ଖୋର୍ଦ୍ଧା: ଗତକାଲି ରାଜ୍ୟ କ୍ୟାବିନେଟ୍ ବୈଠକରେ ଓଡ଼ିଶାର ଉପକୂଳବର୍ତୀ ୯ଟି ବନ୍ୟା ପ୍ରବଣ ଜିଲ୍ଲାରେ ଚାଷ ଜମିର ସୁରକ୍ଷା ଓ ବଢ଼ି ସମୟରେ ଗମନାଗମନ ପାଇଁ ଡ୍ରେନେଜ୍ ଉନ୍ନତି କାର୍ଯ୍ୟକ୍ରମକୁ ଆଉ ୫ ବର୍ଷ ପାଇଁ ବୃଦ୍ଧି କରାଯିବା ସହ ଅଧିକ ଅନୁଦାନର ବ୍ୟବସ୍ଥା କରିଛନ୍ତି । ଆଗାମୀ ଦିନରେ ଖୋର୍ଦ୍ଧା ଜିଲ୍ଲା ସଦର ମହକୁମାରେ ଡ୍ରେନେଜ୍ ଡିଭିଜନର ସ୍ୱକାର୍ଯ୍ୟାଳୟ ନିର୍ମାଣ ପାଇଁ ପାଇଁ ଉଦ୍ୟମ ଚାଲିଛି ଓ ଖୁବ୍ ଶୀଘ୍ର ଏହା ଫଳବତୀ ହେବ ବୋଲି ଆଜି ଖୋର୍ଦ୍ଧା ଜିଲ୍ଲା ବିଜେଡି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ଖୋର୍ଦ୍ଧା ବିଧାୟକ ଜ୍ୟୋତିରୀନ୍ଦ୍ର ନାଥ ମିତ୍ର କହିଛନ୍ତି ।
ରାଜ୍ୟ କ୍ୟାବିନେଟ୍ର ନିଷ୍ପତ୍ତି ସମ୍ପର୍କରେ ଶ୍ରୀମିତ୍ର କହିଛନ୍ତି ଯେ ଜିଲ୍ଲାର ଅନେକ ପଂଚାୟତ ଓ ପୁରୀ ଜିଲ୍ଲାର ଖୋର୍ଦ୍ଧା ସୀମାବର୍ତ୍ତୀ ଅଂଚଳ ବର୍ଷାଋତୁ ଓ ମହାନଦୀର ପଛୁଆ ପାଣି ଯୋଗୁଁ ବନ୍ୟା ହୁଏ । ବନ୍ୟା ସମୟରେ ଅତିରିକ୍ତ ବଢ଼ି ପାଣିର ନିଷ୍କାସନ, ଚାଷ ଜମିକୁ ଜଳବନ୍ଦୀରୁ ମୁକ୍ତ କରିବା ଓ ବଢ଼ି ସମୟରେ ଚାଷ ଜମି ମଧ୍ୟରେ ଗମନାଗମନର ସୁଗମତା ପାଇଁ ରାଜ୍ୟ ସରକାର ୨୦୧୪-୧୫ରୁ ୨୦୧୮-୧୯ ପାଇଁ ଡ୍ରେନେଜ୍ ଉନ୍ନତି କାର୍ଯ୍ୟକ୍ରମ କରିଥିଲେ । ପରବର୍ତ୍ତୀ ସମୟରେ ଏହାକୁ ୨୦୨୩-୨୪ ଯାଏଁ ବୃଦ୍ଧି କରାଯାଇଥିଲା । ବର୍ତ୍ତମାନ ଏହାକୁ ୨୦୨୭-୨୮ ଯାଏଁ ବୃଦ୍ଧି କରାଯାଇଛି । ଏହାଦ୍ୱାରା ଚାଷୀ ଓ ଚାଷ ଜମିର ଫସଲ ସୁରକ୍ଷିତ ହୋଇପାରିବ । କ୍ୟାବିନେଟ୍ ନିଷ୍ପତ୍ତି ପରେ ଖୋର୍ଦ୍ଧା ଓ ନୟାଗଡ଼କୁ ନେଇ ଗଠିତ ଡ୍ରେନେଜ୍ ଡିଭିଜନର ୫୩୮ କିମି ଡ୍ରେନେଜ୍ କାମ ସହ ୮୩୦୦ ହେକ୍ଟର ଜମିକୁ ଜଳବନ୍ଦୀରୁ ମୁକ୍ତ କରିବାକୁ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକାରୀ ହେବ । ଏହାର ସୁପରିଚାଳନା ପାଇଁ ଦୁଇ ବର୍ଷ ପୂର୍ବେ ସ୍ଥାପିତ ହୋଇଥିବା ଡ୍ରେନେଜ୍ ଡିଭିଜନ କାର୍ଯ୍ୟାଳୟର ସ୍ଥାୟୀ କାର୍ଯ୍ୟାଳୟ ଗୃହ ପାଇଁ ସରକାରଙ୍କୁ ଅନୁରୋଧ କରାଯାଇଛି । ଖୁବ୍ ଶୀଘ୍ର ଏହା ଖୋର୍ଦ୍ଧା ଠାରେ ନିର୍ମିତ ହେବ ବୋଲି ଶ୍ରୀ ମିତ୍ର କହିଛନ୍ତି ।
ସ୍ଥାନୀୟ ଦଳୀୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସଭାପତି ବିଭୂତି ବଳବନ୍ତରାୟ, ଜିଲ୍ଲା ପରିଷଦ ସଭାପତି ରୂପଶ୍ରୀରାଣୀ ଗୁମାନସିଂହ, ଖୋର୍ଦ୍ଧା ବ୍ଲକ ଉପାଧ୍ୟକ୍ଷ ପ୍ରକାଶ ସାମନ୍ତରାୟ, ଜିଲ୍ଲା ବିଜେଡି ସମ୍ପାଦକ ଦିଲିପ ହୋତା, ମହିଳା ନେତ୍ରୀ ଗୀତାଂଜଳି ପାଟ୍ଟଷାଣୀ, ଛାତ୍ର ବିଜେଡି ସଭାପତି ବିଶ୍ୱଦୀପ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/02/Khordha-BJD-ra-Sambadika-sammilani.jpeg)