ଭୁବନେଶ୍ବର : ପଞ୍ଚାୟତ ଓ ବ୍ଲକ୍‌ସ୍ତରରେ ପିସି କାରବାର ବନ୍ଦ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ହେଲେ ପିସି କାରବାର ଖୋଲାଖୋଲି ଚାଲିଛି। ଗ୍ରାମ୍ୟ ଜଳ ଯୋଗାଣ ପ୍ରକଳ୍ପଗୁଡ଼ିକ ଅକାମି ହୋଇଯିବାରୁ ଅଧିକାଂଶ ଜିଲ୍ଲାରେ ପିଇବା ପାଣି ମିଳୁନି। ଆଦିବାସୀ ବହୁଳ ଜିଲ୍ଲାରେ ପେସା ଆଇନ ଲାଗୁ ନ କଲେ ଆନ୍ଦୋଳନ ତୀବ୍ର ହେବ। ଆଜି ବିଧାନସଭାରେ ପଞ୍ଚାୟତି ରାଜ ଓ ପାନୀୟ ଜଳ ବିଭାଗର ଖର୍ଚ୍ଚ ଦାବି ଆଲୋଚନା ବେଳେ ବିରୋଧୀ ସରକାରଙ୍କୁ ଏପରି ରୋକଠୋକ ଅଭିଯୋଗ ଲଦିଛନ୍ତି। ଉତ୍ତରରେ ମନ୍ତ୍ରୀ କହିଛନ୍ତି, ରାଜ୍ୟରେ ପେସା ଆଇନ ଲାଗୁ କରିବାକୁ ଅଧିନିୟମ ପ୍ରସ୍ତୁତି ଚାଲିଛି। ଖୁବଶୀଘ୍ର କ୍ୟାବିନେଟ ଅନୁମୋଦନ ପରେ ବିଧି ପ୍ରକ୍ରିୟା ସମ୍ପୂର୍ଣ୍ଣ କରାଯିବ।

Advertisment

ଶୁକ୍ରବାର ଗୃହରେ ପଞ୍ଚାୟତି ରାଜ ଓ ପାନୀୟ ଜଳ ଯୋଗାଣ ବିଭାଗର ଖର୍ଚ୍ଚ ଦାବି ଆଲୋଚନା ଆରମ୍ଭ କରି ବିରୋଧୀଦଳ ଉପନେତା ବିଷ୍ଣୁ ସେଠୀ କହିଥିଲେ, ବିଜେଡି ସରକାର ଦୀର୍ଘ ୨୦ ବର୍ଷର ଶାସନକାଳରେ ସବୁ ଗାଁକୁ ପିଇବା ପାଣି ମିଳିଲାନି କି ସବୁ ଅଞ୍ଚଳକୁ ରାସ୍ତାଟିଏ ଦେଖିବାକୁ ମିଳିଲାନି। ବାସଗୃହ ଯୋଜନାରେ ଗରିବଟିଏ ବ୍ଲକକୁ ଗଲେ ଜୁନିଅର ଇଞ୍ଜିନିୟରଠୁ ଆରମ୍ଭ କରି ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ଓ ଜିଆରଏସ ପର୍ଯ୍ୟନ୍ତ ସମସ୍ତେ ଲାଞ୍ଚ ମାଗୁଛନ୍ତି। ସାମ୍ବାଦିକଟିଏ ସରକାରଙ୍କ ଅସଲ ଚେହେରା ପଦାରେ ପକାଇଲେ ତାକୁ ଆକ୍ରମଣର ଶିକାର ହେବାକୁ ପଡ଼ୁଛି। କେନ୍ଦ୍ରାପଡ଼ା ଏସପି ଜଣେ କର୍ତ୍ତବ୍ୟରତ ସାମ୍ବାଦିକଙ୍କୁ ଦୁର୍ବ୍ୟବହାର କରିଥିବା ଘଟଣା ଥମି ନଥିବାବେଳେ ସେହି ପାଟକୁରାରେ ଗୋଟିଏ େଵବ ଚାନେଲର ମହିଳା ସାମ୍ବାଦିକଙ୍କୁ ବିଜେଡିର ଯୁବ କର୍ମୀମାନେ ଦୁର୍ବ୍ୟବହାର କରିଛନ୍ତି। ବିଧାନସଭା ଅସହାୟ ହୋଇପଡ଼ିଛି। ବିଜେଡି ସରକାର ସମୟରେ ଗ୍ରାମ ସ୍ବରାଜ ନାହିଁ କି ଗ୍ରାମ ସୁରାଜ ବି ନାହିଁ।

ଶ୍ରୀ ସେଠୀ କହିଥିଲେ, ପ୍ରତିବର୍ଷ ସରକାର ପଞ୍ଚାୟତି ରାଜ ବିଭାଗ ପାଇଁ ବ୍ୟୟ ବରାଦ ପରିମାଣ ବୃଦ୍ଧି କରିଚାଲିଛନ୍ତି। ଅଥଚ ୫୯୬ଟି ପଞ୍ଚାୟତର ଘର ନାହିଁ। ୨୦୧୫-୧୬ ନୀତି ଆୟୋଗ ରିପୋର୍ଟରେ ରାଜ୍ୟର ଜଳ ସୂଚକାଙ୍କ ନବମ ସ୍ଥାନରେ ଥିବାବେଳେ ୨୦୧୭-୧୮ରେ ଏହି ସୂଚକାଙ୍କ ୧୩ ତମ ସ୍ଥାନକୁ ଖସିଛି। ୩୦ଟି ଜିଲ୍ଲାରୁ ୨୮ଟିରେ ପାନୀୟ ଜଳରେ ନାଇଟ୍ରେଟ୍ ମିଳୁଛି। ୩୧୪ ବ୍ଲକରୁ ୧୬୨ଟି ପଡ଼ା ଗାଁରେ ବିଶୁଦ୍ଧ ପାନୀୟ ଜଳ ଦିବାସ୍ବପ୍ନ ଭଳି। ୩୦ଟି ବ୍ଲକରେ ଫ୍ଲୋରାଇଡଯୁକ୍ତ ପାଣି ମିଳୁଛି। ଅଥଚ ସରକାରଙ୍କ ଆର୍‌ଡବ୍ଲ୍ୟୁଏସ୍‌ଏସ୍‌ କେବଳ ଫ୍ଲୋରାଇଡମୁକ୍ତ ପାଇଁ କୋଟିକୋଟି ଖର୍ଚ୍ଚ କରାଯାଇଥିବା କହୁଛି।୧୦୪ଟି ଗାଁରେ ମିଳୁଥିବା ପାଣିରେ ଲୌହ ପରିମାଣ ଏତେ ଯେ, ସେ ପାଣି ବ୍ୟବହାର ଉପଯୋଗୀ ହେଉନି। ଏଭଳି ସ୍ଥିତିରେ ମୁଖ୍ୟମନ୍ତ୍ରୀ ୨୦୨୨ ସୁଦ୍ଧା ସବୁ ଘରକୁ ସ୍ବଚ୍ଛ ପିଇବା ପାଣି ଯୋଗାଇବା ପାଇଁ ଘୋଷଣା କରିବାର କିଛି ଅର୍ଥ ନାହିଁ। କେନ୍ଦ୍ର ସରାକାରଙ୍କ ରିପୋର୍ଟ ଅନୁଯାୟୀ ରାଜ୍ୟରେ ଏବେ ବି ୪୮.୦୭% ଲୋକ ବାହାରେ ମଳମୁକ୍ତ ତ୍ୟାଗ କରୁଛନ୍ତି। ମନରେଗା ଯୋଜନା ଦୁର୍ନୀତିର ଗନ୍ତାଘର ପାଲଟିଛି। ଏହି ଯୋଜନାରେ ପଞ୍ଜୀକୃତ ହୋଇଥିବା ଲୋକଙ୍କୁ ୧୦୦ଦିନର କାମ ମିଳୁନି। ୧୦୦ ଦିନର କାମ ପାଉଥିବା ଲୋକଙ୍କ ସଂଖ୍ୟା ମାତ୍ର ୨.୨୦%। ରାଜ୍ୟରେ ମନରେଗା ଯୋଜନାରେ ପଞ୍ଜୀକୃତ ହୋଇଥିବା ୮ ହଜାର ୬୨୩ ଜଣ ଦିବ୍ୟାଙ୍ଗଙ୍କୁ ଆଦୌ କାମ ମିଳିନି ବୋଲି ଶ୍ରୀ ସେଠୀ ଅଭିଯୋଗ କରିଥିଲେ। ଏହାଛଡ଼ା ପଞ୍ଚାୟତି ରାଜ ବିଭାଗର ଅପାରଗତା ଦର୍ଶାଇବାକୁ ଯାଇ ଶ୍ରୀ ସେଠୀ କହିଥିଲେ ଚତୁର୍ଦ୍ଦଶ ଅର୍ଥ କମିସନ ସୁପାରିସ ଆଧାରରେ ଏହି ବିଭାଗ ପାଇଁ ମିଳିଥିବା କେନ୍ଦ୍ରୀୟ ଅନୁଦାନ ଖର୍ଚ୍ଚ ନହୋଇ ପଡ଼ିରହିଛି। ୧ ହଜାର ୮ କୋଟି ଟଙ୍କାର ବିନିଯୋଗ ପ୍ରମାଣପତ୍ର ଦେଇନଥିବାରୁ ବିଭିନ୍ନ ପ୍ରକଳ୍ପ ପାଇଁ କେନ୍ଦ୍ର ଅର୍ଥ ପ୍ରଦାନ କରୁନାହାନ୍ତି।

ଆଲୋଚନାରେ ଭାଗ ନେଇ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଥିଲେ, ସମ୍ବିଧାନର ୭୩ ତମ ସଂଶୋଧନରେ ୨୯ଟି ବିଷୟ ଉପରେ ଜିଲ୍ଲା ପରିଷଦ, ପଞ୍ଚାୟତ ସମିତି ଓ ପଞ୍ଚାୟତକୁ କ୍ଷମତା ପ୍ରଦାନ କରିବାକୁ ବ୍ୟବସ୍ଥା କରାଗଲା। କିନ୍ତୁ ତାକୁ ଏଯାଏଁ ସରକାର ପାଳନ କରୁନାହାନ୍ତି। ସେହିପରି ଆଦିବାସୀ ଅଞ୍ଚଳରେ ପେସା ଆଇନ ଲାଗୁ କରିବାକୁ କେନ୍ଦ୍ର ସରକାର ୧୯୯୬ ମସିହାରୁ ଆଇନ ପ୍ରଣୟନ କରିଥିଲେ ବି ରାଜ୍ୟ ସରକାର ଏ ନେଇ ରୁଲ୍‌ ଫ୍ରେମ୍‌ କରିନାହାନ୍ତି। ଏହାକୁ ନେଇ ସୁନ୍ଦରଗଡ଼ରେ ଆଦିବାସୀମାନେ ଆନ୍ଦୋଳନ କରିଥିଲେ। ଆଗକୁ ଆନ୍ଦୋଳନ ଆହୁରି ତୀବ୍ର ହେବ ଓ ସରକାର ସମ୍ଭାଳିପାରିବେନି ବୋଲି ଶ୍ରୀ ମିଶ୍ର ଗୃହରେ ଚେତାବନୀ ଦେଇଥିଲେ। ବଲାଙ୍ଗୀରର ସିନାପାଲ୍ଲୀରେ ଫ୍ଲୋରାଇଡଯୁକ୍ତ ପାଣି ସମସ୍ୟ ଉତ୍କଟ ରୂପ ଧାରଣ କରିଛି। ୨୦୦୭-୦୮ରେ ସ୍ଥାୟୀ କମିଟି ପ୍ରତ୍ୟେକ ପଞ୍ଚାୟତ ପାଇଁ ଜଣେ ଲେଖାଏଁ ସମ୍ପାଦକ ନିଯୁକ୍ତ କରିବାକୁ ସୁପାରିସ କରିଥିଲେ। ଆଜି ଜଣେ ଲେଖାଏଁ ସମ୍ପାଦକ ଏକାଧିକ ପଞ୍ଚାୟତ ଦାୟିତ୍ବରେ ଅଛନ୍ତି। ଫଳରେ ଜଣେ ହିତାଧିକାରୀ ଯଦି ଦରଖାସ୍ତଟିଏ ନେଇ ଆବେଦନ କରିବାକୁ ଯାଉଛି ତା ହେଲେ ସେ ସମ୍ପାଦକଙ୍କୁ ପାଉନି କି ତାର କାମଧନ୍ଦା ଯୋଗୁଁ ବାରମ୍ବାର ପଞ୍ଚାୟତ ଅଫିସକୁ ଦୌଡ଼ିପାରୁନି। ଲାଞ୍ଚ ଦେଉଥିବା ଗରିବ ପାଖରେ ସରକାରୀ ଯୋଜନା ପହଞ୍ଚୁଛି। ଆଜି ବ୍ଲକ୍‌ସ୍ତରରେ ପିସି କାରବାର ୧୫% ନୁହେଁ ୨୯% ପହଞ୍ଚିଥିବା ନେଇ ତାଙ୍କ ପାଖରେ ପ୍ରମାଣ ଅଛି ବୋଲି ଶ୍ରୀ ମିଶ୍ର କହିଥିଲେ। ଆବାସ ଯୋଜନାରେ ୧୦୦ଟି ଘର ପାଇଁ ବିଧାୟକ ସୁପାରିସ କରିବାକୁ ବ୍ୟବସ୍ଥା ଥିବାବେଳେ ଏ ବ୍ୟବସ୍ଥା କାର୍ଯ୍ୟକାରି ହେଉନି ବୋଲି ଶ୍ରୀ ମିଶ୍ର ଅଭିଯୋଗ କରିଥିଲେ।

ଜଟଣୀ ବ୍ଲକରେ ଆର୍‌ଡବ୍ଲ୍ୟୁଏସଏସର ଏଲିଜା ମଲ୍ଲିକ ନାମକ ଜଣେ ମହିଳା କନିଷ୍ଠ ଯନ୍ତ୍ରୀ ୮ ବର୍ଷ ହେଲା ରହି ଦୁର୍ନୀତି କରୁଥିବା ନେଇ ଅଭିଯୋଗ କରିଥିଲେ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ। ସମ୍ପୃକ୍ତ ମହିଳା କନିଷ୍ଠ ଯନ୍ତ୍ରୀ ଜଟଣୀ ବ୍ଲକରେ କରିଥିବା ୫୫ଟି ପାନୀୟ ଜଳ ପ୍ରକଳ୍ପରୁ ୪୩ଟି ଅଚଳ। ଏ ନେଇ ତୁରନ୍ତ ତଦନ୍ତ କରିବାକୁ ଗୃହରେ ଶ୍ରୀ ରାଉତରାୟ ଦାବି କରିଥିଲେ। ସେହିପରି ଏକାଧିକ ଯନ୍ତ୍ରୀ ସେହି ଭୁବନେଶ୍ବର, ଜଟଣୀ ଓ ଖୋର୍ଦ୍ଧା ବ୍ଲକରେ ୮ବର୍ଷରୁ ଉର୍ଦ୍ଧ୍ବ ବର୍ଷ ରହି ପିସି କାରବାର ଚଳାଇଛନ୍ତି। ଏପରିକି ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା ଓ ପେନସନ ପାଇଁ ଗରିବଙ୍କଠୁ ପିସି ନିଆଯାଉଥିବା ସେ ଅଭିଯୋଗ କରିଥିଲେ। ସେହିପରି ସରପଞ୍ଚ ଓ ସମିତି ସଭ୍ୟଙ୍କ ଦରମା ୫ ହଜାର ଲେଖାଏଁ କରିବା ସହିତ ଵାର୍ଡ଼ ମେମ୍ବରମାନଙ୍କୁ ମାସିକ ୨ ହଜାର ଟଙ୍କା ପ୍ରଦାନ କରିବାକୁ ସେ ଦାବି କରିଥିଲେ।

ଆଲୋଚନା ଶେଷରେ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନାଙ୍କ ତରଫରୁ ଗୃହରେ ଉତ୍ତର ରଖି ଯୋଜନା ଓ ସଂଯୋଜନ ମନ୍ତ୍ରୀ ପଦ୍ମନାଭ ବେହେରା କହିଥିଲେ, ୨୦୦୭-୦୮ ସ୍ଥାୟୀ କମିଟି ସୁପାରିସ ଅନୁଯାୟୀ ପଞ୍ଚାୟତ, ଜିଲ୍ଲା ପରିଷଦ ଓ ପଞ୍ଚାୟତ ସମିତି ପାଇଁ ଉଦ୍ଦିଷ୍ଟ ୨୯ଟି କ୍ଷମତାରୁ ୨୧ଟି ପ୍ରଦାନ କରାଯାଇଛି। ସେହିପରି ୧୯୯୬ ପେସା ଆଇନକୁ ୧୯୯୭ରେ ରାଜ୍ୟ ସରକାର ଗ୍ରହଣ କରିସାରିଛନ୍ତି। ଏ ନେଇ ସରକାର ରୁଲ୍‌ ଫ୍ରେମ୍‌ କରୁଛନ୍ତି। ଖୁବଶୀଘ୍ର କ୍ୟାବିନେଟ ମଞ୍ଜୁରି ମିଳିବା ପରେ କାର୍ଯ୍ୟକାରୀ ହେବ। ପିଇବା ପାଣି ଯୋଗାଣକୁ ସୁନିଶ୍ଚିତ କରିବା ପାଇଁ ଚଳିତ ଥର ବଜେଟରେ ପର୍ଯ୍ୟାପ୍ତ ବ୍ୟୟ ବରାଦ କରାଯାଇଛି। ସିନାପାଲ୍ଲୀରେ ୫ଟି ପାନୀୟ ଜଳ ପ୍ରକଳ୍ପ କାମ ସମ୍ପୂର୍ଣ୍ଣ ହୋଇଥିବାବେଳେ ୧୩ଟିରେ କାମ ଚାଲୁଥିବା ଶ୍ରୀ ବେହେରା କହିଥିଲେ। ମନ୍ତ୍ରୀଙ୍କ ଉତ୍ତର ପରେ ଗୃହରେ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ୧୮ ହଜାର ୯୨୭ କୋଟି ୨୫ ଲକ୍ଷ ୬୯ ହଜାର ଟଙ୍କାର ଖର୍ଚ୍ଚ ଦାବି ଗୃହୀତ ହୋଇଥିଲା।

ଅନ୍ୟ ବିଧାୟକମାନଙ୍କ ଭିତରେ ଅରବିନ୍ଦ ଢାଲି, ସୀମାରାଣି ନାୟକ, ସୁନନ୍ଦା ଦାସ, ନିତ୍ୟାନନ୍ଦ ସାହୁ, ମଦନ ମୋହନ ଦତ୍ତ, ବାସନ୍ତୀ ହେମ୍ବ୍ରମ୍, ପ୍ରଦୀପ ଦିଶାରୀ, ସନ୍ତୋଷ ସିଂହ ସାଲୁଜା, ସୁକାନ୍ତ କୁମାର ନାୟକ, କିଶୋର ଚନ୍ଦ୍ର ନାୟକ, ଭାସ୍କର ମଢ଼େଇ, ଗଣେଶ ରାମ ସିଂହ ଖୁଣ୍ଟିଆ, ତାରା ପ୍ରସାଦ ବାହିନୀପତି ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ।