ସମ୍ବଲପୁର/ବରଗଡ : ଚାଷୀ ମୁଣ୍ଡରେ ପୁଣି ଚକଡ଼ା ଚଡ଼କ। ଅଚାନକ ତାପମାତ୍ରା ବୃଦ୍ଧି ଯୋଗୁଁ ଧାନ ଫସଲରେ ଲାଗିଛି ଚକଡ଼ା ପୋକ। ସମ୍ବଲପୁର ଜିଲ୍ଲାର ୬୯୧.୬୦ ଏକର ଧାନ ଫସଲ ପ୍ରଭାବିତ ହୋଇଛି।
ଖରିଫ ଫସଲରେ ଚକଡ଼ା ଯୋଗୁଁ ହଜାର ହଜାର ଏକର ଧାନ ଫସଲ କ୍ଷତିଗ୍ରସ୍ତ ହୋଇଥିଲା। ଚାଷୀ ନିଜ ଜମିରେ ନିଆଁ ଲଗାଇ ଦେଇଥିଲେ।
ଚକଡ଼ାରେ ଧାନ ଫସଲ ନଷ୍ଟ ହୋଇଯିବା ପରେ ବରଗଡ଼ ଜିଲ୍ଲାର କଳାପାଣି ଗାଁରେ ବୃନ୍ଦାବନ ସାହୁ ଚାଷ ଜମିରେ ନିଆଁ ଲଗାଇ ପ୍ରତିବାଦ କରିବାର ପର ଦିନ ବିଷ ପିଇ ଆତ୍ମହତ୍ୟା କରିଥିଲେ। ସମ୍ବଲପୁର ଜିଲ୍ଲାର ଧନକଉଡ଼ା ବ୍ଲକ ଚାରପାଲି ଗାଁର ଚାଷୀମାନେ ନିଜ ଧାନ ଫସଲରେ ନିଆଁ ଲଗାଇ ପୋଡ଼ି ଦେଇଥିଲେ। ଏବେ ସେହି ଚାରପାଲି ଗାଁରେ ପୁଣି ଚକଡ଼ା ଉପଦ୍ରବ ଦେଖିବାକୁ ମିଳିଛି।
ଚାଷୀ ଆନନ୍ଦ ଛୁରିଆ ୫୦ ଏକର ଜମିରେ ଧାନ ଫସଲ କରିଥିବା ବେଳେ ସେଥିରୁ ପାଖାପାଖି ୧୫ ଏକର ଜମିର ଫସଲ ଚକଡ଼ା ପ୍ରଭାବିତ ହୋଇଛି। ସମ୍ବଲପୁର ଜିଲ୍ଲାର ମୁଖ୍ୟତଃ ଧନକଉଡ଼ା, ମାନେଶ୍ୱର ଓ ଯୁଯୁମୁରା ବ୍ଲକରେ ରବିି ଫସଲ ହୋଇଥାଏ। ଗତ ୧୭ ଏପ୍ରିଲ ସୁଦ୍ଧା ଜିଲ୍ଲାର ୧୯୨.୬୬ ଏକର(୭୮ ହେକ୍ଟର) ଜମିରେ ଚକଡ଼ା ଲାଗିଥିଲା।
ତେବେ ୨୦ ଏପ୍ରିଲ ସୁଦ୍ଧା ଆହୁରି ୪୯୮.୯୪ ଏକର ଧାନ ଫସଲକ୍ୁ ବ୍ୟାପିଛି। ଏହି ୩ଟି ବ୍ଲକ ମଧ୍ୟରୁ ମାନେଶ୍ୱର ବ୍ଲକରେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିବା କୃଷି ବିଭାଗ ପକ୍ଷରୁ କୁହାଯାଇଛି। ଅପରପକ୍ଷରେ ଧନକଉଡ଼ା ବ୍ଲକର ଚିପିଲିମା ଅଂଚଳରେ ବେଶି ଫସଲ ପ୍ରଭାବିତ ହୋଇଥିବା ଜଣାପଡ଼ିଛି। ଚାଷୀମାନେ ଫସଲରେ ୨/୩ ଥର ଲେଖାଏଁ କୀଟନାଶକ ପକାଇବା ପରେ ମଧ୍ୟ କିଛି ଲାଭ ହୋଇ ନାହିଁ। ଜିଲ୍ଲାରେ ବିଶେଷ କରି ଆଗୁଆ ଚାଷ ହୋଇଥିବା ଧାନ ଫସଲରେ ଚକଡ଼ା ପୋକ ଲାଗିଥିବା ଦେଖିବାକୁ ମିଳିଛି। ଚକଡ଼ା ପୋକ ଲାଗିିବା ପଛରେ ତାପମାତ୍ରା ବୃଦ୍ଧି ପ୍ରମୁଖ କାରଣ ବୋଲି କୁହାଯାଉଛି। ସମ୍ବଲପୁର ଜିଲ୍ଲାରେ ଏପ୍ରିଲ ମାସରେ ପାରଦ ୪୨ ଡିଗ୍ରି ଛୁଇଁଲାଣି। ତାତି ଯୋଗୁଁ କ୍ଷେତରେ ପାଣି ମଧ୍ୟ ଗରମ ହୋଇଯାଇଛି। ତାତିରୁ ବର୍ତିବା ନିମନ୍ତେ ପୋକଗୁଡ଼ିକ ମାଟି ଭିତରୁ ଯାଇ ଧାନଗଛ ମୂଳ ଖାଇଯାଉଥିବା ଜଣେ କୃଷି ବିଶେଷଜ୍ଞ କହିଛନ୍ତି।
ଏ ସଂକ୍ରାନ୍ତରେ ଭାରପ୍ରାପ୍ତ କୃଷି ଉପନିର୍ଦେଶକ ଖଗେନ୍ଦ୍ର ନାଥ ଜେନାଙ୍କ ପ୍ରତିକ୍ରିୟା ହେଲା, ଜିଲ୍ଲାର ୩ଟି ଯାକ ବ୍ଲକରେ ଚାଷୀମାନଙ୍କ ନିମନ୍ତେ ଭଲ କମ୍ପାନିର ପର୍ଯ୍ୟାପ୍ତ ପରିମାଣର କୀଟନାଶକ ରଖାଯାଇଛିି। ଚାଷୀମାନଙ୍କୁ ୫୦ ପ୍ରତିଶତ ରିହାତି ଦରରେ ତାହା ଯୋଗାଇ ଦିଆଯାଉଛି। ମାତ୍ର ଚାଷୀମାନେ ତାହା ବ୍ୟବହାର ନକରି ବେପାରିମାନଙ୍କଠାରୁ ନିମ୍ନମାନର ଔଷଧ କିଣୁଛନ୍ତି ବୋଲି ଶ୍ରୀ ଜେନା କହିଛନ୍ତି। ଅପରପକ୍ଷରେ ସମ୍ବଲପୁର ଜିଲ୍ଲା କୃଷକ ସୁରକ୍ଷା ସଂଗଠନର ଉପସଭାପତି ଉମେଶ ମିଶ୍ର କହିଛନ୍ତି, କୃଷି ବିଭାଗ ଚକଡ଼ା ପୋକ ଦମନ ପାଇଁ ଚାଷୀମାନଙ୍କୁ ସଚେତନ କରାଇବାରେ ବିଫଳ ହୋଇଛି। କୃଷି ବିଭାଗର ଅଧିକାରୀ ଓ କର୍ମଚାରୀମାନେ ଗାଁ କୁ ଆସୁନାହାନ୍ତି। ଚାଷୀ ପାଖ ବଜାରରେ ଯାହା ଉପଲବ୍ଧ ବାଧ୍ୟ ହୋଇ ତାହା ବ୍ୟବହାର କରୁଛି। ଗୋଟିଏ କଂପାନିର କୀଟନାଶକ ବ୍ୟବହାର କରି ଫେଲ୍ ମାରିଲେ ଅନ୍ୟ କଂପାନିର କୀଟନାଶକ କ୍ଷେତରେ ପକାଉଛନ୍ତି। ଦୋକାନଗୁଡ଼ିକରେ ନିମ୍ନମାନର କୀଟନଶକ ବିକ୍ରି ହେଉଥିବା ଜାଣିବା ପରେ ମଧ୍ୟ କୃଷି ବିଭାଗ ନିରବଦ୍ରଷ୍ଟା ସାଜିଛି। ଦୋକାନଗୁଡ଼ିକରେ କ’ଣ ପାଇଁ ଚଢ଼ଉ କରାଯାଉ ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି। ସମ୍ବଲପୁର ଭଳି କୃଷିବହୁଳ ଜିଲ୍ଲାରେ ଗୁରୁତ୍ୱପୂର୍ଣ୍ଣ କୃଷି ଉପନିର୍ଦେଶକ ପଦ ଖାଲି ରଖାଯାଇ ଦେବଗଡ଼ ଜିଲ୍ଲାରୁ ଜଣେ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯିବା କେତେ ଯୁକ୍ତିଯୁକ୍ତ ବୋଲି ସେ ଶ୍ରୀ ମିଶ୍ର କହିଛନ୍ତି।
ଉଲ୍ଲେଖଥାଉକି, ଚକଡା ପୋକର ପ୍ରଭାବ ବରଗଡ ଜିଲ୍ଲା ଉପରେ ବି ପଡିଛି। ବରଗଡ଼ ବ୍ଲକ ଅନ୍ତର୍ଗତ ସରସରା ଗାଁରେ ଚକଡ଼ା ପ୍ରକୋପ ଆରମ୍ଭ ହୋଇଛି। ଶହଶହ ଏକର ଜମିରେ ଚକଡ଼ା ଚାପି ଯାଇଛି। ଗାଁର ଚାଷୀ ଜୁମାଟ ଭୋଇଙ୍କ କହିବା ହେଲା, ସେ ୨୦ ଏକର ଜମିରେ ରବି ଧାନ ଚାଷ କରିଛନ୍ତି। ସପ୍ତାହେ ହେଲା ଚକଡ଼ା ପୋକ ମାଡ଼ି ଯାଇଛି। ପ୍ରଥମ ଦଫାରେ ୧୫ ହଜାର ଟଙ୍କାରେ କୀଟନାଶକ ସଂଚନ କରିବାକୁ ସେ ପ୍ରସ୍ତୁତ ହେଉଛନ୍ତି। ଗତବର୍ଷ ସେ ୬୦ ହଜାର ଟଙ୍କାର କୀଟନାଶକ ସିଂଚନ କରିଥିଲେ। ହେଲେ ଚକଡ଼ା ମରିନଥିଲା। ମୋଟ ୨୦ ଏକରରୁ ମାତ୍ର ୧୨୦ ବସ୍ତା ଧାନ ମିଳିଥିଲା। ହେଲେ କ୍ଷତିପୂରଣ ବାବଦକୁ ମାତ୍ର ୧୨ହଜାର ଟଙ୍କା ମିଳିଥିଲା। ଅନ୍ୟ ଜଣେ ଚାଷୀ ବୁଠି ମାଡ୍ରାସି ମଧ୍ୟ ସମାନ କଥା କୁହନ୍ତି। ଏଥରରେ ସେ ୧୨ ଏକର ଜମିରେ ଧାନ ଚାଷ କରିଛନ୍ତି। କିନ୍ତୁ ଚାରି ପଟେ ଚକଡ଼ା ମାଡ଼ି ଯାଇଛନ୍ତି। ଦୁଇଥର କୀଟନାଶକ ସିଂଚନ କରିଛନ୍ତି। ହେଲେ ଏଥିରୁ କିଛି ଫାଇଦା ମିଳୁନାହିଁ। ଚକଡ଼ା କ୍ରମଶଃ ବଢ଼ି ଚାଲିଛି। ଜିଲ୍ଲାର ଭେଡ଼େନ, ଅତାବିରା, ବରପାଲି ବ୍ଲକରେ ମଧ୍ୟ କିଛିକିଛି ଜମିରେ ଚକଡ଼ା ଦେଖା ଗଲାଣି। ଚାଷୀମାନେ ହଜାର ହଜାର ଟଙ୍କାରେ କୀଟନାଶକ ପ୍ରୟୋଗ କଲେବି ଚକଡ଼ାରୁ ନିସ୍ତାର ମିଳୁନି।