ରାଜ୍ୟରେ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଅନୁମତି

ସହରାଞ୍ଚଳରେ ନାଇଟ୍ କର୍ଫ୍ୟୁ ଉଠିନଥିବାରୁ ରାତି ୧୦ଟା ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ହେବା ନେଇ ଉପୁଜିଛି ଦ୍ୱନ୍ଦ୍ୱ

ଭୁବନେଶ୍ୱର : କରୋନାର ଦ୍ୱିତୀୟ ଲହର ପାଇଁ ସାରା ରାଜ୍ୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ଉପରେ ଲାଗିଥିବା କଟକଣାକୁ ରାଜ୍ୟ ସରକାର ଉଠାଇ ଦେଇଛନ୍ତି। ଏଣିକି ରାଜ୍ୟର ସବୁ ସ୍ଥାନରେ ସାଂସ୍କୃତିକ କାର୍ଯ୍ୟକ୍ରମ, ମେଳା, ଯାତ୍ରା, ମେଲୋଡି, ଅପେରା, ନୃତ୍ୟ ଉତ୍ସବ, ଡ୍ରାମା, ନୁକଡ ନାଟକ, ପଥପ୍ରାନ୍ତ ନାଟକ ଭଳି କାର୍ଯ୍ୟକ୍ରମ ହୋଇପାରିବ। ହେଲେ ସହରାଞ୍ଚଳରେ ନାଇଟ୍ କର୍ଫ୍ୟୁ ଉଠିନଥିବାରୁ ରାତି ୧୦ଟା ପରେ ଯାତ୍ରା, ଅପେରା, ମେଲୋଡି କିପରି ଆୟୋଜନ ହେବ ସେନେଇ ଦ୍ୱନ୍ଦ୍ୱ ଉପୁଜିଛି।

ରାଜ୍ୟ ସରକାର କରୋନାର ଦ୍ୱିତୀୟ ଲହର ପାଇଁ ଏପ୍ରିଲ ମାସରୁ ସମସ୍ତ କାର୍ଯ୍ୟକ୍ରମ‌ ଉପରେ କଟକଣା ଲଗାଇଥିବା ବେଳେ ପର୍ଯ୍ୟାୟ କ୍ରମେ ସବୁ କୋହଳ କରିଛନ୍ତି। ହେଲେ ଅଡିଟୋରିୟମ, ସଭା ଗୃହ ଖୋଲିବା ପରେ ବି କେବଳ ସଭା ପାଇଁ ଅନୁମତି ମିଳୁଥିଲା। କୌଣସି ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ଅନୁମତି ମିଳୁନଥିଲା। ଯାହାକୁ ନେଇ କଳାକାର, ଆୟୋଜକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଥିଲା। ଏବେ ସ୍ବତନ୍ତ୍ର ରିଲିଫ କମିସନର ସବୁ ପ୍ରକାରର ସାଂସ୍କୃତିକ କାର୍ଯ୍ୟକ୍ରମକୁ ଅନୁମତି ଦେଇଛନ୍ତି।

ଅପରପକ୍ଷେ ଜାରି ହୋଇଥିବା ନିର୍ଦ୍ଦେଶନାମାରେ ଯାତ୍ରା, ଅପେରା, ମୁକ୍ତାକାଶ କାର୍ଯ୍ୟକ୍ରମ ପାଇଁ ଅନୁମତି ମିଳିଥିଲେ ହେଁ ଏଥିପାଇଁ ସ୍ଥାନୀୟ ପ୍ରଶାସନର ଅନୁମତି ଆଣିବାକୁ କୁହାଯାଇଛି। ଏପରିକି ସର୍ବାଧିକ ୨ହଜାର ଲୋକଙ୍କୁ ଅନୁମତି ଦିଆଯାଇପାରିବ ବୋଲି କୁହାଯାଇଛି। ହେଲେ ସହରାଞ୍ଚଳରେ ରାତି ୧୦ଟାରୁ ଭୋର୍‌ ୫ଟା ପର୍ଯ୍ୟନ୍ତ ନାଇଟ୍‌ କର୍ଫ୍ୟୁ ଜାରି ରହିଥିବାରୁ ଏବେ ସହରାଞ୍ଚଳରେ ରାତି ୧୦ଟା ପରେ କୌଣସି କାର୍ଯ୍ୟକ୍ରମ ହୋଇପାରିବ ନାହିଁ। କେବଳ ଏତିକି ନୁହେଁ ଯାତ୍ରା, ଅପେରା ଆଦି କରୁଥିବା ଆୟୋଜକମାନେ ଟିକେଟ୍‌ କାଉଣ୍ଟର ନିକଟରେ ଭିଡ଼ କମାଇବା ପାଇଁ ଅନଲାଇନ୍ ଟିକେଟ୍‌ ବିକ୍ରି କରିବାକୁ ପଦକ୍ଷେପ ନେବାକୁ କୁହାଯାଇଛି।

ଇନଡୋର୍‌ ହଲ୍‌ରେ ସର୍ବାଧିକ ୫୦% ଦର୍ଶକ ବସିପାରିବେ। ସିନେମା ହଲ୍‌ ଓ ଥିଏଟର୍‌ରେ କ୍ଷମତାର ୫୦% ଦର୍ଶକ ବସାଇବାକୁ ଅନୁମତି ଦିଆଯାଇଛି। ଏହାସହ କୌଣସି କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଜଣଙ୍କୁ ଦୁଇ ଡୋଜ୍‌ ଟିକା ନେଇଥିବା ଦରକାର କିମ୍ବା କାର୍ଯ୍ୟକ୍ରମର ୭୨ଘଣ୍ଟା ପୂର୍ବରୁ କୋଭିଡ ନେଗେଟିଭ୍ ରିପୋର୍ଟ ଆଣିଥିବା ଦରକାର ବୋଲି କୁହାଯାଇଛି। କାର୍ଯ୍ୟକ୍ରମରେ ସମସ୍ତେ ମାସ୍କ ପିନ୍ଧିବେ, ସମସ୍ତଙ୍କ ପାଇଁ ହାତ ଧୋଇବା, ଥର୍ମାଲ୍ ସ୍କ୍ରିନିଂ କରିବା ବ୍ୟବସ୍ଥା କରିବାକୁ କୁହାଯାଇଛି। ଯାହାର ନିଃଶ୍ବାସ ପ୍ରଶ୍ବାସରେ ସମସ୍ୟା ଥିବ ସେମାନେ କାର୍ଯ୍ୟକ୍ରମରେ ଯୋଗଦେଇପାରିବେନି। ୬୫ବର୍ଷରୁ ଊର୍ଦ୍ଧ୍ବ ବ୍ୟକ୍ତି, ଏକାଧିକ ରୋଗରେ ପୀଡ଼ିତ ଆକ୍ରାନ୍ତ, ଗର୍ଭବତୀ ମହିଳାଙ୍କୁ କାର୍ଯ୍ୟକ୍ରମରେ ଯୋଗଦେବାକୁ ବାରଣ କରାଯାଇଛି। ପାନ, ଗୁଟ୍‌ଖା ଖାଇପାରି‌ବେନି, ଯେଉଁ ସ୍ଥାନକୁ ଅଧିକ ଲୋକ ଛୁଉଁଥିବେ ସେଗୁଡ଼ିକୁ ନିୟମିତ ସଫା କରିବାକୁ କୁହାଯାଇଛି। କାର୍ଯ୍ୟକ୍ରମ‌ର ଆୟୋଜକ ଏହି ସମସ୍ତ କୋଭିଡ କଟକଣା ନିଶ୍ଚିତ କରିବାକୁ କୁହାଯାଇଛି।

ସେହିପରି ଏହି ସମସ୍ତ କାର୍ଯ୍ୟକ୍ରମ ପାଇଁ ଜିଲ୍ଲାପାଳ/ଏସ୍‌ପି/ମହାନଗର ନିଗମ କମିସନର/ପୁଲିସ କମିସନର କିମ୍ବା ସେମାନଙ୍କ ଦ୍ବାରା ଅଧିକୃତ ହୋଇଥିବା ଅଧିକାରୀ ଏନେଇ ଅନୁମତି ଦେବେ ବୋଲି କୁହାଯାଇଛି। ଯେଉଁମାନେ କୋଭିଡ କଟକଣା ମାନିବେନି ସେମାନଙ୍କ ଉପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ।

ସମ୍ବନ୍ଧିତ ଖବର