କଟକ : ସ୍ବଳ୍ପ ଦରମା ପାଉଥିବା ଗ୍ରାମୀଣ ରୋଜଗାର ସେବକଙ୍କ ପାଇଁ ଚାକିରି କ୍ଷେତ୍ରରେ ବଦଳି ବ୍ୟାପକ ଅସୁବିଧା ସୃଷ୍ଟି କରୁଛି ବୋଲି ଦର୍ଶାଇ ଦାୟର ମାମଲାକୁ ହାଇକୋର୍ଟ ଗୁରୁତ୍ବର ସହିତ ଗ୍ରହଣ କରିଛନ୍ତି। ଜୁଲାଇ ୧୮ରେ ରାଜ୍ୟ ପଞ୍ଚାୟତିରାଜ ସଚିବ ହାଇକୋର୍ଟରେ ବ୍ୟକ୍ତିଗତ ହାଜର ହୋଇ ଗ୍ରାମୀଣ ରୋଜଗାର ସେବକଙ୍କ ବଦଳୀ ନୀତି ସଂପର୍କରେ ବିସ୍ତୃତ ତଥ୍ୟ ସମ୍ବଳିତ ସତ୍ୟପାଠ ଦାଖଲ କରିବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କମ୍ ଦରମା ଓ ଦୂରତା କାରଣରୁ ବଦଳି ଦ୍ବାରା ଗ୍ରାମୀଣ ରୋଜଗାର ସେବକମାନେ ସମସ୍ୟାରେ ପଡୁଛନ୍ତି। ସ୍ବଳ୍ପ ଦରମା ପାଉଥିବା ଗ୍ରାମୀଣ ରୋଜଗାର ସେବକମାନେ ଯେଭଳି ଦୂର ସ୍ଥାନକୁ ଯାଇ ଦାୟିତ୍ବ ନିର୍ବାହ ପାଇଁ ଅଯଥା ନିର୍ଯାତିତ ନ ହୁଅନ୍ତି ସେଥିପାଇଁ ପଞ୍ଚାୟତିରାଜ ସଚିବ ବଦଳି ନୀତି ପ୍ରଣୟନ କରିବା ଉଚିତ୍ ବୋଲି ହାଇକୋର୍ଟ କହିଛନ୍ତି। ଜୁଲାଇ ୧୮ ପୂର୍ବରୁ ଗ୍ରାମୀଣ ରୋଜଗାର ସେବକଙ୍କ ବଦଳି ନୀତି ସଂପର୍କରେ ସତ୍ୟପାଠ ଦାଖଲ କରିବାକୁ ପଞ୍ଚାୟତିରାଜ ସଚିବଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏଥି ସହିତ ଆବେଦନକାରୀ ଗୋଲାପ ଡାକୁଆଙ୍କ ବଦଳି ନେଇ ଗଞ୍ଜାମ ଜିଲ୍ଲାପାଳ ୨୦୨୩, ଜୁନ ୨୮ରେ ଜାରି କରିଥିବା ନିର୍ଦ୍ଦେଶ ଉପରେ ହାଇକୋର୍ଟ ଅନ୍ତରୀଣ ନିର୍ଦ୍ଦେଶ ଜାରି କରିଛନ୍ତି।
ମାମଲାର ବିବରଣୀରୁ ପ୍ରକାଶ ଯେ ଗହାଙ୍ଗୁ ପଞ୍ଚାୟତରେ ସହକାରୀ ଗ୍ରାମୀଣ ରୋଜଗାର ସେବକ ଭାବେ କାର୍ଯ୍ୟ କରୁଥିବା ଆବେଦନକାରୀଙ୍କୁ ଆସ୍କା ବ୍ଲକ୍ରୁ କୁକୁଡ଼ାଖଣ୍ଡି ବ୍ଲକ୍କୁ ବଦଳି କରାଯାଇଥିଲା। ଗତ ବଦଳିର ଏକ ମାସ ପୂରିବା ପୂର୍ବରୁ ପୁଣି ଆବେଦନକାରୀଙ୍କୁ ବଦଳି ପାଇଁ ଜୁନ୍ ୨୮ରେ ନିର୍ଦ୍ଦେଶ ଦିଆଯାଇଥିଲା। ଏଭଳି ବଦଳି ନିର୍ଦ୍ଦେଶ ବିରୋଧରେ ଆବେଦନକାରୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଗ୍ରାମୀଣ ରୋଜଗାର ସେବକଙ୍କ ଦରମା ସ୍ବଳ୍ପ ହୋଇଥିବା ବେଳେ ଦୂର ସ୍ଥାନକୁ ବଦଳି ଦ୍ବାରା ସେମାନେ ବ୍ୟାପକ ସମସ୍ୟା ସମ୍ମୁଖୀନ ହେଉଛନ୍ତି ବୋଲି ଆବେଦନରେ ଦର୍ଶାଯାଇଥିଲା।