‘ବୋଧହୁଏ ଭକ୍ତଙ୍କ ପାଇଁ ଅଟକି ଯାଇଥିଲେ ମହାପ୍ରଭୁ'

ଉଚ୍ଚସ୍ତରୀୟ ତଦନ୍ତ ହେବ: ମୁଖ୍ୟ ପ୍ରଶାସକ

‘ବୋଧହୁଏ ଭକ୍ତଙ୍କ ପାଇଁ ଅଟକି ଯାଇଥିଲେ ମହାପ୍ରଭୁ'

ପୁରୀ : ରଥ ପହଞ୍ଚିବାରେ ବିଳମ୍ବକୁ ନେଇ ତମ୍ବିତୋଫାନ ଚାଲିଥିବାବେଳେ ଏହାର ଉଚ୍ଚସ୍ତରୀୟ ତଦନ୍ତ ହେବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଂଜନ କୁମାର ଦାସ କହିଛନ୍ତି।

ମୁଖ୍ୟ ପ୍ରଶାସକ ଶ୍ରୀ ଦାସ କହିଛନ୍ତି, ଗତକାଲି ଠାକୁର ରଥ ଉପରକୁ ନିର୍ଦ୍ଧାରିତ ସମୟରେ ଆସିଥିଲେ। ରଥଟଣା ବି ନିର୍ଦ୍ଧାରିତ ସମୟର ଘଣ୍ଟାଏ ପୂର୍ବରୁ ହୋଇଥିଲା। କିନ୍ତୁ, ମହାପ୍ରଭୁଙ୍କ ଇଚ୍ଛା। ସେ କେତେବେଳେ ଭକ୍ତଙ୍କ ଅପେକ୍ଷାରେ ବୋଧେ ଥା’ନ୍ତି। ଏଭଳି ଅନେକ ଉଦାହରଣ ଆଗରୁ ରହିଛି। କେହି ଜଣେ ସାଲବେଗ ବୋଧହୁଏ ଆସୁଥିବ, କେହି ଜଣେ ବନ୍ଧୁ ମହାନ୍ତି କେଉଁଠି ଅପେକ୍ଷା କରିଥିବ, ସେଥିପାଇଁ ବୋଧହୁଏ ମହାପ୍ରଭୁ ତାଙ୍କ ଦର୍ଶନ ଦେବାକୁ ବାଟରେ ଅଟକି ଗଲେ। ତଥାପି ରଥ ଶରଧାବାଲିରେ ପହଞ୍ଚିବାରେ କାହିଁକି ବିଳମ୍ବ ହେଲା, ଆମେ ତାର ତର୍ଜମା କରୁଛୁ ବୋଲି ଶ୍ରୀ ଦାସ କହିଛନ୍ତି।

ସେ ମଧ୍ୟ କହିଛନ୍ତି ଯେ ଆଜି ତିନି ଦିଅଁ ମୁକ୍ତ ପରିବେଶରେ ଭକ୍ତଙ୍କୁ ଦର୍ଶନ ଦେବେ। କାରଣ ଆଡ଼ପ ମଣ୍ଡପକୁ ବିଜେ ପରେ ଭକ୍ତଙ୍କ ସଂଖ୍ୟା ଦର୍ଶନରେ ବାଧକ ସାଜେ। ଭଲରେ ଦର୍ଶନ ହୋଇପାରେନି। ଆସନ୍ତାକାଲି ଅପରାହ୍ନ ୩ଟାରୁ ୪ଟା ଭିତରେ ଆଡ଼ପ ପହଣ୍ଡି ଆରମ୍ଭ ହେବ। ପହଣ୍ଡି ପୂର୍ବରୁ ଅର୍ଥାତ୍‌ ଅପରାହ୍ନ ପର୍ଯ୍ୟନ୍ତ ଭକ୍ତମାନେ ରଥାରୁଢ଼ ଠାକୁରଙ୍କୁ ଦର୍ଶନ କରିପାରିବେ ବୋଲି ଶ୍ରୀ ଦାସ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe