ଭୁବନେଶ୍ବର: ରାଜ୍ୟ ସରକାର ଆଜି ଓଡ଼ିଏ (ପ୍ଲାନିଂ ଏବଂ ବିଲଡିଂ ଷ୍ଟାଣ୍ଡାର୍ଡ) ଦ୍ବିତୀୟ ସଂଶୋଧନ ନିୟମ, ୨୦୨୫ ନେଇ ବିଜ୍ଞପ୍ତି ଜାରି କରିଛନ୍ତି। ଏହାଦ୍ବାରା ବହୁ ଦିନ ହେଲା ପାର୍ଟ ପ୍ଲଟ୍‌ ବିକ୍ରି ଉପରେ ଲାଗିଥିବା କଟକଣା ହଟିଯାଇଛି। 
ଏହି ନିୟମ‌ରେ ସର୍ତ୍ତ ରଖାଯାଇଛି ଯେ ଏଣିକି ବିନା ଅନୁମୋଦନରେ ୫୦୦ବର୍ଗମିଟର ବା ୫୩୮୧.୯୬ ବର୍ଗଫୁଟ ପର୍ଯ୍ୟନ୍ତ ଜମିକୁ ଥରେ ବିକ୍ରି କରିହେବ। ଏହି ଜମିର ଏକାଧିକ ମାଲିକ ଥିଲେ ବି କିଛି ସମସ୍ୟା ହେବନି। କିନ୍ତୁ ଏହି ଜମି କୌଣସି ରିଅଲ ଇଷ୍ଟେଟ୍ ଉଦ୍ଦେଶ୍ୟରେ ବ୍ୟବହାର ହେବନି। ଅର୍ଥାତ୍ ପ୍ଲଟିଂ ସ୍କିମ୍ ପାଇଁ ଲାଗୁ ହେବନି। 
ଏହି ନିୟମ ଓଡ଼ିଶା ଗେଜେଟ୍‌ରେ ପ୍ରକାଶିତ ହେବା ପରେ ଲାଗୁ ହେବ। ଏଥିରେ ଥିବା ବ୍ୟବସ୍ଥା ଅନୁସାରେ, ନିର୍ମାଣ ଅନୁମତି ପାଇଁ ଫି ଆଇଜିଆର୍‌ ଓଡ଼ିଶା ୱେବ୍‌ସାଇଟରୁ ନିଆଯାଇଥିବା ଜମି ମୂଲ୍ୟ ଆଧାରରେ ଗଣାଯିବ, ଯାହା ସ୍ୱ-ପ୍ରମାଣିତ ଦଲିଲ ଉପରେ ନିର୍ଭର କରିବ। ସେହିପରି ସହର ସୀମା ବାହାରେ ଥିବା ଶିଳ୍ପ ନିର୍ମାଣ ପାଇଁ ରାସ୍ତା ଅତି କମ୍‌ରେ ୬ ମିଟର ଚଉଡ଼ା ହେବା ଜରୁରି। କିଛି ନିର୍ମାଣ ପାଇଁ ଜମିର କେତେ ଅଂଶ ଆଚ୍ଛାଦନ କରାଯିବ ତା’ର କୌଣସି ସୀମା ନାହିଁ। ଛୋଟ ବାଣିଜ୍ୟିକ ନିର୍ମାଣ (୪୦୦୦ ବର୍ଗ ମିଟର ପର୍ଯ୍ୟନ୍ତ) ପାଇଁ ପାର୍ଶ୍ୱରେ ଖାଲି ସ୍ଥାନ ଛାଡ଼ିବା ଆବଶ୍ୟକ ନାହିଁ। ଜମିର ଆକାର ଓ ରାସ୍ତାର ଚଉଡ଼ା  ଅନୁଯାୟୀ ନିର୍ମାଣ ପରିମାଣ (ଏଫ୍‌ଏଆର୍‌) ନିର୍ଭର କରିବ। ଛୋଟ ଘର ପାଇଁ (ଏଫ୍‌ଏଆର୍‌)ସୀମା ରହିବ ନାହିଁ। ଶିଳ୍ପ ନିର୍ମାଣ ପାଇଁ ଲୋଡିଂ ଜୋନ୍‌ ରହିବା ଆବଶ୍ୟକ, କିନ୍ତୁ ଛୋଟ ଜମି (୩୦୦ ବର୍ଗ ମିଟର ପର୍ଯ୍ୟନ୍ତ) ପାଇଁ ପାର୍କିଂ ଆବଶ୍ୟକ ନାହିଁ। କିନ୍ତୁ ଜମିର ଆକାର ଅନୁଯାୟୀ କିଛି ସ୍ଥାନ ଖୋଲା ରଖିବାକୁ ପଡ଼ିବ। ଏହି ଖୋଲା ସ୍ଥାନଗୁଡ଼ିକ ରାସ୍ତା, ସାର୍ବଜନୀନ ଉପଯୋଗିତା କିମ୍ବା ପାର୍କ ପାଇଁ ବ୍ୟବହୃତ ହୋଇପାରେ।  
ସେହିଭଳି ଉପବିଭାଜନ (ଜମି ବିଭାଜନ) ତଥା ପାରିବାରିକ ବିଭାଜନ ଓ କିଛି ସରକାରୀ ଅନୁମୋଦିତ ଜମି ଖୋଲା ସ୍ଥାନ ନିୟମରୁ ମୁକ୍ତ। ଯଦି ପୂର୍ବରୁ ଲେ-ଆଉଟ୍‌ ଅନୁମୋଦିତ, ତେବେ ପ୍ଲଟ୍‌ ବିଭାଜନ ପାଇଁ ଅତିରିକ୍ତ ଖୋଲା ସ୍ଥାନ ଛାଡ଼ିବା ଆବଶ୍ୟକ ନାହିଁ।  ଯଦି କେହି ଅନୁମୋଦନ ବିନା ଜମି ବିଭାଜନ କରିଛନ୍ତି, ସେମାନେ ସର୍ତ୍ତ ପାଳନ ପୂର୍ବକ ଏହାକୁ ବୈଧ କରିପାରିବେ। ପ୍ଲଟ୍‌ରେ ଉପଯୁକ୍ତ ରାସ୍ତା ସଂଯୋଗ ଥିବା ଜରୁରି। ଏଥି ପାଇଁ ଫି ଦେବାକୁ ହେବ।