ଭୁବନେଶ୍ବର : ଏଣିକି କୌଣସି ବାହାଘର, ଏହା ସମ୍ବନ୍ଧୀୟ ଉତ୍ସବ ଏବଂ ଶବ ସତ୍କାର ପାଇଁ ସ୍ଥାନୀୟ ଥାନାଅଧିକାରୀ ଅନୁମତି ଦେବେ। ଲୋକଙ୍କୁ ଜିଲ୍ଲାପାଳ କି ପୌରସଂସ୍ଥା କାର୍ଯ୍ୟାଳୟରୁ ଅନୁମତି ଆଣିବାକୁ ପଡ଼ିବନି। ଆଜି ଏନେଇ ସ୍ବତନ୍ତ୍ର ରିଲିଫ କମିସନର ପ୍ରଦୀପ ଜେନା ସମସ୍ତ ଜିଲ୍ଲାପାଳ, ଏସ୍‌ପି, ମହାନଗର ନିଗମ କମିସନର ଏବଂ ପୁଲିସ କମିସନରଙ୍କୁ ଚିଠି ଲେଖି ଜଣାଇଛନ୍ତି।

Advertisment

ଏସ୍‌ଆର୍‌ସି ଲେଖିଛନ୍ତି ଯେ, ସମସ୍ତ ବାହାଘର ଏବଂ ଏହା ସମ୍ବନ୍ଧୀୟ ଉତ୍ସବ, ଶବ ସଂସ୍କାର ପାଇଁ ଲିଖିତ ହେଉ କି ବୈଦ୍ୟୁତିକ ଯୋଗାଯୋଗ ମାଧ୍ୟମରେ ଆଗୁଆ ଅନୁମତି ଆଣିବାକୁ ପଡ଼ିବ। ବିନା ଅନୁମତିରେ କିଛି କାର୍ଯ୍ୟକ୍ରମ ହେବନି।

ବିବାହ ଉତ୍ସବରେ ସର୍ବାଧିକ ୫୦ଜଣ ଲୋକ ଉପସ୍ଥିତ ରହିବେ। କିନ୍ତୁ କୌଣସି ପ୍ରକାରର ବିବାହ ଶୋଭାଯାତ୍ରା ହେବନି। ଯେପରି ବିବାହ ଉତ୍ସବରେ ବର, କନ୍ୟା, ବନ୍ଧୁ, ସମ୍ପର୍କୀୟ, ପୁରୋହିତ, ରୋଷେୟା, କ୍ୟାଟେରିଂ କର୍ମଚାରୀଙ୍କୁ ମିଶାଇ ୫୦ରୁ ଅଧିକ ଲୋକ ଏକାଠି ନହେବେ ତାହା ଓ ବର ଓ କନ୍ୟା ପକ୍ଷ ନିଶ୍ଚିତ କରିବେ। ସ୍ଥାନୀୟ ଥାନା କର୍ତ୍ତୃପକ୍ଷ ଯେପରି ୫୦ରୁ ଲୋକ ଏକାଠି ନହେବେ ତାହା ଯାଞ୍ଚ କରିବେ।

ସେହିପରି ନିଶ୍ବାସପ୍ରଶ୍ବାସରେ ଅସୁବିଧା ଥିବା, ଥଣ୍ଡା, ଜ୍ବର, କାଶ ହେଉଥିବା ଲୋକ, ୬୫ବର୍ଷରୁ ଅଧିକ ବୟସ୍କ, ୧୦ବର୍ଷ ବୟସରୁ କମ୍‌ ପିଲା, ଗର୍ଭବତୀ ମହିଳା ବିବାହ ଏବଂ ଏହି ସମ୍ବନ୍ଧୀୟ କାର୍ଯ୍ୟକ୍ରମରୁ ଦୂରେଇ ରହିବାକୁ କୁହାଯାଇଛି। ବିବାହ ଉତ୍ସବରେ ସମସ୍ତଙ୍କ ମଧ୍ୟରେ ୨ମିଟରର ସାମାଜିକ ଦୂରତା ରହିବ, ସମସ୍ତେ ମୁହଁରେ ମାସ୍କ ପିନ୍ଧିବେ, କେହି ଗୁଟ୍‌ଖା, ପାନ ଖାଇବେନି କି ଛେପ ପକାଇବେନି। ଏହା ବରର ପିତା କିମ୍ବା ତାଙ୍କ ମୁରବୀ ନିଶ୍ଚିତ କରିବେ। ବିବାହ ମଣ୍ଡପରେ ପର୍ଯ୍ୟାପ୍ତ ବିଶୋଧନ ରହିବ। ଖାଇବାବେଳେ ଲୋକମାନେ ଯେପରି ୨ମିଟର ଦୂରତାରେ ବସିକି ଖାଇବେ ସେ ବ୍ୟବସ୍ଥା ବି ହେବା ଦରକାର ବୋଲି କୁହାଯାଇଛି।

‌ବିବାହ ଭଳି ଶବ ସତ୍କାର ସମୟରେ ବି କଟକଣା ପାଳନ କରିବାକୁ କୁହାଯାଇଛି। ଶବ ସତ୍କାର ସମୟରେ ୨୦ରୁ ଅଧିକ ଲୋକ ଏକାଠି ହେବେନି ବୋଲି କୁହାଯାଇଛି। ଏଠାରେ ବି ୨ ମିଟର ସାମାଜିକ ଦୂରତା ଓ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି।