ପ୍ରେମୀଯୁଗଳଙ୍କୁ ସାରାରାତି ନିର୍ଯାତନା, ପୀଡ଼ିତାଙ୍କ ବାପାଙ୍କୁ ନିସ୍ତୁକ ପିଟିଲେ ଯୁବକ

ସକାଳେ ଛାଡ଼ିଲେ, ଭିଡିଓ ସୁଟିଂ କଲେ

ରାଇଘର: କାଳୀପୂଜା ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବାକୁ ବଡ଼ଭଉଣୀ ଘରକୁ ଯାଇଥିଲେ। ସେଠାରେ ପ୍ରେମିକଙ୍କ ସହ ହୋଇଥିଲା ଭେଟ। କିନ୍ତୁ ଏହା ପରେ ଯାହା ଘଟିଲା ତାହା ଆଜିର ସମାଜିକ ବ୍ୟବସ୍ଥାକୁ ଧିକ୍କାର କରୁଛି। ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ୍‌ରେ ଏମିତି ଏକ ଛାତିଥରା ଘଟଣା ଘଟିଛି। ସୂଚନା ଅନୁଯାୟୀ, ଛାତିବେଡ଼ା ଗାଁର ଜଣେ ଯୁବତୀ ସୋନପୁର (ଡିଏନ୍‌କେ) ସ୍ଥିତ ନିଜ ବଡ଼ଭଉଣୀ ଘରକୁ ବୁଲିବାକୁ ଆସିଥିଲେ। ଗତକାଲି ରାତିରେ ସୋନପୁର ଗାଁରେ କାଳୀପୂଜା ଉପଲକ୍ଷେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ତେଣୁ ଉକ୍ତ କାର୍ଯ୍ୟକ୍ରମ ଦେଖିବାକୁ ଯୁବତୀ ଏକୁଟିଆ ଯାଇଥିଲେ। ସେଠାରେ ନିଜ‌ ପ୍ରେମିକଙ୍କ ସହ ଦେଖା ହେବାରୁ ଉଭୟ କାର୍ଯ୍ୟକ୍ରମ ସ୍ଥଳରୁ କିଛି ଦୂରକୁ ଯାଇ କଥାବାର୍ତ୍ତା ହେଉଥିଲେ। ଏହି ସମୟରେ କିଛି ଅସାମାଜିକ ଯୁବକଙ୍କ ହାବୁଡ଼ରେ ପଡ଼ିଥିଲେ ପ୍ରେମୀ ଯୁଗଳ। ଦୁହିଁଙ୍କୁ ଯୁବକମାନେ ଘେରି ଯାଇ ପ୍ରଥମେ ଠେଲାପେଲା କରିଥିଲେ। ଅପଶବ୍ଦ କହି ଉଭୟଙ୍କ ବିବାହ ସେଠାରେ ହିଁ କରି ଦେବାକୁ ନିଷ୍ପତ୍ତି ନେଇ ଫୁଲ ମାଳ ପିନ୍ଧାଇ ଦେଇଥିଲେ। ଏହାପରେ ସଂପୃକ୍ତ ଯୁବକମାନେ ଦୁହିଁକୁ ଭିଡ଼ି ଭିଡ଼ି ଗୋଟିଏ ଖାଲି ଘରେ ବନ୍ଦ କରି ଦେଇଥିଲେ। ପ୍ରେମିକଙ୍କୁ ପିଟାପିଟି କରି ଯୁବତୀଙ୍କ ସହ ଅସଦାଚରଣ କରିଥିଲେ।

ଅସହାୟା ଅବସ୍ଥାରେ ଯୁବତୀ ଜଣକ ଛାଡ଼ି ଦେବାକୁ ନେହୁରା ହେଲେ। ତଥାପି ସାରା ରାତି ଅଟକ ରଖି ଭିଡିଓ କରିବା ପରେ ଆଜି ସକାଳେ ଛାଡ଼ିଲେ। ବିଡ଼ମ୍ବନା ହେଲା ଅସାମାଜିକ ଯୁବକଙ୍କ ଏଭଳି ଅସଭ୍ୟ କାର୍ଯ୍ୟ ଗାଁ ଭିତରେ ଓ ସର୍ବସମ୍ମୁଖରେ ହୋଇଥିଲା। ଜଣେ ବି ପ୍ରତିବାଦ କରି ନଥିଲେ କିମ୍ବା ଯୁବତୀଙ୍କୁ ଉଦ୍ଧାର ପାଇଁ ପ୍ରୟାସ କରି ନଥିଲେ। ବରଂ ଯୁବତୀଙ୍କ ସହ ହୋଇଥିବା ଲଜ୍ଜାଜନକ ଘଟଣାକୁ ଉପଭୋଗ କରିଥିଲେ। ବିଳମ୍ବିତ ରାତିରେ ଯୁବତୀଙ୍କ ବାପାଙ୍କୁ ଖବର ଦେଇ ଏହି ଯୁବକମାନେ ଗାଁକୁ ଡକାଇଥିଲେ। ତାଙ୍କୁ ବି ନିସ୍ତୁକ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି। ଅନ୍ୟପକ୍ଷରେ ନ୍ୟାୟ ନ ମିଳିଲେ ପୀଡ଼ିତା ଆତ୍ମହତ୍ୟା କରିବେ ବୋଲି ଚେତାବନୀ ଦେଇଛନ୍ତି। ଏହି ଘଟଣାକୁ ନେଇ ବୁଦ୍ଧିଜୀବୀ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଦୋଷୀ ଯୁବକଙ୍କୁ ତୁରନ୍ତ ଗିରଫ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି। ରାଇଘର ଥାନାରେ ଏ ନେଇ ଅଭିଯୋଗ ହୋଇଛି।

ସମ୍ବନ୍ଧିତ ଖବର