ଭିତ୍ତିଭୂମି ନ ଥାଇ କୋରାପୁଟ ନର୍ସିଂ କଲେଜକୁ ଅନୁମତି

ଅସଙ୍ଗତି ସାମ୍ନାକୁ ଆସିବା ପରେ ସରକାରଙ୍କୁ ଜଣାଇଛୁ: ଅତିରିକ୍ତ ଡିଏମ୍‌ଇଟି

ଭୁବନେଶ୍ବର : ଭିତ୍ତିଭୂମି ନ ଥାଇ କୋରାପୁଟର ଏକ ଘରୋଇ ନର୍ସିଂ କଲେଜକୁ ଅନୁମତି ଦିଆଯାଇଥିବା ଅଭିଯୋଗ ହୋଇଛି। ପାଠପଢ଼ା ପାଇଁ ଅନ୍‌ଲାଇନ୍‌ ଛ‌ାତ୍ରଛାତ୍ରୀମାନେ ଆବେଦନ କରିବା ପରେ ଏଭଳି ତଥ୍ୟ ସାମ୍ନାକୁ ଆସିଛି। ଯାହାକୁ ନେଇ ଛାତ୍ରଛାତ୍ରୀ ଓ ଅଭିଭାବକ ଦ୍ବନ୍ଦ୍ବରେ ପଡ଼ିଛନ୍ତି। ଭିତ୍ତିଭୂମି ନ ଥାଇ କିଭଳି ଏକ ନର୍ସିଂ କଲେଜକୁ ଅନୁମତି ଦିଆଗଲା ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହି ଅନୁମତି ପ୍ରଦାନରେ ବ୍ୟାପକ କେଳେଙ୍କାରୀ ହୋଇଥିବା ଅଭିଯୋଗ ଉଠିଲାଣି। କେବଳ କୋରାପୁଟ ନର୍ସିଂ କଲେଜ ନା ଆଉ ଏଭଳି ଅନେକ କଲେଜ ରହିଛି ତାହା ଅନୁସନ୍ଧାନ ସାପେକ୍ଷ।

୨୦୧୮/୧୯ ଶିକ୍ଷା ପାଇଁ ରାଜ୍ୟ ନର୍ସିଂ ନିର୍ଦେଶାଳୟ ପକ୍ଷରୁ ୨୨ଟି ନୂତନ ଘରୋଇ ନର୍ସିଂ କଲେଜରେ ନାମଲେଖା ପାଇଁ ଅନୁମତି ପ୍ରଦାନ କରିଥିଲେ। ତହିଁରୁ ଗୋଟିଏ ହେଉଛି ପ୍ରତିଭାଦେବୀ ଏଜୁକେସନାଲ ଚାରିଟେବୁଲ ଟ୍ରଷ୍ଟ ଅଧୀନରେ ପରିଚାଳିତ କୋରାପୁଟ କଲେଜ ଅଫ ନର୍ସିଂ। ଭିତ୍ତିଭୂମି ନ ଥାଇ ସଂପୃକ୍ତ କଲେଜରେ ପାଠପଢ଼ା ଆରମ୍ଭ କରାଯାଇଥିଲା। ଯାହାକୁ ନେଇ ଛାତ୍ରଛାତ୍ରୀମାନେ ପରବର୍ତୀ ସମୟରେ ଅଭିଯୋଗ କରିଥିଲେ। ୨୦୧୭ ମସିହାରେ କୋରାପୁଟର ୨ଟି ନର୍ସିଂ କଲେଜର ନିରୀକ୍ଷଣ ହୋଇଥିବା ବେଳେ ଗୋଟିଏ ନର୍ସିଂ କଲେଜର ଯାଞ୍ଚ ହୋଇପାରି ନ ଥିଲା। ଭିତ୍ତିଭୂମି ନ ଥିବା ନେଇ କୋରାପୁଟ ସିଡିଏମ୍‌ଓଙ୍କ ପକ୍ଷରୁ ନର୍ସିଂ ନିର୍ଦେଶକଙ୍କୁ ଚିଠି ଲେଖିଥିଲେ। ନର୍ସିଂ କଲେଜ ଖୋଲିବା ପାଇଁ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗର ଅନୁମତି ପରେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ଏହାକୁ ଅନୁମୋଦନ କରିଥାଏ। ଅନୁମୋଦନ ପୂର୍ବରୁ ସଂପୃକ୍ତ କଲେଜର ଭିତ୍ତିଭୂମି ସଂପର୍କରେ ଟିକିନିଖି ତଦନ୍ତ କରାଯିବା ଜରୁରୀ। ମାତ୍ର କୋରାପୁଟରେ ଏଭଳି କୌଣସି କଲେଜ ନ ଥିବା ଅଭିଯୋଗ ହୋଇଛି। ଏହି ଟ୍ରଷ୍ଟ ଅଧୀନରେ ରାଜ୍ୟରେ ଏକାଧିକ ନର୍ସିଂ କଲେଜ ପରିଚାଳିତ ହେଉଥିବା କୁହାଯାଉଛି। ତେଣୁ ସେସବୁ କଲେଜର ଆବଶ୍ୟକ ଭିତ୍ତିଭୂମି ରହିଛି କି ନାହିଁ ତାହାର ଯାଞ୍ଚ କରିବା ଲାଗି ସାଧାରଣରେ ଦାବି ହୋଇଛି।

ଅତିରିକ୍ତ ଡିଏମ୍‌ଇଟି ଡା.ଉମାକାନ୍ତ ଶତପଥୀ କହିଛନ୍ତି, ପୂର୍ବରୁ ଏହା ନର୍ସିଂ ନିର୍ଦେଶାଳୟ ଅଧୀନରେ ରହିଥିଲା। ମାତ୍ର ଏବେ ଭେଷଜ ଶିକ୍ଷା ଓ ତାଲିମ୍ ନିର୍ଦେଶକ(ଡିଏମ୍‌ଇଟି) ଅଧୀନକୁ ଆସିଛି। ନିକଟରେ କେନ୍ଦ୍ରୀୟ ଟିମ୍‌ ବିଭିନ୍ନ ନର୍ସିଂ କଲେଜ ପରିଦର୍ଶନ କରିବା ସମୟରେ କୋରାପୁଟ କଲେଜ ଅଫ ନର୍ସିଂରେ ଅସଙ୍ଗତି ରହିଥିବା ନଜରକୁ ଆସିଥିଲା। ତେଣୁ ଏ ସଂପର୍କରେ ରାଜ୍ୟ ସରକାରଙ୍କୁ ସୂଚନା ଦିଆଯାଇଛି। ଅପରପକ୍ଷରେ ସଂପୃକ୍ତ କଲେଜର କର୍ମକର୍ତା ପ୍ରତ୍ୟୁଷ ମହାନ୍ତି(ଆଡମିନ୍‌)ଙ୍କୁ ବାରମ୍ବାର ଯୋଗାଯୋଗ କରାଯାଇଥିଲେ ହେଁ ସେ କୌଣସି ଉତ୍ତର ଦେଇ ନ ଥିଲେ।

ସମ୍ବନ୍ଧିତ ଖବର