ଘଟଗାଁ: ଜିଲ୍ଲାପାଳଙ୍କ ନିର୍ଦେଶ ପରେ ଆସନ୍ତାକାଲିଠାରୁ ମା’ ତାରିଣୀ ମନ୍ଦିରରେ ଲାଗିବ ଭୋଗ। ଶ୍ରଦ୍ଧାଳୁମାନେ ଭୋଗଡାଲା ଧରି ମନ୍ଦିର ଭିତରକୁ ପ୍ରବେଶ କରିପାରିବେ। ଏଥିପାଇଁ ମନ୍ଦିର ପ୍ରବେଶପଥରେ ଭୋଗ ଲଗାଇବା ଓ ଦର୍ଶନ ପାଇଁ ସ୍ବତନ୍ତ୍ର ଭାବେ ଦୁଇଟି ଧାଡ଼ିର ବ୍ୟବସ୍ଥା ହୋଇଛି। ସେହିପରି ୧୦ ବର୍ଷରୁ କମ୍ ପିଲା ଏବଂ ବୃଦ୍ଧବୃଦ୍ଧାଙ୍କୁ ମନ୍ଦିରରେ ପ୍ରବେଶ ପାଇଁ ଅନୁମତି ଦିଆଯାଇଛି।
ସକାଳ ୬ଟାରୁ ମଧ୍ୟାହ୍ନ ଗୋଟାଏ ଏବଂ ଅପରାହ୍ନ ସାଢ଼େ ୩ଟାରୁ ସନ୍ଧ୍ୟା ୮ଟା ପର୍ଯ୍ୟନ୍ତ ଶ୍ରଦ୍ଧାଳୁମାନେ ଦର୍ଶନ ଓ ଭୋଗ ଲଗାଇପାରିବେ। ମା’ଙ୍କ ସକାଳ ଆଳତି, ଅନ୍ନପ୍ରସାଦ ନୀତି, ସନ୍ଧ୍ୟା ଆଳତି ଓ ପହଡ଼ ଆଦି ଯଥାରୀତିରେ ଚାଲିବ। ମାସ୍କ ବ୍ୟବହାରକୁ ବାଧ୍ୟତାମୂଳକ କରାଯାଇଛି। ମନ୍ଦିର ପରିସରରେ ଥିବା ପୂଜା ସାମଗ୍ରୀ, ମିଠା, ଭୋଗ ଓ ଅନ୍ନପ୍ରସାଦ ବିକ୍ରି ନେଇ ପରବର୍ତ୍ତୀ ନିର୍ଦେଶନାମା ଆସିବା ପରେ କାର୍ଯ୍ୟକାରୀ କରାଯିବ।
ଏନେଇ ତାରିଣୀ ମନ୍ଦିର ପରିଚାଳନା ବୋର୍ଡ ସଭାପତି ରାଜେନ୍ଦ୍ର କୁମାର ପଟ୍ଟନାୟକଙ୍କ ଅଧକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଟ୍ରଷ୍ଟବୋର୍ଡ ସଦସ୍ୟ କ୍ଷୀରୋଦ ପ୍ରସାଦ ଦାସ, ନିର୍ମଳ କୁମାର ମହାନ୍ତି, ଦୟାନିଧି ମହାନ୍ତ, ଆନନ୍ଦ ଚନ୍ଦ୍ର ସିଂହ, ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ସଂଜୀବ ମହାପାତ୍ର, ଆନନ୍ଦ ଚନ୍ଦ୍ର ସିଂହ, ନିର୍ମଳ କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। ବୈଠକରେ ଜିଲ୍ଲାପାଳଙ୍କ ନିର୍ଦେଶନାମା ଉପରେ ଆଲୋଚନା କରାଯାଇ ଏହାକୁ ତୁରନ୍ତ ଲାଗୁ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଏନେଇ ମନ୍ଦିରର ସମସ୍ତ ସେବାୟତ ତଥା ପୂଜକଙ୍କୁ ଅବଗତ କରାଯାଇଛି।
ଶୃଙ୍ଖଳିତ ଭାବେ ସାଧାରଣଦର୍ଶନ ଏବଂ ପୂଜାର୍ଚ୍ଚନା କିପରି କରାଯିବ ସେନେଇ ସେମାନଙ୍କ ସହ ଆଲୋଚନା ହୋଇଛି। ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ପୂଜକ ଶ୍ୟାମସୁନ୍ଦର ଦେହୁରୀ, ନଟବର ଦେହୁରୀ, ପ୍ରଦୀପ ଦେହୁରୀ, ଦୋଳଗୋବିନ୍ଦ ଦେହୁରୀ, ଯଯାତି ଦେହୁରୀ, ଦିଲୀପ ଦେହୁରୀ, ରମେଶ ଦେହୁରୀ, ରବିନାରାୟଣ ଦେହୁରୀ, ରାଜକିଶୋର ଦେହୁରୀ ପ୍ରମୁଖ ଉପସ୍ଥିତ ଥିଲେ। କରୋନା ପାଇଁ ଦୀର୍ଘ ଦୁଇବର୍ଷ ହେଲା ମନ୍ଦିରରେ ଭୋଗ ଲାଗୁ ନଥିଲା। କେବଳ ନୀତିକାନ୍ତି ଚାଲୁଥିଲା। ଶ୍ରଦ୍ଧାଳୁମାନେ କେବଳ ଦର୍ଶନ କରୁଥିଲେ। ଏଣିକି ଶ୍ରଦ୍ଧାଳୁମାନେ ମା’ଙ୍କ ଦର୍ଶନ ସାଙ୍ଗକୁ ଭୋଗ ଲଗାଇପାରିବେ।