ହାଇକୋର୍ଟରେ କୃଷି ସଚିବଙ୍କୁ ବ୍ୟକ୍ତିଗତ ହାଜିରା ନିର୍ଦ୍ଦେଶ 

କଟକ: ଅଦାଲତ ଅବମାନନା ମାମଲାରେ କୃଷି ଓ କୃଷକ ସଶକ୍ତୀକରଣ ବିଭାଗ କମିସନର ତଥା ଶାସନ ସଚିବ ଏସ.କେ. ବଶିଷ୍ଠଙ୍କୁ ବ୍ୟକ୍ତିଗତ ଭାବେ ହାଜର ହେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜାଣିଶୁଣି ଅଦାଲତଙ୍କ ନିର୍ଦ୍ଦେଶ ଉଲ୍ଲଂଘନ କରିଥିବାରୁ କାହିଁକି ତାଙ୍କୁ  ଅଦାଲତ ଅବମାନନା ଆଇନ ଅନୁସାରେ ଦଣ୍ଡିତ କରା ନ ଯିବ, ସେ ନେଇ ସେପ୍ଟେମ୍ବର ୧୫ରେ ବ୍ୟକ୍ତିଗତ ଭାବେ ହାଜରହୋଇ କାରଣ ଦର୍ଶାଇବାକୁ କୃଷି ସଚିବଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ବିଶ୍ବନାଥ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ଜେ. ସାହୁଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ଇତିମଧ୍ୟରେ ଯଦି ଅଦାଲତଙ୍କ ନିର୍ଦ୍ଦେଶ କାର୍ଯ୍ୟକାରୀ କରାଯାଇଥିବ ତେବେ ଏ ସଂପର୍କିତ କଂପ୍ଲାଏନ୍ସ ଆଫିଡେଭିଟ୍ ଏକ ସପ୍ତାହ ଭିତରେ ହାଇକୋର୍ଟରେ ଦାଖଲ କରାଯିବ ବୋଲି ହାଇକୋର୍ଟ କହିଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ ଆବେଦନକାରୀଙ୍କ ଚାକିରି ନିୟମିତ ଓ ବକେୟା ପ୍ରାପ୍ୟ ପ୍ରଦାନ ପ୍ରସଂଗରେ ପଦକ୍ଷେପ ଗ୍ରହଣ ପାଇଁ କୃଷି ବିଭାଗକୁ ହାଇକୋର୍ଟ  ୨୦୧୯, ନଭେମ୍ବର ୭ରେ ନିର୍ଦ୍ଦେଶ ଦେଇଥିଲେ। ଏହି ନିର୍ଦ୍ଦେଶ କାର୍ଯ୍ୟକାରୀ ନ ହେବାରୁ ଆବେଦନକାରୀ ରୁଜୁ କରିଥିବା ଅଦାଲତ ଅବମାନନା ମାମଲାର ୨୦୨୦, ମାର୍ଚ୍ଚ ୪ରେ ହାଇକୋର୍ଟ ଶୁଣାଣି କରି ଦେଢ ମାସ ଭିତରେ ଆଦେଶ କାର୍ଯ୍ୟକାରୀ ପାଇଁ କୃଷି ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ମଧ୍ୟ ହାଇକୋର୍ଟଙ୍କ ନିର୍ଦ୍ଦେଶ କାର୍ଯ୍ୟକାରୀ ନ ହେବାରୁ ଆବେଦନକାରୀ ଦ୍ବିତୀୟ ଅଦାଲତ ଅବମାନନା ମାମଲା ଦାୟର କରିଥିଲେ। ୨୦୨୧, ମାର୍ଚ୍ଚ ୩୧ରେ ହାଇକୋର୍ଟ ଅଦାଲତ ଅବମାନନା ମାମଲାର ଶୁଣାଣି କରି ୨୦୧୯, ନଭେମ୍ବର ୭ ଓ ୨୦୨୦, ମାର୍ଚ୍ଚ ୪ର ଆଦେଶ ୧୫ ଦିନ ଭିତରେ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଏହାପରେ ମଧ୍ୟ ଅଦାଲତଙ୍କ ନିର୍ଦ୍ଦେଶ କାର୍ଯ୍ୟକାରୀ କରାଯାଇ ନଥିବା ଶୁଣାଣି ସମୟରେ ସ୍ପଷ୍ଟ ହୋଇଥିଲା।

ସମ୍ବନ୍ଧିତ ଖବର