କେନ୍ଦ୍ରାପଡା ଶ୍ରୀବଳଦେବଜିଉ ମନ୍ଦିରରେ ଭକ୍ତଙ୍କ ଦର୍ଶନ ପାଇଁ ଅନୁମତି ମିଳୁ, ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲେ ସେବକ
କଟକ : କେନ୍ଦ୍ରାପଡ଼ାର ଶ୍ରୀବଳଦେବଜିଉ ମନ୍ଦିରର ସେବକ/ପୂଜକମାନେ ଆର୍ଥିକ ସମସ୍ୟା ମଧ୍ୟଦେଇ ଗତି କରୁଛନ୍ତି। ଏହାକୁ ଦୃଷ୍ଟିରେ ରଖି କୋଭିଡ-୧୯ କଟକଣା ମଧ୍ୟରେ ସାଧାରଣ ଭକ୍ତଙ୍କ ଦର୍ଶନ ପାଇଁ ଅନୁମତି ଦେବା ପାଇଁ ସେମାନେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି।
ସୁରେଶ ଚନ୍ଦ୍ର ପତ୍ରୀ ଓ ଅନ୍ୟ ସେବକଙ୍କ ପକ୍ଷରୁ ଦାୟର ଆବେଦନରେ ଦର୍ଶାଯାଇଛି ଯେ, ମାର୍ଚ୍ଚ ଶେଷ ସପ୍ତାହରୁ କରୋନା ଭୂତାଣୁ ସଂକ୍ରମଣ ଯୋଗୁଁ ମନ୍ଦିରରେ ସାଧାରଣ ଭକ୍ତଙ୍କ ଦର୍ଶନ ଉପରେ କଟକଣା ରହିଛି। କେବେ ସଂକ୍ରମଣ କମିବ ଓ କେବେ ସ୍ଥିତି ସୁଧୁରିବ ତାହା କହିବା ଏବେ କଷ୍ଟ। ମନ୍ଦିରରେ ଭକ୍ତଙ୍କ ପ୍ରବେଶ ଓ ସାଧାରଣ ଦର୍ଶନ ଉପରେ କଟକଣା ଯୋଗୁଁ ସୃଷ୍ଟି ହୋଇଥିବା ପରିସ୍ଥିତିରେ ସେବକମାନେ ଆର୍ଥିକ ସମସ୍ୟା ଦେଇ ଗତି କରୁଛନ୍ତି। ଭକ୍ତଙ୍କ ଦାନ ଓ ପୂଜାର୍ଚ୍ଚନାରୁ ସେବକମାନେ ରୋଜଗାର କରୁଥିବାବେଳେ ପ୍ରାୟ ସାଢେ ୪ ମାସେ ହେବ ସେବକଙ୍କ କିଛି ରୋଜଗାର ନାହିଁ। ଶ୍ରୀଜିଉଙ୍କ ବିଭିନ୍ନ ସେବା ପୂଜା ସହିତ ଜଡ଼ିତ ବ୍ୟକ୍ତିବିଶେଷ ଏବେ ଘୋର ଆର୍ଥିକ ଅନାଟନ ଦେଇ ଗତି କରୁଛନ୍ତି। ସରକାର ପୁରୀ ଶ୍ରୀଜଗନ୍ନାଥ ମନ୍ଦିରର ସେବକଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। କିନ୍ତୁ ପ୍ରସିଦ୍ଧ ଶ୍ରୀବଳଦେବଜିଉ ମନ୍ଦିର ସେବକଙ୍କୁ ଅବହେଳା କରାଯାଉଛି। ଏଭଳି ପାତରଅନ୍ତର ନୀତି ନେଇ ଆବେଦନକାରୀ ପ୍ରଶ୍ନ ଉଠାଇଛନ୍ତି। ଆବେଦନକାରୀ ସେବକଙ୍କ ସହିତ ଶ୍ରୀବଳଦେବଜିଉ ମନ୍ଦିରର ସମସ୍ତ ସେବକଙ୍କୁ ମାସିକ ୧୫ ହଜାର ଟଙ୍କା ଲେଖାଏଁ ସହାୟତା ଲକ୍ଡାଉନ୍ ଆରମ୍ଭ ସମୟ ମାର୍ଚ୍ଚ ୨୦ରୁ ପ୍ରଦାନ କରାଯାଉ ବୋଲି ଏଥିରେ ଦର୍ଶାଯାଇଛି। ଏଥିସହିତ ସର୍ବସାଧାରଣଙ୍କ ଦର୍ଶନ ପାଇଁ ମନ୍ଦିର ଖୋଲାଯାଉ। ମାମଲାରେ ରାଜ୍ୟ ମୁଖ୍ୟ ଶାସନ ସଚିବ, ଆଇନ ସଚିବ, ସ୍ବତନ୍ତ୍ର ରିଲିଫ କମିସନର, ଦେବୋତ୍ତର କମିସନର, କେନ୍ଦ୍ରାପଡ଼ା ଜିଲ୍ଲାପାଳ, ଶ୍ରୀବଳଦେବଜିଉ ମନ୍ଦିର ପରିଚାଳନା ଟ୍ରଷ୍ଟକୁ ପକ୍ଷଭୁକ୍ତ କରାଯାଇଛି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଅକ୍ଷୟ କୁମାର ପାଣ୍ଡେ ମାମଲା ପରିଚାଳନା କରୁଛନ୍ତି।