ଭୁବନେଶ୍ବର: ଭୁବନେଶ୍ବର ଉପକଣ୍ଠ ଭୁଆସୁଣି ଡମ୍ପିୟାର୍ଡରେ ନିର୍ମାଣ ହେବାକୁ ଥିବା ବାୟୋ ମାଇନିଂ ପ୍ରକଳ୍ପକୁ ମିଳିଛି ସବୁଜ ସଙ୍କେତ। ଦୀର୍ଘ ଦିନ ଧରି ପଡ଼ି ରହିଥିବା ପ୍ରସ୍ତାବ ଉପରେ ମୋହର ମାରିଛନ୍ତି ରାଜ୍ୟ ସରକାର। ୬୦ ଏକର ପରିମିତ ଜମିରେ ୧୦୩ କୋଟି ଟଙ୍କା ବ୍ୟୟରେ ଏହି ପ୍ରକଳ୍ପ ନିର୍ମାଣ ହେବ। ୩ ବର୍ଷ ମଧ୍ୟରେ ଏହି କାର୍ଯ୍ୟ ଶେଷ ହେବ। ବାୟୋ ମାଇନିଂ ପ୍ରକଳ୍ପ ଜରିଆରେ ଆବର୍ଜନା ପରିଚାଳନା କରାଯାଇ ଏଠାରେ ଏକ ସୁନ୍ଦର ପାର୍କ ନିର୍ମାଣ ହେବ। ଦୀର୍ଘ ଦିନ ଧରି ଦାରୁଠେଙ୍ଗବାସୀ କରି ଆସୁଥିବା ଦାବି ପୂରଣ ହେବ ବୋଲି ସୂଚନା ଦେଇଛନ୍ତି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା।
ଡମ୍ପିଂୟାର୍ଡ ଯୋଗୁଁ ପରିବେଶ ଦୂଷିତ ହେଉଥିବାରୁ ଦାରୁଠେଙ୍ଗବାସୀ ଏହାକୁ ବିରୋଧ କରି ଆସୁଥିଲେ। ଏହା ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ମଧ୍ୟ ପ୍ରଭାବିତ କରିବା ଆଶଙ୍କା ରହିଥିଲା। ଅନ୍ୟପଟେ ଆବର୍ଜନା ପରିଚାଳନା ନହୋଇ ଗଦା ହୋଇ ରହୁଥିବାରୁ ସ୍ବଚ୍ଛ ସର୍ବେକ୍ଷଣ ପ୍ରତିଯୋଗିତାରେ ଭୁବନେଶ୍ବର ପଛରେ ପଡ଼ୁଥିଲା।
ଉଲ୍ଲେଖଯୋଗ୍ୟ, ସହରରୁ ଏବେ ଦୈନିକ ୫ଶହ ଟନ୍ ଆବର୍ଜନା ବାହାରୁଛି। ଭୁଆସୁଣିଠାରେ ଅତି କମ୍ରେ ୧୫ଲକ୍ଷ ମେଟ୍ରିକ୍ ଟନ୍ ଆବର୍ଜନା ଗଦା ହୋଇରହିଛି। ବିରୋଧ ପରେ ଏଠାରେ ଆଉ ଆବର୍ଜନା ଗଦା ନ କରି ବିଏମ୍ସି ଏମ୍ସିସି (ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର) ଜରିଆରେ ବର୍ଜ୍ୟ ପରିଚାଳନା କରୁଛି। ୨୩ଟି ଏମ୍ସିସିରେ ଶହେରୁ ଦେଢ଼ଶହ ଟନ୍ ଆବର୍ଜନା ପରିଚାଳନା ସମ୍ଭବ ହେଉଥିବା ବେଳେ ୩୫୦ଟନ୍ ଆବର୍ଜନା ଗଦା ହେଉଛି। କେବଳ ଭୁବନେଶ୍ବର ଭୁଆସୁଣି ନୁହେଁ, ରାଜ୍ୟର ଯେଉଁ ସହରଗୁଡ଼ିକରେ ଏଭଳି ଆବର୍ଜନା ଗଦା ହୋଇଛି, ସେଠାରେ ମଧ୍ୟ ବାୟୋ ମାଇନିଂ ପ୍ରକଳ୍ପ ଜରିଆରେ ପୂର୍ବାବସ୍ଥା ଫେରାଇ ଆଣିବାକୁ ଯୋଜନା ରହିଛି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। ଅନ୍ୟପଟେ ଡମ୍ପିଂୟାର୍ଡକୁ ବିରୋଧ କରି ଆସୁଥିବା ଦାରୁଠେଙ୍ଗବାସୀ ଏହି ସୂଚନା ପାଇବା ପରେ ଖୁସି ବ୍ୟକ୍ତ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/12/31-12.jpg)