ଖୋର୍ଦ୍ଧା: ରାଜୁଆ ନଦୀ (ଦୟାନଦୀର ଶାଖାନଦୀ)କୁ ଖୋର୍ଦ୍ଧାର ଦୁଃଖ ବୋଲି କହିଲେ ଅତ୍ୟୁକ୍ତ ହେବନାହିଁ। କେବଳ ବଢ଼ି ନୁହେଁ, ରାଜୁଆ ନଦୀର ଜଳ ପରିଚାଳନାରେ ପ୍ରାଶାସନିକ ଅବ୍ୟବସ୍ଥା ଓ ବିଚାରହୀନତା ମଧ୍ୟ ଏହାର ଅନ୍ୟତମ କାରଣ। ରାଜୁଆ ନଦୀରେ ବ୍ୟାରେଜ ନିର୍ମାଣ ହେଉ କିମ୍ବା ପାଣ୍ଡିଆବିଲି ନିକଟରେ ସ୍ଥାୟୀ ବନ୍ଧ ଗତ ଦୁଇ -ତିନି ଦଶନ୍ଧୀ ଧରି ଏହା ବିଭିନ୍ନ କାରଣରୁ ଅଟକିରହିଛି। ରାଜୁଆ ବ୍ୟାରେଜ୍ର ନିର୍ମାଣ ୯୦ ପ୍ରତିଶତ ଶେଷ ହୋଇଥିବା ବେଳେ ଏହାର କେନାଲ୍ରେ ପାଣି ଆସୁନଥିବା ବେଳେ ନିକଟରେ କେନ୍ଦ୍ରୀୟ ଜଳସେଚ ସର୍କିଲର ଅତିରିକ୍ତ ମୁଖ୍ୟ ଯନ୍ତ୍ରୀଙ୍କ ଚିଠି ପରେ ପାଣ୍ଡିଆବିଲିଠାରେ ଏକ ସ୍ଥାୟୀ ସୁରକ୍ଷା-ବନ୍ଧ ନିର୍ମାଣ ନେଇ ଅନିଶ୍ଚିତତା ସୃଷ୍ଟି ହୋଇଛି।
ପାଣ୍ଡିଆବିଲି ଠାରେ ଅସ୍ଥାୟୀ ଚେକ୍ଡ୍ୟାମ୍ (ସୁରକ୍ଷା ବନ୍ଧ) ପରିବର୍ତେ ଏକ ସ୍ଥାୟୀ ବନ୍ଧ ନିର୍ମାଣ କରିବାକୁ ଗତ ଦୁଇ ବର୍ଷ ହେଲା ଦାବି ହୋଇଆସୁଛି। ଚଳିତ ବର୍ଷ ମାର୍ଚ୍ଚ ଓ ଅପ୍ରିଲ୍ ମାସରେ ଓରବରସିଂହ, ନରଣଗଡ଼, ବ୍ରଜମୋହନପୁର, ଦିବ୍ୟସିଂହପୁର ଆଦି ପଂଚାୟତର ବାସିନ୍ଦା ଜିଲ୍ଲାପାଳଙ୍କୁ ଏକାଧିକ ଥର ସାକ୍ଷାତ କରି ଏକ ସ୍ଥାୟୀ ସୁରକ୍ଷା ବନ୍ଧ ନିର୍ମାଣ କରିବାକୁ ଦାବି କରିଥିଲେ। ଏନେଇ ଜିଲ୍ଲାପାଳ ମଧ୍ୟ ୨୪ ଅପ୍ରିଲ୍ ୨୦୨୩ରେ ବିଭାଗୀୟ ମୁଖ୍ୟଯନ୍ତ୍ରୀଙ୍କୁ ଚିଠି ଲେଖି ଆବଶ୍ୟକ ବ୍ୟବସ୍ଥା କରିବାକୁ ଅନୁରୋଧ କରିଥିଲେ। ୨୪ ମଇ ୨୦୨୩ର ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକରେ ମଧ୍ୟ ଏନେଇ ଆଲୋଚନା ହୋଇଥିଲା। ଏହାପରେ ଖୋର୍ଦ୍ଧା ଜଳସେଚ ଯନ୍ତ୍ରୀ, ଖୋର୍ଦ୍ଧା କ୍ଷୁଦ୍ର ଜଳସେଚନ ଯନ୍ତ୍ରୀ, ଖୋର୍ଦ୍ଧା ଉପଜିଲ୍ଲାପାଳ, ରାଜୁଆ ଜଳସେଚନ ଉପଖଣ୍ଡର ସହକାରୀ ଯନ୍ତ୍ରୀଙ୍କୁ ନେଇ ଏକ କମିଟି ସ୍ଥାନୀୟ ଜନସାଧାରଣଙ୍କ ଉପସ୍ଥିତିରେ ପାଣ୍ଡିଆବିଲି ଠାରେ ସ୍ଥାୟୀ ସୁରକ୍ଷା ବନ୍ଧ ନିର୍ମାଣ ପ୍ରସ୍ତାବର ଯାଂଚ ପାଇଁ ଯାଇଥିଲେ। ଏହି ଯାଂଚ ସମୟରେ ଦୟାନଦୀର ପାଣ୍ଡିଆବିଲି ଏକ ଅସ୍ଥାୟୀ ଡ୍ୟାମ ନିର୍ମାଣ କରି ରବି ଫସଲକୁ ପାଣି ଯୋଗାଇବା ଓ ଆଖପାଖର ଗାଁକୁ ଯାତାୟତର ବ୍ୟବସ୍ଥା କରିବାକୁ ପ୍ରସ୍ତାବ ଦେଇଥିଲେ।
ବର୍ତମାନ, ମହାନଦୀ-କାଠଯୋଡ଼ି ନଦୀ ଉପତ୍ୟାକାର ମୁଖ୍ୟଯନ୍ତ୍ରୀ ତଥା ଉପତ୍ୟାକା ପରିଚାଳକ ନିକଟକୁ କେନ୍ଦ୍ରୀୟ ଜଳସେଚ ସର୍କିଲର ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ଚିଠି ଲେଖି ସେଠାରେ ସ୍ଥାୟୀ ବନ୍ଧ ନିର୍ମାଣ ଦ୍ବାରା ବନ୍ୟା ସମସ୍ୟା ବୃଦ୍ଧି ପାଇବ ବୋଲି ଆଶଙ୍କା ବ୍ୟକ୍ତ କରିଛନ୍ତି। ଜୁଲାଇ ୧୨ ତାରିଖରେ ଦେଇଥିବା ଚିଠିରେ ଦର୍ଶାଇଛନ୍ତି ଯେ ରାଜୁଆ ଡାଇଭର୍ସନ ୱେୟରର କ୍ରେଷ୍ଟସ୍ତରକୁ ୩.୫୦ ମିଟର ବୃଦ୍ଧି କରିବାକୁ ପ୍ରସ୍ତାବ ରହିଛି। ରାଜୁଆ ନଦୀର ବାମ ଓ ଦକ୍ଷୀଣ କେନାଲ୍ର ପୃଷ୍ଠ ଯଥାକ୍ରମେ ୩.୫୦ ଓ୩.୪୦ ମିଟର ରହିଛି। ପାଣ୍ଡିଆବିଲି ଠାରେ (ଆର୍ଡି୨୦)ରାଜୁଆ ନଦୀର ପୃଷ୍ଠ ୨.୩୬ ମିଟର ରହିଛି। ଏହି ପରିପ୍ରେକ୍ଷୀରେ ଆକଳନ ପରେ କେନାଲ୍ର ଶେଷ ମୁଣ୍ଡକୁ ଜଳ ଯୋଗାଣ ପାଇଁ ଦୟାନଦୀରେ ୨.୫୪ ମିଟିର ସ୍ଥାୟୀ ସୁରକ୍ଷା ବନ୍ଧ ନିର୍ମାଣ ଦ୍ବାରା ବନ୍ୟା ସମୟରେ ରାଜୁଆ ନଦୀର ବନ୍ଧକୁ ବିପଦ ସୃଷ୍ଟି ହେବ, କାରଣ ୨୦୧୪ରେ ରାଜୁଆ ନଦୀର ସର୍ବାଧିକ ବନ୍ୟାଜଳ ପତ୍ତନ ୭.୮୦ ମିଟର ରହିଥିଲା।
ସୂଚନାଯୋଗ୍ୟ, ସ୍ଥାନୀୟ ବାସିନ୍ଦାଙ୍କ କହିବାନୁସାରେ, ରାଜୁଆ ନଦୀରେ ପ୍ରତିବର୍ଷ ରବି ଫସଲ ସମୟରେ ଗ୍ରାମବାସୀମାନେ ନିଜ ଖର୍ଚ୍ଚରେ ବାଲିବସ୍ତା ଦେଇ ଏକ ଅସ୍ଥାୟୀ ବନ୍ଧ ନିର୍ମାଣ କରିଥାନ୍ତି। ଏହାଦ୍ବାରା ୧୨ଶହ ହେକ୍ଟର ଚାଷ ଜମିକୁ ପାଣିମିଳିଥାଏ। ୨୦୨୨ରେ ଏହି ଅସ୍ଥାୟୀ ନଦୀବନ୍ଧଟି ଭାଙ୍ଗିଯାଇଥିଲା। ଏଣୁ ସେଠାରେ ସ୍ଥାୟୀ ବନ୍ଧ ନିର୍ମାଣ କରାଗଲେ ପ୍ରତିବର୍ଷ ରବି ଋତୁରେ ଚାଷ ଜମିକୁ ଜଳମିଳିବ।