ବନ୍ଦୋବସ୍ତରୁ ବାଦ ପଡ଼ିଛି ଦାନଗଦୀ ଏବଂ ସୁକିନ୍ଦା ତହସିଲର ୨୯ ଗୋଟି ରାଜସ୍ୱ ଗ୍ରାମ

ଦାନଗଦୀ : ଦାନଗଦୀ ଏବଂ ସୁକିନ୍ଦା ତହସିଲର ୨୯ ଗୋଟି ରାଜସ୍ୱ ଗ୍ରାମ ବନ୍ଦୋବସ୍ତ ପ୍ରକ୍ରିୟାରୁ ବାଦ୍ ପଡିଛି । ବନ୍ଦୋବସ୍ତ ଶେଷ ହୋଇ ନଥିବାରୁ ଜମି ମାଲିକାନା ସ୍ବତ୍ୱ ପାଇଁ ହକଦାର ଥିବା ସାଧାରଣ ନାଗରିକର ସ୍ୱାର୍ଥ ଆଇନର ଅର୍ଗଳିରେ ଅଟକି ରହିଛି। ଶିଳ୍ପାୟନ ପାଶ୍ୱର୍ବର୍ତୀ ଅଂଚଳରେ ଏଥିପାଇଁ ଗୁରୁତର ସମସ୍ୟା ଉପୁଜିଛି । ସାତ ପୁରୁଷର ନିଜ ଭିଟାମାଟି ଓ ଚାଷ ଜମିକୁ ନିଜର କହିବାର ଆଇନଗତ ଅଧିକାରରୁ ବଞ୍ଚିତ ହୋଇଛନ୍ତି ଏଠାକାର ସାଧାରଣ ଲୋକେ। ଏହା ଫଳରେ ରାଜସ୍ୱ ଆଦାୟ ମଧ୍ୟ ଗୁରୁତର ଭାବେ ପ୍ରଭାବିତ ହେଉଥିବାରୁ ଯାଜପୁର ଜିଲ୍ଲାପାଳ ରଞ୍ଜନ କୁମାର ଦାଶ ବାଦ ପଡିଥିବା ଗ୍ରାମ ମାନଙ୍କରେ ତୁରନ୍ତ ବନ୍ଦୋବସ୍ତ ସାରିବାକୁ ରାଜସ୍ୱ ପର୍ଷଦ ଏବଂ ରାଜ୍ୟ ସରକାରଙ୍କୁ ପତ୍ର ଲେଖିବା ସହ ଆବଶ୍ୟକ ସଂଖ୍ୟକ ଅଭିଜ୍ଞ କର୍ମଚାରୀଙ୍କ ଦ୍ୱାରା ବନ୍ଦୋବସ୍ତ ଏବଂ ରେକର୍ଡ ଯାଞ୍ଚ ପ୍ରକ୍ରିୟା ଶେଷ କରିବାକୁ ନିର୍ଦ୍ଦେଶ କରିଛନ୍ତି।

ତଥ୍ୟ ମୁତାବକ ସୁକିନ୍ଦା ତହସିଲ ଅଞ୍ଚଳରେ ଜମିଜମା ୧୯୨୫ ମସିହାରେ ଶେଷ ଥର ପାଇଁ ପୂର୍ଣ୍ଣାଙ୍ଗ ବନ୍ଦୋବସ୍ତ ହୋଇ ୧୯୨୮ରେ ତାହା ପ୍ରକାଶିତ ହୋଇଥିଲା। ୧୯୯୦-୯୧ ବର୍ଷରେ ପୁନଃ ସେଟଲମେଣ୍ଟ ଆସିଥିଲେ ମଧ୍ୟ ଶିଳ୍ପାୟନ ପାଶ୍ୱର୍ବର୍ତୀ ଏବର ଦାନଗଦୀ ତହସିଲ ଅନ୍ତର୍ଗତ ରାବଣା, ମାନତିରା, ଦଶମାଣିଆ, ବଡଶୁଳିଡିହ, ପଞ୍ଚବାଟିଆ, କଚେରୀ ଗାଁ, ମନୋହରପୁର, ମଙ୍ଗଳପୁର, ଜଖପୁରା, ଧୁଳିଗଡ, ମାନେଗୋବିନ୍ଦପୁର, ଗୋଲାଗାଁ, ନଡିଆଭଙ୍ଗା, ମଣ୍ଡପଡା, ଧନୁର୍ଜୟପୁର, ଜାମୁପଶି, ରଣାଗୁଣ୍ଡି, ଶୁଳିଆ, ଚାନ୍ଦିଆ ଏବଂ ଗୋଡିଗୋଠ ପ୍ରଭୃତି ୨୯ଟି ଗ୍ରାମ ବନ୍ଦୋବସ୍ତ ପ୍ରକ୍ରିୟାରୁ ବାଦ ପଡିଥିଲା । ସେହିପରି ସୁକିନ୍ଦା ତହସିଲ ଅନ୍ତର୍ଗତ ଖୁରୁଣ୍ଟି, ସାରଙ୍ଗପୁର, ଗାଡପୁର, ଗୋବରଘାଟି, ସରାଂଶ, ନୁଆଗାଁ, ବାରଗାଡିଆ, ମିରିଗିଚରା ଓ ଡୁବୁରୀ ପ୍ରଭୃତି ଗ୍ରାମ ବନ୍ଦୋବସ୍ଥ ପ୍ରକ୍ରିୟାରୁ ମଧ୍ୟ ବଞ୍ଚିତ ହୋଇଥିଲେ। ଶିଳ୍ପାୟନ ଦ୍ୱାହିରେ ଏହି ସବୁ ଗ୍ରାମରେ ସେଟେଲମେଣ୍ଟ କ୍ୟାମ୍ପ କୋର୍ଟ କିମ୍ବା ସର୍ଭେ କାର୍ଯ୍ୟ ହୋଇପାରି ନଥିଲା। ଇସ୍ପାତ କାରଖାନା ପ୍ରତିଷ୍ଠା ପାଇଁ ୧୯୯୧ ମସିହାରୁ ଏହି ଗ୍ରାମ ଗୁଡିକର ସେଟେଲମେଣ୍ଟ କାର୍ଯ୍ୟକୁ ରାଜ୍ୟ ସରକାର ବନ୍ଦ କରିଥିବାବେଳେ ୨୦୦୮ମସିହା ଫେବ୍ରୁଆରି ୨ତାରିଖରେ ଉକ୍ତ ନିର୍ଦ୍ଦେଶକୁ ପ୍ରତ୍ୟାହାର କରି ନେଇଥିଲେ। ବନ୍ଦୋବସ୍ତରେ ସାମିଲ ହୋଇ ନଥିବାରୁ ବର୍ଷ ବର୍ଷ ଧରି ଜମି ବାଡି ଖର୍ଦ୍ଦି ବିକ୍ରି କରିବା କିମ୍ବା ଦାଖଲ ଖାରଜ କରିବା କାର୍ଯ୍ୟ ହେବା ସମ୍ଭବ ହେଉନାହିଁ ।

ନିୟମ ମୁତାବକ ସରକାର ମଧ୍ୟ ସଂଶୋଧିତ ହାରରେ ଖଜଣା ଆଦାୟ କରିବାକୁ ସକ୍ଷମ ହୋଇପାରୁ ନଥିବାରୁ ରାଜ୍ୟ ସରକାର କୋଟି କୋଟି ଟଙ୍କାର ରାଜସ୍ୱ ମଧ୍ୟ ହରାଉଛନ୍ତି । ୨୯ଟି ଗ୍ରାମର ପ୍ରଜା ଆଇନ ଜାଲରେ ଛନ୍ଦି ହୋଇ ନିଜ ଜମିର ମାଲିକାନା ହାସଲ କରିବା ପାଇଁ ସଂଘର୍ଷ କରୁଥିବାବେଳେ ରାଜ୍ୟ ସରକାର ବନ୍ଦୋବସ୍ତ ପ୍ରକ୍ରିୟା ବନ୍ଦ କରି ନୀରବରେ ବସିବାକୁ ବୁଦ୍ଧିଜୀବୀମାନେ ନାପସନ୍ଦ କରିଛନ୍ତି । କେବଳ ଏହି ୨୯ଟି ଗ୍ରାମ ନୁହେଁ ୨ଟି ତହସିଲ ଅଧୀନରେ ଥିବା ଆହୁରି ଅନେକ ଗ୍ରାମରେ ମଧ୍ୟ ବନ୍ଦୋବସ୍ତ ପ୍ରକ୍ରିୟା ଚୂଡାନ୍ତ ହୋଇ ନଥିବାରୁ ଗରିବ ଲୋକଟିଏ ସରକାରଙ୍କ ପ୍ରଦତ୍ତ ଆବାସ ଯୋଜନାରେ ମଧ୍ୟ ସାମିଲ ହୋଇପାରୁ ନାହାନ୍ତି । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ରାଜସ୍ୱ ପର୍ଷଦା ଅଭିଲେଖ ଏବଂ ସର୍ବେକ୍ଷଣ ବିଭାଗ ନିର୍ଦ୍ଦେଶକଙ୍କୁ ତୁରନ୍ତ ୪ଜଣ ଅମିନ, ୪ଜଣ ଚେନମେନ୍ ଏବଂ ୨ଜଣ ରାଜସ୍ୱ ନୀରିକ୍ଷକଙ୍କୁ ପଠାଇ ବନ୍ଦୋବସ୍ତ ପ୍ରକ୍ରିୟା ଶେଷ କରିବାକୁ ଗତ ୧୫ତାରିଖରେ ରାଜସ୍ୱ ପର୍ଷଦର ଲ୍ୟାଣ୍ଡ ରେକର୍ଡ ଏବଂ ସର୍ଭେ ବିଭାଗ ନିର୍ଦ୍ଦେଶକଙ୍କୁ ଚିଠି ଲେଖିଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର