ରାଜ୍ୟସ୍ତରୀୟ ଭିନ୍ନକ୍ଷମ ଉପଦେଷ୍ଟା ବୋର୍ଡ଼ ବୈଠକ : ରାଜ୍ୟରେ ୫ ଲକ୍ଷ ୭୯ ହଜାର ଭିନ୍ନକ୍ଷମ ପଞ୍ଜୀକୃତ

ଭୁବନେଶ୍ବର : ରାଜ୍ୟରେ ଭିନ୍ନକ୍ଷମମାନଙ୍କୁ ଚିହ୍ନଟ କରି ପରିଚୟ ପତ୍ର ପ୍ରଦାନ କରିବାରେ ଓଡ଼ିଶା ସାରା ଦେଶରେ ପ୍ରଶଂସିତ ହୋଇଛି। ଭିନ୍ନକ୍ଷମ ସଶକ୍ତୀକରଣ ନେଇ ଆଜି ଲୋକସେବା ଭବନରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଉପଦେଷ୍ଟା ବୋର୍ଡ଼ ବୈଠକ ପରେ ଏହି ସୂଚନା ଦେଇଛନ୍ତି ବିଭାଗୀୟ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା। ଏବେ ସୁଦ୍ଧା ରାଜ୍ୟରେ ୧୦୨ଟି ଶିକ୍ଷାନୁଷ୍ଠାନକୁ ଗ୍ରାଣ୍ଟ୍-ଇନ୍-ଏଡ୍ ଯୋଗାଇ ଦିଆଯାଇଛି। ବିଭିନ୍ନ କାର୍ଯ୍ୟକ୍ରମକୁ ଅଧିକ ସଶକ୍ତ ଓ ସଫଳ କରିବା ପାଇଁ ବିଭାଗ ଉଦ୍ୟମ ଜାରି ରଖିଛି ବୋଲି ଶ୍ରୀ ପଣ୍ଡା ପ୍ରକାଶ କରିଛନ୍ତି।

ବୈଠକ ପରେ ଶ୍ରୀ ପଣ୍ଡା କହିଥିଲେ, ଭିନ୍ନକ୍ଷମ ହିତାଧିକାରୀମାନଙ୍କ ଜମାଖାତାକୁ ସହାୟତା ରାଶି ହସ୍ତାନ୍ତରଣ କାର୍ଯ୍ୟ ଆରମ୍ଭ ହୋଇଛି। ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଆୟୋଜନରେ ୮ କୋଟି ଟଙ୍କା ବ୍ୟୟ କରାଯାଇଛି। କନ୍ଧମାଳ, ଖୋର୍ଦ୍ଧା, ସମ୍ବଲପୁର, କଟକ, ପୁରୀ, ଗଞ୍ଜାମ, ଭଦ୍ରକ, ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଲାରେ ଭିନ୍ନକ୍ଷମମାନଙ୍କ ପାଇଁ ସମନ୍ବିତ ଭିତ୍ତିଭୂମି କେନ୍ଦ୍ରର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବାକୁ ଯାଉଛି। ଭୁବନେଶ୍ବରରେ ଭିନ୍ନକ୍ଷମମାନଙ୍କ ପାଇଁ ଏକ ସ୍ପୋର୍ଟସ୍ ସେଣ୍ଟର ପ୍ରତିଷ୍ଠା କରିବାକୁ କେନ୍ଦ୍ରକୁ ପ୍ରସ୍ତାବ ଦିଆଯାଇଛି। ସେମାନଙ୍କ ଗମନାଗମନ ସୁବିଧା ପାଇଁ ସବୁ ସରକାରୀ ଓ ବେସରକାରୀ କୋଠାବାଡ଼ିଗୁଡ଼ିକରେ ବ୍ୟବସ୍ଥା କରାଯାଇଛି। ରାଜ୍ୟରେ ଖୁବଶୀଘ୍ର ଦୁଇଟି ଭିନ୍ନକ୍ଷମ ଶିଶୁ ପ୍ରଯତ୍ନ କେନ୍ଦ୍ର ପ୍ରତିଷ୍ଠା କରିବାକୁ ସରକାର ନିଷ୍ପତ୍ତି ନେଇଥିବା ସେ କହିଥିଲେ।

ଏହି ଅବସରରେ ବୋର୍ଡ଼ ସଦସ୍ୟମାନେ ଭିନ୍ନକ୍ଷମମାନଙ୍କୁ ଶତପ୍ରତିଶତ ପରିଚୟ ପ୍ରଦାନ, ସ୍ବାସ୍ଥ୍ୟବୀମା, ମିସନ କ୍ଷମତାର ସଶକ୍ତୀକରଣ, ବସୁନ୍ଧରା ଯୋଜନାରେ ଜମି ପ୍ରଦାନ, ଯୋଗ୍ୟ ଭିନ୍ନକ୍ଷମମାନଙ୍କୁ ଜିଲ୍ଲାସ୍ତରରେ ସ୍ବତନ୍ତ୍ର ଅଧିକାରୀ ଭାବେ ନିୟୋଜିତ କରିବା, ଶିକ୍ଷକମାନଙ୍କୁ ତାଲିମ ପ୍ରଦାନ ଓ ରାଜ୍ୟସ୍ତରୀୟ ତାଲିମ ପ୍ରତିଷ୍ଠାନ ପ୍ରତିଷ୍ଠା ପାଇଁ ପ୍ରସ୍ତାବ ଦେଇଥିଲେ।

ବିଭାଗୀୟ କମିସନର ଭାସ୍କର ଜ୍ୟୋତି ଶର୍ମା ସୂଚନା ଦେଇ କହିଥିଲେ, ଏବେସୁଦ୍ଧା ରାଜ୍ୟରେ ୫ ଲକ୍ଷ ୭୯ ହଜାର ୧୧୩ ଜଣ ଭିନ୍ନକ୍ଷମ ପଞ୍ଜୀକୃତ ହୋଇଛନ୍ତି। ସେମାନଙ୍କ ଭିତରୁ ୨ ଲକ୍ଷ ୮୯ ହଜାର ୭୯୧ ଜଣଙ୍କୁ ପରିଚୟ ପତ୍ର ପ୍ରଦାନ କରାଯାଇଛି। କ୍ଷମତା ଏକ୍ସପ୍ରେସ୍ ଜରିଆରେ ୧୪ ହଜାର ୮୦୮ ଜଣ ଭିନ୍ନକ୍ଷମ ଉପକୃତ ହୋଇଛନ୍ତି। ଭୁବନେଶ୍ବରଠାରେ ପ୍ରତିଷ୍ଠିତ ଅତ୍ୟାଧୁନିକ ପୁନର୍ବାସ କେନ୍ଦ୍ରରେ ୨୭୯ ଜଣ ଭିନ୍ନକ୍ଷମଙ୍କର ଅସ୍ତ୍ରୋପଚାର କରାଯାଇଛି। ରାଜ୍ୟରେ ମୋଟ ୭ ହଜାର ୪୦୪ ଜଣ ଭିନ୍ନକ୍ଷମଙ୍କୁ ବିଭିନ୍ନ ଉପକରଣ ପ୍ରଦାନ କରାଯାଇଛି। ୨ ହଜାର ୯୧୦ଟି ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ଆବର୍ତ୍ତନ ପାଣ୍ଠି ବାବଦରେ ୧.୯୪ କୋଟି ଟଙ୍କା ଯୋଗାଇ ଦିଆଯାଇଛି। ସେହିପରି ୪.୬୯ ଲକ୍ଷ ହିତାଧିକାରୀଙ୍କୁ ପେନସନ୍ ସୁବିଧା ଉପଲବ୍ଧ କରାଯାଇଛି। ୩୪୩ ଜଣ ଭିନ୍ନକ୍ଷମ ଦମ୍ପତ୍ତିଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ବିବାହ ସହାୟତା ଯୋଗାଇ ଦିଆଯାଇଛି ବୋଲି ଶ୍ରୀ ଶର୍ମା ସୂଚନା ଦେଇଥିଲେ।

ସମ୍ବନ୍ଧିତ ଖବର