ଧଉଳିରେ ପ୍ରଥମ ଦିନରେ ୬୦ ପିକନିକ ଦଳ, ପର୍ଯ୍ୟଟକ ସଂଖ୍ୟା ୧୫ ହଜାର ଟପିଲା

ଧଉଳି: ମହାମାରୀ କରୋନା ଯୋଗୁ ଦୀର୍ଘ ୧୦ମାସ ଧରି ବନ୍ଦ ପଡ଼ିଥିବା ଧଉଳି ଶାନ୍ତିସ୍ତୂପରେ ଭୋଜିଭାତ ନେଇ ଲାଗିଥିବା କଟକଣା ଉଠିଯାଇଛି । ସମୂହ ଭୋଜିଭାତ ଆୟୋଜନ କରିବା ଲାଗି ପ୍ରଶାସନ ପକ୍ଷରୁ ଅନୁମତି ପ୍ରଦାନ କରାଯାଇଛି । ଏହାର କିଛିଦିନ ପୂର୍ବରୁ ଶାନ୍ତିସ୍ତୂପରେ ପର୍ଯ୍ୟଟକମାନଙ୍କ ବୁଲାବୁଲି ଲାଗି ଖୋଲାଯାଇଥିଲେ ହେଁ ଭୋଜିଭାତ ବାରଣ ଥିଲା । ଧଉଳିରେ ଭୋଜିଭାତ ଆୟୋଜନ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ମିଳିବା ପରେ ପର୍ଯ୍ୟଟକମାନଙ୍କ ସଂଖ୍ୟା ୩ ଗୁଣା ବୃଦ୍ଧିପାଇଥିବା ପର୍ଯ୍ୟଟନ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

ଏହାପୂର୍ବରୁ ଧଉଳି ବୁଲିବାକୁ ଆସିଥିବା ପର୍ଯ୍ୟଟକମାନଙ୍କ ସଂଖ୍ୟା ବିଭିନ୍ନ ଦିନରେ ୫ ହଜାର ଟପିଥିଲା । ଗ୍ରାମ ପଞ୍ଚାୟତ ପରିସରରେ ନିର୍ମିତ ହୋଇଥିବା ୧୦ଟିଯାକ ଭୋଜିପିଣ୍ଡି ବୁକ ହୋଇଯାଇଥିଲା । ଭୋଜି ଆୟୋଜନ ପାଇଁ ଅନୁମତି ମିଳିଥିବା ଖବର ପାଇବା କ୍ଷଣି ଭୋଜିପିଣ୍ଡି ନେବା ପାଇଁ ଗତକାଲି ସଂଧ୍ୟାରୁ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ପିକନିକ ଦଳ ଲାଇନ ଲଗାଇ ଥିଲେ । ଅଗ୍ରୀମ ଫି ପୈଠ କରି ଭୋଜିପିଣ୍ଡି ବୁକ କରାଇଥିଲେ । ଧଉଳି ପଞ୍ଚାୟତ ଅଧୀନରେ ଥିବା ବଡ଼ ପିଣ୍ଡି ୧୦୦୦ ଟଙ୍କା, ଛୋଟପିଣ୍ଡି ୭୦୦ ଟଙ୍କା ଓ ଖାଲି ସ୍ଥାନ ୩୦୦ ଟଙ୍କା ସ୍ଥିର ହୋଇଛି  । ଏହାକୁ ଛାଡ଼ି ଧଉଳି ଚାରିପାଖରେ ସଂରକ୍ଷିତ ଥିବା ୫୦ଟି ସ୍ଥାନରେ ପିକନିକ ଦଳ ଭୋଜିଭାତ ଆୟୋଜନ କରିଥିଲେ ।  ସାଉଣ୍ଡ ବଜାଇ ନୂଆବର୍ଷର ଖୁସି ମନାଇଥିଲେ ।

ଧଉଳି ଗାର୍ଡ଼େନରେ ଭଡ଼ା ଅଧିକ ନେବାକୁ କେନ୍ଦ୍ର କରି  ପର୍ଯ୍ୟଟକମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା । ବଡ଼ କଥା ହେଉଛି ଦୀର୍ଘଦିନ ଧରି ଧଉଳିରେ ଭୋଜିଭାତ ବନ୍ଦ ରହିବା ଯୋଗୁ ପରିତ୍ୟକ୍ତ ହୋଇପଡ଼ିଥିବା ଭୋଜିସ୍ଥଳ ପରିଷ୍କାର ପରିଚ୍ଛନ୍ନ କରିବା ଦିଗରେ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନଥିବା ଦେଖାଯାଇଥିଲା । ଏନେଇ ଭୋଜିଭାତ କରିବାକୁ ଆସିଥିବା ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା । ପର୍ଯ୍ୟଟକମାନଙ୍କ ଚାହିଦାକୁ ଦୃଷ୍ଟିରେ ରଖି  ବ୍ୟବସାୟୀମାନେ ବିଭିନ୍ନ ସାମଗ୍ରୀ ଭଡ଼ା ଅଧିକ ଦାବି କରିଥିଲେ । ଭୋଜିଭାତ ନେଇ ଅନୁମତି ମିଳିବା ପରେ ଧଉଳିରେ ପର୍ଯ୍ୟଟକମାନଙ୍କ ସଂଖ୍ୟା ଅପେକ୍ଷାକୃତ ଭାବେ ବୃଦ୍ଧି ଘଟିବ ବୋଲି ପର୍ଯ୍ୟଟନ ବିଭାଗ ପକ୍ଷରୁ କୁହାଯାଇଛି । ଆଜି ଧଉଳି, ବସଷ୍ଟାଣ୍ଡ, କାର ଷ୍ଟାଣ୍ଡ ଓ ବାଇକ ଷ୍ଟାଣ୍ଡରେ ୭୦୦୦ ଗାଡ଼ିମଟର ପାର୍କିଂ କରିଥିବା ସୂଚନା ମିଳିଛି ।

 

ସମ୍ବନ୍ଧିତ ଖବର