ଆମ ସମୟର ଜଣେ ବିଶିଷ୍ଟ ସନ୍ଥ ପ୍ରବଚକ ହେଲେ ସାଧୁ ଗୌରଗୋପାଳ ଦାସ। ଇସ୍କନର ଏହି ମହାନ ପ୍ରବକ୍ତା ବୃତ୍ତିରେ ଇଂଜନିୟର୍ ଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ଗୌଡ଼ୀୟ ବୈଷ୍ଣବ ଧର୍ମରେ ଦୀକ୍ଷିତ ହୋଇ ତତ୍ପରାନ୍ତେ କୃଷ୍ଣ ଚେତନା ପ୍ରସାରଣରେ ବ୍ରତୀ ହେଲେ। ଅନେକ ରାଷ୍ଟ୍ରରେ ତାଙ୍କର ଅନେକ ଅନୁଗାମୀ, ଅନେକ ଧର୍ମୀୟ ତଥା ଜୀବନସାଧନ ପୁସ୍ତକର ରଚୟିତା ସେ, ଅନେକ ସମ୍ମାନରେ ବିଭୂଷିତ। ତାଙ୍କର କଥାମୃତ ଶ୍ରବଣ ମାତ୍ରକେ ଦେହରେ ଆସେ ଅପୂର୍ବ ପୁଲକ। ଏସବୁ ଫେସବୁକ୍ ଠାରୁ ଆରମ୍ଭ କରି ୟୁଟୁବ୍ ଯାଏ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ବହୁଧା ପ୍ରଚାରିତ ଓ ପ୍ରସାରିତ। ତା’ ଭିତରୁ ଗୋଟିଏ କଥନିକାର ଉଦ୍ଧାର କରୁଚି ଏଠି।
ଦିନେ କୌଣସି ଏକ ବିମାନବନ୍ଦରରୁ ବିମାନଟିଏ ଅନ୍ୟ ଏକ ଗନ୍ତବ୍ୟ ସ୍ଥଳକୁ ଯାତ୍ରା ଆରମ୍ଭ କଲା। ଭିତରେ ଯାତ୍ରୀମାନେ ଗପସପରେ ମସଗୁଲ୍ ଥାଆନ୍ତି। ପରିଚାରିକାମାନେ ଚା’ ଜଳଖିଆ ପରିବେଷଣରେ ବ୍ୟସ୍ତ ଥାଆନ୍ତି। ଜଣେ ବୟସ୍କ ଯାତ୍ରୀଙ୍କ ପାଖରେ ଅଚିହ୍ନା ଝିଅଟିଏ ବସି ଯାତ୍ରା କରୁଥାଏ। ଯାତ୍ରୀ ଜଣକ ମୋବାଇଲ୍ ଦେଖୁଥା’ନ୍ତି, ମାତ୍ର ଝିଅଟି ମସଗୁଲ୍ ଥାଏ ହାତରେ ଧରିଥିବା ହ୍ୟାରି ପୋଟରଙ୍କ କୌଣସି ଏକ ଉପନ୍ୟାସକୁ ନେଇ। କିଛି ବାଟ ବିମାନ ଯାତ୍ରା କରିବା ପରେ ବିମାନଟି ଦୋହଲିବାକୁ ଲାଗିଲା। ଯାତ୍ରୀମାନଙ୍କ ଭିତରେ କୋଳାହଳ ଆରମ୍ଭ ହେଇଗଲା। ବିମାନ କର୍ମୀମାନେ ଖାଦ୍ୟ ଯୋଗାଣ ସ୍ଥଗିତ ରଖି ସମସ୍ତଙ୍କୁ ସିଟ୍ ବେଲ୍ଟ ବାନ୍ଧିବାକୁ ନିର୍ଦ୍ଦେଶ ଦେଲେ। ଝିଅଟି ସେମିତି ନିର୍ବିକାର ଭାବେ ବସି ହ୍ୟାରି ପୋର୍ଟର୍ ପଢୁଥାଏ। ଜଣାପଡ଼ିଲା ବାହାରେ ପାଣିପାଗ ଜନିତ କାରଣରୁ ବିମାନଟି ନିୟନ୍ତ୍ରଣ ହରାଇଛି। ବିମାନଟିର ଦୋହଲିବା ବଢ଼ିଚାଲିଥିବାରୁ ଯାତ୍ରୀମାନେ ଭୟ ଓ ଆତଙ୍କରେ ତ୍ରାହି ତ୍ରାହି ଡାକିଲେ। ମାତ୍ର ଝିଅଟି ବିନା ଚିନ୍ତାରେ ବସି ବହୁ ପଢୁଥାଏ। ପାଇଲଟ୍ ଘୋଷଣା କଲେ ଯେ ବିମାନଟିର ଆପାତକାଳୀନ ଅବତରଣ କରାଯିବ ତେଣୁ ସମସ୍ତେ ସତର୍କ ରୁହନ୍ତୁ। ବିମାନଟି ବଡ଼ କଷ୍ଟରେ ନିକଟବର୍ତ୍ତୀ ଏକ ବନ୍ଦରରେ ନିରାପଦରେ ଅବତରଣ କଲା। ବୟସ୍କ ଯାତ୍ରୀ ଜଣଙ୍କ ଇଶ୍ବରଙ୍କୁ କୃତଜ୍ଞତା ଜଣେଇଲେ। ଝିଅଟି ସେମିତି ବସି ବହି ପଢୁଥାଏ। ସେ ବୟସ୍କ ଯାତ୍ରୀ ଜଣକ ତା’କୁ ଆଶ୍ଚର୍ଯ୍ୟ ହୋଇ ପଚାରିଲେ, ଝିଅ ଏତେ ବିପଦ ଆଶଙ୍କା ଭିତରେ ତମେ କେମିତି ଏତେ ନିଶ୍ଚିନ୍ତରେ ବସି ବହି ପଢୁଥିଲ? ତୁମକୁ ଭୟ ଲାଗୁନଥିଲା? ଝିଅଟି ବହି ବନ୍ଦ କରି ହସହସ ମୁହଁରେ କହିଲା ନାଁ, ମୁଁ ଡରିବି କାହିଁକି? ମୋ’ ବାପା ତ ନିଜେ ଏ ବିମାନର ପାଇଲଟ୍। ମତେ ନିରାପଦରେ ନେଇ ଲକ୍ଷ୍ୟସ୍ଥଳରେ ପହଞ୍ଚାଇବା ଦାୟିତ୍ବ ଯେତେବେଳେ ତାଙ୍କର, ମୁଁ ଆଉ କୋଉ କଥାକୁ ଡରିବି? ମୋର ସୁରକ୍ଷା ଦାୟିତ୍ବ ଆଉ କିଏ ଅଧିକ ଦାୟିତ୍ବର ସହ ପାଳନ କରିପାରିଥାନ୍ତା? ବାପା ଚଳାଉଥିବା ବିମାନରେ ବସିଥିଲା ବେଳେ ମୋର ପୁଣି ଚିନ୍ତା କାହିଁକି ରହିଥାନ୍ତା? ତେଣୁ ମୁଁ ନିଶ୍ଚିନ୍ତରେ ଥିଲି ଯେ ଯାହା ହେଉଥିବ ନିଶ୍ଚୟ ଭଲରେ ହଉଥିବ। ତେଣୁ ମୁଁ ମୋ’ କାମରେ ବ୍ୟସ୍ତଥିଲି। ମୋ’ ସୁରକ୍ଷା ଚିନ୍ତା ମୋ’ ବାପାଙ୍କର ଯେତେବେଳେ ମୋର ଡର ଆଉ କୋଉ କଥାକୁ ?
କଥାଟି ଗପ ହୋଇପାରେ। ମାତ୍ର ଦୈନନ୍ଦିନ ଜୀବନରେ ଏହାର ଅନୁଶୀଳନ ଅନେକ ଅର୍ଥ ରଖେ। ସଂସାର ନାମକ ବିମାନରେ ଆମେ ଯେତେବେଳେ ଯାତ୍ରା କରୁଥାଉ, ଜଞ୍ଜାଳ ନାମକ ପାଣିପାଗମାନେ ସେହି ବିମାନକୁ ଦୋହଲାଇବାର ପ୍ରୟାସ କରିଥା’ନ୍ତି। ମାତ୍ର ସେ ବିମାନର ଚାଳକ ତ ନିଜେ ମହାପ୍ରଭୁ। ଯିଏ ଜଗନ୍ନାଥ, ସିଏ ରାମ, ସିଏ କୃଷ୍ଣ। ଯିଏ ଯୋଉ ରୂପରେ ତାଙ୍କୁ ପୂଜା କରୁ ନା କାହିଁକି ସେ ସଂସାର ନାମକ ବିମାନର ବୈମାନିକ। ସେ ବିମାନ ଉଡ଼ାଇଲା ବେଳେ ଭଲରେ ଜାଣିଥାନ୍ତି ଯେ ତାଙ୍କରି ସନ୍ତାନ ସେ ବିମାନରେ ବସିଚି ଏବଂ ତାଙ୍କରି ଉପରେ ଭରସା କରି ସେ ବସିଚି। ତାକୁ ସୁରକ୍ଷିତ ଭାବେ ପାରି କରିବା ଦାୟିତ୍ବ ତାଙ୍କର। ତାଙ୍କୁ ନିଶ୍ଚୟ କେହି ନା କେହି ଆମ ପାଇଁ ପ୍ରାର୍ଥନା କରୁଥିବ ଯେ ଭଲକରି ନାଆ ବୁହାରେ ନାଉରୀ ଝିଅକୁ ମାଡୁଚି ଡର। ତାଙ୍କ କାନରେ ସବୁ ବାଜେ। ତେଣୁ ସେ ନିଶ୍ଚୟ ନିଜ ସନ୍ତାନ ସନ୍ତତିଙ୍କୁ ନେଇ ଭଲରେ ପହଞ୍ଚେଇବେ, ଏ ବିଶ୍ବାସ ରହିଲେ ଯାତ୍ରୀ ଅନାଶଙ୍କିତ, ନିରଙ୍କୁଶ ଓ ଚିନ୍ତାମୁକ୍ତ ହେବ। ଯାହାର ଇଶ୍ବରଙ୍କ ଉପରେ ଏ ବିଶ୍ବାସ ଯେତେ କମ୍ ସେ ସେତେ ବେଶୀ ବିଚଳିତ ହେବ, ଆତଙ୍କିତ ହେବ, ନିଜ ପାଇଁ ସୁରକ୍ଷା ଜ୍ୟାକେଟ୍ ଓ ପାରାଚୁଟ୍ ଖୋଜିବ। ମାତ୍ର ଭଗବାନ ଯେ ନିଜର ସୁରକ୍ଷା ଜ୍ୟାକେଟ୍ ଓ ପାରାଚୁଟ୍ ଏକଥା ଥରେ ଭାବିଦେଲେ ଆଉ ଚିନ୍ତା ରହିବ ନାହିଁ। ମନେପଡେ ମହାଭାରତର ଦ୍ରୌପଦୀଙ୍କ କଥା। କୁରୁସଭାରେ ନିର୍ଯାତନା ବେଳେ ସେ ଦୁଃଶାସନ ସହ ସଂଗ୍ରାମ କରୁଥିଲେ ନିଜ ଇଜ୍ଜତ ବଞ୍ଚାଇବା ପାଇଁ। ବିଚଳିତ, ବିବ୍ରତ ହୋଇ ପଡୁଥିଲେ, ଅସହାୟ ହୋଇପଡୁଥିଲେ ମହାବଳୀ ଦୁଃଶାସନର ବଳାତ୍କାର ଓ ଦୁର୍ଯ୍ୟୋଧନର ବ୍ୟଙ୍ଗ ଅଟ୍ଟହାସ୍ୟ ଆଗରେ। ନିଜକୁ ରକ୍ଷା କରିବାର ସମସ୍ତ ପ୍ରୟାସ ଯେତେବେଳେ ବିଫଳ ହେବାରେ ଲାଗିଲା, ସେ ଦୁଇହାତ ଟେକି ଥରେ ଯେତେବେଳେ କୃଷ୍ଣଙ୍କୁ ଡାକିଦେଲେ, ନିରାଶ୍ରୟ ମାଂ ଜଗଦୀଶ ରକ୍ଷ, ଲମ୍ବି ଆସିଲା ସେତେବେଳେ କୋଟି ବସ୍ତ୍ର। ଭକ୍ତି ଓ ପ୍ରେମର ଯେଉଁ ପଣତଚିରା କନାଟିକକ ଥରେ ସେ ବାନ୍ଧି ଦେଇଥିଲେ କୃଷ୍ଣଙ୍କ ହାତରେ ତାହା ହିଁ ବହୁଗୁଣିତ ହୋଇ ଫେରିଆସିଲା କୋଟି ବସ୍ତ୍ର ହୋଇ। ଆଉ ତାଙ୍କୁ ଅସହାୟ ହେବାକୁ ପଡ଼ିନଥିଲା। ମାନ ରହିଥିଲା ତାଙ୍କର।
ସେହି ବିଶ୍ବନିୟନ୍ତା ସମସ୍ତଙ୍କୁ ସୃଷ୍ଟି ଯେତେବେଳେ କରିଛନ୍ତି, ସମସ୍ତଙ୍କ ଜନ୍ମଜାତକ ମଧ୍ୟ ପ୍ରସ୍ତୁତ କରିଛନ୍ତି। ସବୁ ସନ୍ତାନଙ୍କୁ ବାପା ମା’ ଯେମିତି ସମାନ ସ୍ନେହ କରିଥା’ନ୍ତି, ସମସ୍ତଙ୍କ ପାଠପଢ଼ା, ଖାଦ୍ୟପେୟ ସବୁର ବ୍ୟବସ୍ଥା କରିଥା’ନ୍ତି, ସେମିତି ଜଗତର ନାଥ ତାଙ୍କର ସବୁ ସନ୍ତାନଙ୍କର ସମାନ ଭାବେ ମଙ୍ଗଳ କାମନା କରିଥା’ନ୍ତି। ପିଲାଙ୍କ ଭିତରେ ଯିଏ ଅଧିକ ଦୁଷ୍ଟ ହୁଏ, ଅମାନିଆ ହୁଏ, ସିଏ ଯେମିତି ବାପା ମାଆଙ୍କ ଠାରୁ ବିଧାଏ, ଖୁନ୍ଦାଏ ଖାଇଥାଏ, ସେମିତି ଈଶ୍ବର ଯାହାକୁ ଦୁଷ୍ଟ ଓ ଅମାନିଆ ଭାବନ୍ତି ତା’କୁ ସାମୟିକ ଦଣ୍ଡ ବି ଦେଇଥା’ନ୍ତି। ମାତ୍ର ସବୁ ଦଣ୍ଡ ପଛରେ ଥାଏ ସୁଧାରିବାର ପ୍ରୟାସ। ଯିଏ ନ ସୁଧୁରେ, ତିନିପାଞ୍ଜିରୁ ଯାଏ। ଯିଏ କଥା ମାନି ଚଳେ, ବିଶ୍ବାସ ଓ ଭକ୍ତି ରଖେ, ତା’କୁ ଈଶ୍ବର ଗେହ୍ଲାପୁଅ କରି କୋଳରେ ବସାନ୍ତି। ସେଇ କୋଳରେ ବସିବାର ଭାଗ୍ୟ ଟିକକ ପାଇବାକୁ ହେଲେ ଆମକୁ ତାଙ୍କର ସ୍ନେହଭାଜନ ହେବାକୁ ପଡ଼ିବ। ତାଙ୍କୁ ପ୍ରେମ, ଭକ୍ତି ଓ ବିଶ୍ବାସରେ ତୁଷ୍ଟ କରିବାକୁ ପଡ଼ିବ। ତାଙ୍କୁ ତୁଷ୍ଟ କରିବାକୁ ସୁନା, ରୁପା, ଟଙ୍କା ଦେଇ ପ୍ରଲୁବ୍ଧ କରିବାର ଆବଶ୍ୟକତା ନାହିଁ। ତାଙ୍କୁ ପ୍ରେମରେ ବାନ୍ଧି ରଖିବା ପାଇଁ କେବଳ ଅନ୍ତରର ଶ୍ରଦ୍ଧା, ମନର ଭକ୍ତି, ହୃଦୟର ଆବେଗ ଯଥେଷ୍ଟ। ତାଙ୍କ ଉପରେ ବିଶ୍ବାସ ରଖି ଚାଲିଲେ ବାଟରେ କଣ୍ଟା ବି ଫୁଲ ପାଲଟିଯିବ। ଶତ୍ରୁର ସବୁ ଷଡ଼୍ଯନ୍ତ୍ରକୁ କାଟିଦେବ ତାଙ୍କର ଅଦୃଶ୍ୟ ବ୍ରହ୍ମାସ୍ତ୍ର। ବିପଦ ବି ପରିବର୍ତ୍ତିତ ହୋଇଯିବ ସମ୍ପଦରେ। ମଝି ନଈରେ ବି ଫିଟିଯିବ ବାଟ। ଖାଲି ଦୁଇହାତ ଟେକି ଡାକିବାର ଅଛି, ନିରାଶ୍ରୟ ମାଂ ଜୟଦୀଶ ରକ୍ଷ !
-ମୁଖ୍ୟ ପ୍ରଶାସକ, ଶ୍ରୀମନ୍ଦିର
ମୋ-9437286512