ରାଷ୍ଟ୍ରପତିଙ୍କ ପାଖକୁ ଯାଉଥିବା ବ୍ୟକ୍ତିଙ୍କ କୋଭିଡ୍‌ ପରୀକ୍ଷା ହେବ

ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ ପାଇଁ ପ୍ରଶାସନିକ ପ୍ରସ୍ତୁତି

ଭୁବନେଶ୍ବର : ଆସନ୍ତା ୨୧ ତାରିଖରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ସମୟରେ ରାଷ୍ଟ୍ରପତିଙ୍କ ପାଖକୁ ଯିବାକୁ ଥିବା ସମସ୍ତ ଅଧିକାରୀ, କର୍ମଚାରୀ ଓ ସେବା ଯୋଗାଣକାରୀଙ୍କ ଆର୍‌ଟିପିସିଆର୍‌ ପ୍ରକ୍ରିୟାରେ କୋଭିଡ୍‌-୧୯ ପରୀକ୍ଷା କରାଯିବ। ଆଜି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏ ଦିଗରେ ଆବଶ୍ୟକ ପଦକ୍ଷେପ ନେବା ପାଇଁ ଶ୍ରୀ ମହାପାତ୍ର ସ୍ବାସ୍ଥ୍ୟ ବିଭାଗ ଓ ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ବୈଠକରେ କୁହାଯାଇଥିଲା ଯେ ବର୍ତ୍ତମାନ ସୁଦ୍ଧା ପ୍ରାପ୍ତ ସୂଚନା ଅନୁଯାୟୀ ୨୧ ତାରିଖରେ ରାଉରକେଲାସ୍ଥିତ ଏନ୍‌ଆଇଟିର ବାର୍ଷିକ ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତି ଯୋଗ ଦେବେ। ସେହିଦିନ ରାଉରକେଲା ଇସ୍ପାତ କାରଖାନାର ସୁପର ସ୍ପେସାଲିଟି ଡାକ୍ତରଖାନା ଉଦ୍‌ଘାଟନ କରିବେ। ପରଦିନ ରାଷ୍ଟ୍ରପତି ଶ୍ରୀକ୍ଷେତ୍ର ଯାଇ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ଓ ପରେ ପରେ କୋଣାର୍କ ମନ୍ଦିର ପରିଦର୍ଶନ କରିବେ।

ଏହି ଗସ୍ତ ଓ ସମସ୍ତ କାର୍ଯ୍ୟକ୍ରମ ପାଇଁ ନିର୍ଦ୍ଧାରିତ ପ୍ରୋଟୋକଲ୍‌ ଓ ଏସ୍‌ଓପି ଅନୁସାରେ ସମସ୍ତ ଆୟୋଜନ ନିର୍ଭୁଲ ଭାବେ କରିବା ସହ ସେସବୁର ଆଗୁଆ ପରୀକ୍ଷା(ଡ୍ରାଏ ରନ୍‌) କରିବା ପାଇଁ ମଧ୍ୟ ମୁଖ୍ୟ ଶାସନ ସଚିବ ସଂପୃକ୍ତ ବିଭାଗ ଓ ଅନୁଷ୍ଠାନମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ବୈଠକରେ ପୁଲିସ ଡିଜି ଅଭୟ କୁମାର, ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସଞ୍ଜୀବ ଚୋପ୍ରା ଓ ସ୍ବତନ୍ତ୍ର ଶାସନ ସଚିବ ସନ୍ତୋଷ ବାଳାଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଝାରସୁଗୁଡ଼ା, ଖୋର୍ଦ୍ଧା ଓ ପୁରୀ ଆଦି ଜିଲ୍ଲାର ଜିଲ୍ଲାପାଳ, ଏନ୍ଆଇଟି ଓ ରାଉରକେଲା ଷ୍ଟିଲ୍‌ ପ୍ଲାଣ୍ଟ୍‌ର ବରିଷ୍ଠ ଅଧିକାରୀମାନେ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ବୈଠକରେ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର