ଓଡ଼ିଆ ବିଶ୍ବବିଦ୍ୟାଳୟ ନିର୍ମାଣ କାର୍ଯ୍ୟକୁ ଅନୁମତି, ଦୁଇଟି ପର୍ଯ୍ୟାୟରେ ଖର୍ଚ୍ଚ ହେବ ୬୦.୭୨‌କୋଟି

ଭୁବ‌େନେଶ୍ବର: ଉତ୍କଳମଣି ଗୋପବନ୍ଧୁ ଦାସଙ୍କ କର୍ମଭୂମି ସତ୍ୟବାଦୀରେ ନିର୍ମାଣ ହେବାକୁ ଥିବା ଓଡ଼ିଆ ବିଶ୍ବବିଦ୍ୟାଳୟ ପାଇଁ ଉଚ୍ଚ ଶିକ୍ଷା ବିଭାଗ ପ୍ରଶାସନିକ ଅନୁମତି ଦେଇଛି। ଓବିସିସି ଦ୍ବାରା ଏହି ବିଶ୍ବବିଦ୍ୟାଳୟ ନିର୍ମାଣ ପାଇଁ ଯେଉଁ ଖର୍ଚ୍ଚ ଆକଳନ ହୋଇଥିଲା ତାହାକୁ ଉଚ୍ଚ ଶିକ୍ଷା ବିଭାଗ ବହନ କରିବାକୁ ରାଜି ହୋଇଛି। ହେଲେ ଦୁଇଟି ପର୍ଯ୍ୟାୟରେ ୬୦.୭୨କୋଟି ଟଙ୍କା ଦେବ ବୋଲି ଉଚ୍ଚଶିକ୍ଷା ବିଭାଗ କହିଛି।

ପୂର୍ତ୍ତ ବିଭାଗ ପକ୍ଷରୁ ଓବିସିସି ଏହି ବିଶ୍ବବିଦ୍ୟାଳୟର ନିର୍ମାଣ କାର୍ଯ୍ୟ କରିବାକୁ ଥିବାବେ‌ଳେ ପ୍ରଥମ ପର୍ଯ୍ୟାୟରେ ୩୯.୧୬କୋଟି ଏବଂ ଦ୍ବିତୀୟ ପର୍ଯ୍ୟାୟରେ ୨୧.୫୬କୋଟି ଦିଆଯିବ। କାମ ଠିକ୍ ସମୟରେ ଶେଷ ହେଲେ ବାକି ୨% ଅର୍ଥ ଦିଆଯିବ ବୋଲି ସର୍ତ୍ତ ରଖାଯାଇଛି। ଉଚ୍ଚଶିକ୍ଷା ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ବିଶ୍ବବିଦ୍ୟାଳୟ ନିର୍ମାଣ ପାଇଁ ଓବିସିସି ୬୧.୭୩କୋଟି ଟଙ୍କାର ଖର୍ଚ୍ଚ ଆକଳନ ପ୍ରସ୍ତୁତ କରିଥିଲା। ପ୍ରଥମ ପର୍ଯ୍ୟାୟରେ ୩୯.୮୧କୋଟି ଟଙ୍କା, ଦ୍ବିତୀୟ ପର୍ଯ୍ୟାୟରେ ୨୧.୯୨କୋଟି ଖର୍ଚ୍ଚ ହେବ ବୋଲି ପ୍ରସ୍ତାବ ଦେଇଥିଲା। ଏହାକୁ ଅର୍ଥ ବିଭାଗ ଅନୁମୋଦନ କରିବା ପରେ ଆମେ ଅର୍ଥ ଦେବାକୁ ସହମତି ଜଣାଇଛୁ। କିନ୍ତୁ ଦୁଇଟି ପର୍ଯ୍ୟାୟରେ ଆମେ ପ୍ରାୟ କୋଟିଏ ଟଙ୍କା କାଟିକି ରଖିବୁ। ଯଦି ଓବିସିସି ଧାର୍ଯ୍ୟ ସମୟରେ ନିର୍ମାଣ କାର୍ଯ୍ୟ ଶେଷ କରିବ ତେ‌ବେ ଏହି କୋଟିଏ ଟଙ୍କା ଦେବୁ। ନଚେତ୍ ଏହା ଦିଆଯିବନି। ଆମେ ସେହି ଅନୁଯାୟୀ ପ୍ରଶାସନିକ ଅନୁମତି ଦେଇଛୁ।

ଉକ୍ତ ଅଧିକାରୀଙ୍କ କହିବାନୁଯାୟୀ, ଏବେ ଏହି ବିଶ୍ବବିଦ୍ୟାଳୟ ପାଇଁ ୧୦ଏକର ଜମି ଅଧିଗ୍ରହଣ ହୋଇଥିବାରୁ ଏଠାରେ ଏବେ ପ୍ରଥମ ପର୍ଯ୍ୟାୟ କାମ ହେବ। ଏଥିରେ ୫ଟି ସ୍କୁଲ ଅଫ୍ ଲର୍ଣ୍ଣିଂ, ପ୍ରଶାସନିକ ଭବନ, ଅଡିଟୋରିୟମ ଏବଂ ୧୬୦ ଶଯ୍ୟା ବିଶିଷ୍ଟ ହଷ୍ଟେଲ ନିର୍ମାଣ ହେବ। ଏହି କାମ ଶେଷ ହେବା ପରେ ଦ୍ବିତୀୟ ପର୍ଯ୍ୟାୟରେ ଏହାର ସମ୍ପ୍ରସାରଣ ହେବ। ସୂଚନାଯୋଗ୍ୟ ଯେ, ବନ ବିଦ୍ୟାଳୟ ଢାଞ୍ଚାରେ ନିର୍ମାଣ ହେବାକୁ ଥିବା ଓଡ଼ିଆ ବିଶ୍ବବିଦ୍ୟାଳୟ ପାଇଁ ଜୁଲାଇ ୨୭, ୨୦୧୮ରେ ଐତିହ୍ୟ କ୍ୟାବିନେଟ୍‌ରେ ନିଷ୍ପତ୍ତି ହୋଇଥିଲା। ଏହାର ତିନି ମାସ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବିଶ୍ବବିଦ୍ୟାଳୟର ଶିଳାନ୍ୟାସ କରିଥିଲେ ଏବଂ ଚଳିତବର୍ଷ ଫେବ୍ରୁଆରି ୨୪ରେ ଏହାର ଡିଜାଇନ୍‌କୁ ଅନୁମୋଦନ କରିଥି‌େଲ।

ସମ୍ବନ୍ଧିତ ଖବର