ଓଡ଼ିଶାରେ ବାହାର ରାଜ୍ୟର ଡାକ୍ତରଙ୍କୁ ଅନୁମତି
ନିଯୁକ୍ତିର ୪ବର୍ଷ ଭିତରେ ଓଡ଼ିଆ ଶିଖିବା ବାଧ୍ୟତାମୂଳକ
ଭୁବନେଶ୍ବର : ରାଜ୍ୟରେ ପ୍ରଥମଥର ଲାଗି ବାହାର ରାଜ୍ୟର ଡାକ୍ତରଙ୍କୁ ନିଯୁକ୍ତି ସୁଯୋଗ ମିଳିବ। ମେଡିକାଲ ଶିକ୍ଷା ହାସଲ କରିଥିବା ଛାତ୍ରଛାତ୍ରୀ ଓଡ଼ିଶାରେ କାମ କରିପାରିବେ। ଏଥିପାଇଁ ସେମାନଙ୍କୁ ଓଡ଼ିଶା ମେଡିକାଲ ଆଇନ ୧୯୬୧ର ଧାରା ୩ ଅନୁଯାୟୀ ଓଡ଼ିଶା ମେଡିକାଲ ପରିଷଦର ରେଜିଷ୍ଟ୍ରେସନ୍ ବ୍ୟବସ୍ଥାରେ ନିଜ ନାମ ପଞ୍ଜୀକରଣ କରିବାକୁ ହେବ। ଓଡ଼ିଶା ମେଡିକାଲ ଏବଂ ସ୍ବାସ୍ଥ୍ୟ ସେବା(ନିଯୁକ୍ତି ପ୍ରକ୍ରିୟା ଓ କଣ୍ଡିସନ୍ ଅଫ ସର୍ଭିସ) ସଂଶୋଧନ ନିୟମ ୨୦୨୦ ଅନୁଯାୟୀ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେବ। ସେହି ଅନୁଯାୟୀ ଓପିଏସ୍ସି ବିଜ୍ଞପ୍ତି ପ୍ରକାଶ କରିବ ବୋଲି ସୂଚନା ମିଳିଛି।
Sambad is now on WhatsApp
Join and get latest news updates delivered to you via WhatsApp
ନିକଟରେ ରାଜ୍ୟ ସରକାର ରାଜ୍ୟରେ ୨୪୫୨ ଡାକ୍ତର, ୮୨ ଦନ୍ତ ଚିକିତ୍ସକ ଓ ୯୪ ସହକାରୀ ପ୍ରଫେସରଙ୍କ ନିଯୁକ୍ତି କରାଯିବାକୁ ନେଇ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟରେ ଥିବା ଡାକ୍ତରଙ୍କ ଅଭାବକୁ ଦୂର କରିବା ଦିଗରେ ଏହା ବିଶେଷ ସହାୟକ ହେବ ବୋଲି କୁହାଯାଉଛି। ପୂର୍ବରୁ କେବଳ ଓଡ଼ିଶାର ବାସିନ୍ଦା ଭାବେ ଓଡ଼ିଆ କହିପାରୁଥିବା ଓ ଲେଖିପାରୁଥିବା ବ୍ୟକ୍ତିଙ୍କୁ ଓଡ଼ିଶାରେ ଚାକିରି କରିବାର ସୁଯୋଗ ରହିଥିଲା। ମାତ୍ର ଏବେ ଏଥିରେ ସଂଶୋଧନ କରାଯାଇଛି। ଯେଉଁ ବାହାର ରାଜ୍ୟର ମେଡିକାଲ ଛାତ୍ରଛାତ୍ରୀ ଓଡ଼ିଆରେ ମାଧ୍ୟମିକ ଶିକ୍ଷା ହାସଲ କରି ନ ଥିବେ, ସେମାନଙ୍କୁ ନିଯୁକ୍ତିର ୪ବର୍ଷ ଭିତରେ ଓଡ଼ିଆ ଶିଖିବାକୁ ହେବ। ଉତ୍ତର-ପୂର୍ବ ରାଜ୍ୟରେ ଆସାମ ବାଦ୍ ଓଡ଼ିଶା ଏଭଳି ପଦକ୍ଷେପ ନେବାକୁ ଯାଉଛି।