନ୍ଧମାଳର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର