ସମ୍ବଲପୁର: ବୀର ସୁରେନ୍ଦ୍ର ସାଏ ଆର୍ୟୁବିଜ୍ଞାନ ଗବେଷଣା ପ୍ରତିଷ୍ଠାନ (ଭିମସାର) ଏବଂ ଆଚାର୍ଯ୍ୟ ହରିହର ପୋଷ୍ଟ ଗ୍ରାଜୁଏଟ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ କ୍ୟାନସର, ଉଭୟ ସ୍ବୟଂଶାସିତ ଅନୁଷ୍ଠାନ। ଆଚାର୍ଯ୍ୟ ହରିହର ଆଞ୍ଚଳିକ କର୍କଟ କେନ୍ଦ୍ର ନିଜ ପାଇଁ ଡାକ୍ତର ନିଯୁକ୍ତି କରିପାରୁଛି, କିନ୍ତୁ ଭିମସାରରେ ସ୍ଥାୟୀ ଡାକ୍ତର ନିଯୁକ୍ତି ୨୦୧୮ ମସିହାରୁ ଏବଂ ଅସ୍ଥାୟୀ ଡାକ୍ତର ନିଯୁକ୍ତି ୨୦୨୪ ମସିହାରୁ ବନ୍ଦ ରହିଛି। ଏଥି ଯୋଗୁଁ ଭିମସାରରେ ଖୋଲାଯାଇଥିବା ସୁପରସ୍ପେସାଲିଟି ଡାକ୍ତରଖାନା ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକ୍ଷମ ହୋଇପାରୁ ନାହିଁ। ୨୦୧୫ ମସିହା ଜାନୁଆରି ୧ ତାରିଖରେ ଭିମସାରକୁ ରାଜ୍ୟର ପ୍ରଥମ ଓ ଏକମାତ୍ର ମେଡିକାଲ୍ କଲେଜ୍ ଓ ହସ୍‌ପିଟାଲ୍ ଭାବେ ସ୍ବୟଂଶାସିତ ମାନ୍ୟତା ଦିଆଯାଇଥିଲା। ନିୟମ ଦୃଷ୍ଟିରୁ ସେହିଦିନଠାରୁ ଭିମସାର ଡାକ୍ତର ନିଯୁକ୍ତି, ପରୀକ୍ଷା ପରିଚାଳନା, ଉପକରଣ କ୍ରୟଠୁ ଆରମ୍ଭ କରି ସମସ୍ତ ପ୍ରକାର ଆର୍ଥିକ, ଅଣଆର୍ଥିକ, ପ୍ରଶାସନିକ ଓ ଶୈକ୍ଷିକ ପରିଚାଳନାର କ୍ଷମତା ପାଇଥିଲା। ଭିମସାରର ପ୍ରଥମ ନିର୍ଦ୍ଦେଶକ ପ୍ରଫେସର ଅଶ୍ବିନୀ ପୂଜାହାରୀଙ୍କ କାର୍ଯ୍ୟକାଳ ସମୟରେ ସ୍ବୟଂଶାସନର ସବୁଠୁ ବଡ଼ଲାଭ ଭିମସାରକୁ ମିଳିଥିଲା। ୨୦୧୮ ମସିହାରେ ଭିମସାର ନିଜ ପକ୍ଷରୁ ଡାକ୍ତର ନିଯୁକ୍ତି ଦେଇ ଡାକ୍ତରୀ ସମସ୍ୟା ଦୂର ପାଇଁ ବଡ଼ ପଦକ୍ଷେପ ନେଇଥିଲା। ଆଶା ଥିଲା, ଏଣିକି ଡାକ୍ତର ନିଯୁକ୍ତି ପାଇଁ ସ୍ବାସ୍ଥ୍ୟ ବିଭାଗ କିମ୍ବା ଭୁବନେଶ୍ବରର ନିଷ୍ପତ୍ତିକୁ ଆଉ ଅପେକ୍ଷା କରିବାକୁ ପଡ଼ିବ ନାହିଁ। ନିୟମିତ ବ୍ୟବଧାନରେ ଭିମସାର ନିଜେ ନିଯୁକ୍ତି ଦେବ। କିନ୍ତୁ ଏହା ସମ୍ଭବ ହେଲା ନାହିଁ।

Advertisment

ବର୍ଷେ ହେଲା ଅସ୍ଥାୟୀ ନିଯୁକ୍ତି ବି ହୋଇନି, ନାଁକୁ ସ୍ବୟଂଶାସିତ

ପରବର୍ତ୍ତୀ ନିର୍ଦ୍ଦେଶକମାନଙ୍କ ସମୟରେ ଭିମସାରରେ ଆଉ ସ୍ଥାୟୀ ଡାକ୍ତର ନିଯୁକ୍ତି ହେଲା ନାହିଁ। ବରଂ ଖାଲି ଡାକ୍ତର ପଦ ପୂରଣ ପାଇଁ ଭିମସାର ପକ୍ଷରୁ ଓପିଏସ୍‌ସିକୁ ଅନୁରୋଧ କରାଯାଇଥିଲା। ନିଜ ପାଖରେ ଥିବା ଡାକ୍ତର ନିଯୁକ୍ତି କ୍ଷମତା ପ୍ରତ୍ୟାହାର ପାଇଁ ଭିମସାର କର୍ତ୍ତୃପକ୍ଷ ଏକାଧିକବାର ସ୍ବାସ୍ଥ୍ୟ ବିଭାଗକୁ ଚିଠି ଲେଖି ଆସୁଛନ୍ତି। କେବଳ ଦାୟିତ୍ବ ଖସାଇବା ଆଭିମୁଖ୍ୟ ନେଇ ଭିମସାର କର୍ତ୍ତୃପକ୍ଷ ନିଜ ପକ୍ଷରୁ ଡାକ୍ତର ନିଯୁକ୍ତି ଦେଉନଥିବାରୁ ଗେଷ୍ଟ୍ରୋଏଣ୍ଟ୍ରୋଲୋଜି, ଏଣ୍ଡ୍ରୋକ୍ରାଇନୋଲଜି, ହେମାଟୋଲଜି ଭଳି ସୁପରସ୍ପେସାଲିଟି ବିଭାଗରେ ଆଜି ପର୍ଯ୍ୟନ୍ତ ଡାକ୍ତର ନିଯୁକ୍ତି ହୋଇ ପାରୁନାହିଁ। ନେଫ୍ରୋଲୋଜି ବିଭାଗ ଅସ୍ଥାୟୀ ଡାକ୍ତରଙ୍କ ଭରସାରେ ଚାଲିଛି। ହୃଦ୍‌ରୋଗ, ପ୍ଲାଷ୍ଟିକ ସର୍ଜରି, ଶିଶୁଶଲ୍ୟ ବିଭାଗରେ ଅନେକ ପଦ ଖାଲି ରହିଛି।

ଏହା କେବଳ ଉଦାହରଣ ମାତ୍ର, ଭିମସାରର ସବୁ ବିଭାଗରେ ଡାକ୍ତର ଓ କର୍ମଚାରୀ ପଦ ଖାଲିପଡ଼ିଛି। ନୂଆ ସରକାର ଆସିବା ପରେ ସ୍ଥିତିରେ କୌଣସି ପରିବର୍ତ୍ତନ ଆସିନାହିଁ, ବରଂ ଅବସ୍ଥା ଆହୁରି ଜଟିଳ ହୋଇପଡ଼ିଛି। ଭିମସାରରେ ଥିବା ଅସ୍ଥାୟୀ ନିର୍ଦ୍ଦେଶକଙ୍କ ଅବସର ପରେ ନୂଆ ନିଯୁକ୍ତି ବଦଳରେ ଡିଏମ୍‌ଇଟିଙ୍କୁ ଭିମସାର ନିର୍ଦ୍ଦେଶକର ଅତିରିକ୍ତ ଦାୟିତ୍ବ ଦିଆଯାଇଛି। ଅସ୍ଥାୟୀ ନିଯୁକ୍ତି ମାଧ୍ୟମରେ ଯେଉଁଭଳି ଭାବରେ କାମ ଚଳାଯାଉଥିଲା, ତାହା ମଧ୍ୟ ବାଧାପ୍ରାପ୍ତ ହୋଇଛି। ବର୍ଷେରୁ ଅଧିକ ସମୟ ହେଲା ଭିମସାରରେ ଅସ୍ଥାୟୀ ଡାକ୍ତର ନିଯୁକ୍ତି ମଧ୍ୟ ହୋଇ ନାହିଁ। ଅନ୍ୟପକ୍ଷରେ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ର କିନ୍ତୁ ଚଳିତ ବର୍ଷ ୧୭ଟି ଗୁରୁତ୍ବପୂର୍ଣ୍ଣ ପଦରେ ନିଜ ତରଫରୁ ନିଯୁକ୍ତି ଦେଇ ଡାକ୍ତର ସମସ୍ୟା ସମାଧାନ ଦିଗରେ ବଡ଼ ପଦକ୍ଷେପ ନେଇଛି। ଯଦି ଆଚାର୍ଯ୍ୟ ହରିହର କର୍ତ୍ତୃପକ୍ଷ ନିଜେ ଡାକ୍ତର ନିଯୁକ୍ତି କରିପାରୁଛନ୍ତି, ଭିମସାର କାହିଁକି ଓପିଏସ୍‌ସି କିମ୍ବା ସ୍ବାସ୍ଥ୍ୟବିଭାଗକୁ ଅପେକ୍ଷା କରୁଛି, ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।