ଚାଷୀ ଚିହ୍ନଟ ପାଇଁ ବାଉଳା

ଭୁବନେଶ୍ୱର : ମରୁଡି ଓ ପୋକ ଯୋଗୁଁ କ୍ଷତିଗ୍ରସ୍ତ ଚାଷୀଙ୍କ ଲାଗି ଦୁଇଟି ପର୍ଯ୍ୟାୟରେ ରାଜ୍ୟ ସରକାର ପ୍ୟାକେଜ୍‌ ଘୋଷଣା କରିଛନ୍ତି। ପ୍ରଥମେ ମରୁଡି ପାଇଁ ୨୧୬ କୋଟି ଓ ଗତକାଲି ପୋକ ଲାଗିବା ପାଇଁ ୧୨୪ କୋଟି ଏମିତି ୩୪୦ କୋଟିର ପ୍ୟାକେଜ୍‌ ପ୍ରସ୍ତୁତ କରାଯାଇଛି। ସରକାର କହିଛନ୍ତି, ପ୍ରକୃତ ଚାଷୀଙ୍କୁ ହିଁ ଇନ୍‌ପୁଟ୍‌ ସବ୍‌ସିଡି ମିିଳିବ। ଆଉ ଦୁଇ ପାଦ ଆଗକୁ ଯାଇ ଆଜି ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଯେ ୨୦୧୫ ମସିହାରେ ପ୍ରକୃତ ଚାଷୀଙ୍କୁ ଚିହ୍ନଟ ଲାଗି କିଛି ପରିମାଣରେ ଉଦ୍ୟମ କରାଯାଇଥିଲା। ଏବେ ସେଥିରେ ଆଉଟିକେ ସୁଧାର ଆଣି ରାଜସ୍ୱ ବିଭାଗ ଖୁବ୍‌ଶୀଘ୍ର ସ୍ୱତନ୍ତ୍ର ନିୟମାବଳୀ ଜାରି କରିବ।

ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ,ଏ ନେଇ ସ୍ୱତନ୍ତ୍ର ରିଲିଫ୍‌ କମିସନରଙ୍କ କାର୍ଯ୍ୟାଳୟ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି। ଗାଁ କମିଟି, ସରପଞ୍ଚ ପ୍ରମୁଖଙ୍କ ମାଧ୍ୟମରେ ପ୍ରକୃତ ଚାଷୀଙ୍କୁ ଚିହ୍ନଟ କରାଯିବ। ଯେଉଁ ଚାଷୀମାନେ  ଜମିର ମାଲିକ ନୁହନ୍ତି, ଅଥଚ ଧାନ ବିକ୍ରି ପ୍ରକ୍ରିୟାରେ ସାମିଲ ହୋଇ ନାମ ରେଜିଷ୍ଟ୍ରେସନ

କରିଛନ୍ତି, ସେମାନଙ୍କୁ ମଧ୍ୟ ପ୍ରକୃତ ଚାଷୀ ଭାବେ ଚିହ୍ନଟ କରି ସରକାର ଇନ୍‌ପୁଟ୍‌ ସବ୍‌ସିଡି ସହାୟତା ଦେବା ଲାଗି ଚିନ୍ତା କରୁଛନ୍ତି।

ହେଲେ ମନ୍ତ୍ରୀଙ୍କ ଏଭଳି ମନ୍ତବ୍ୟକୁ ନେଇ ବଡ଼ ଧରଣର ବିଭ୍ରାନ୍ତି ମୁଣ୍ଡଟେକିଲାଣି। ଜମି ମାଲିକ, ବିଶେଷକରି ମଧ୍ୟବିତ୍ତ ପରିବାରରେ ଭାଳେଣି ପଡିଛି ଓ ଜମି ସତ୍ତ୍ୱ ଚାଲିଯିବା ଲାଗି ନେଇ ସେମାନେ ଆଶଙ୍କା ଭିତରେ ଛନ୍ଦି ହୋଇଯାଇଛନ୍ତି।

ଉଲ୍ଲେଖଯୋଗ୍ୟ, ଭୂସଂସ୍କାର ଆଇନ ଅନୁସାରେ, ଓଡ଼ିଶାରେ ଭାଗଚାଷ ବ୍ୟବସ୍ଥାକୁ ନିଷିଦ୍ଧ କରାଯାଇଛି। ଯଦି କୌଣସି ଜମି ମାଲିକ ତାଙ୍କ ଜମି ନିଜେ ଚାଷ ନ କରି ଚାଷୀକୁ ଭାଗରେ ଦେଇଥାନ୍ତି ବୋଲି ପ୍ରମାଣିତ ହୁଏ, ତେବେ ସଂପୃକ୍ତ ବ୍ୟକ୍ତି ଜମିର ମାଲିକାନା ହରାଇବେ।  ଏହା ସତ୍ତ୍ୱେ ଅଧିକାଂଶ ଜମି ଥିବା ବ୍ୟକ୍ତି ସରକାରୀ ଚାକିରି ଓ ଅନ୍ୟ ଜୀବିକାରେ ଥିବା କାରଣରୁ ନିଜ ଜମି ଚାଷ କରୁନାହାନ୍ତି। ଭୂମିହୀନ ବା ଛୋଟ ଚାଷୀ ଜମି ମାଲିକଙ୍କର ବିଶ୍ୱାସ ଭାଜନ ହୋଇ ଜମି ଚାଷ କରୁଛନ୍ତି। ଗତ ୪ ଦଶନ୍ଧିରୁ ଅଧିକ ସମୟ ଧରି ଏହି ପ୍ରକ୍ରିୟା ଜାରି ରହିଛି।

ବର୍ତମାନର ସ୍ଥିତି ହେଉଛି, ସମଗ୍ର ରାଜ୍ୟରେ ସିଂହଭାଗ ଜମି ଚାଷୀ ଭାଗରେ ନେଇ ହିଁ ଚାଷ କରୁଛନ୍ତି। କେଉଁଠି କେଉଁଠି ଚାଷର ଅଧା ଖର୍ଚ୍ଚ ଦେଉଛନ୍ତି ଜମି ମାଲିକ ଓ ଜମି ସତ୍ତ୍ୱକୁ ମିଶାଇ ଉତ୍ପାଦିତ ସାମଗ୍ରୀର ଦଶଣା ନେଉଛନ୍ତି ଓ ଛଅଣା ପାଉଛି ଚାଷୀ। ଆଉ କେଉଁଠି ଚାଷୀ ଜମିର ସମସ୍ତ ଖର୍ଚ୍ଚ ଭରଣା କରୁଛି, ଜମି ମାଲିକ ତା ସତ୍ତ୍ୱ ହିସାବରେ ଉତ୍ପାଦିତ ସାମଗ୍ରୀର ଅଧା ନେଉଛି ତ ପୁଣି କେଉଁଠି ଚଉଠା। ଏପରି ଅନେକ ରକମର ଭାଗ ବ୍ୟବସ୍ଥା ଚାଲିଛି ରାଜ୍ୟରେ।

ଚାଷୀର ଅସଲ ସମସ୍ୟାକୁ ସମାଧାନ କରିବା ଲାଗି ସରକାର ଆଗ୍ରହ ଦେଖାଉନାହାନ୍ତି। ଭୋଟ ବ୍ୟାଙ୍କ ହାସଲ ନିଶା ସରକାରଙ୍କୁ ଏଭଳି ବାଉଳା କରିଛି ଯେ ଗତ ପାଞ୍ଚ ବର୍ଷ ମଧ୍ୟରେ ଯିଏ ଯେତେବେଳେ କୃଷି ଅଥବା ରାଜସ୍ୱ ମନ୍ତ୍ରୀ ହେଲେ, ସେମାନେ ନୂଆ ନୂଆ ଫର୍ମୁଲା ଚିନ୍ତା କରି ଜମି ମାଲିକ-ଚାଷୀଙ୍କ ମଧ୍ୟରେ ଥିବା ଭାବପୂର୍ଣ୍ଣ ଓ ବିଶ୍ୱାସର ସଂପର୍କ ମଧ୍ୟରେ ଅବିଶ୍ୱାସର ମଞ୍ଜି ବୁଣି ଚାଲିଛନ୍ତି। କେତେବେଳେ ଭୂ ସଂସ୍କାର ଆଇନ ସଂଶୋଧନ କରି ଭାଗଚାଷ ପାଇଁ ସ୍ୱତନ୍ତ୍ର ଆଇନ ଆଣିବା ଲାଗି କୁହାଯାଉଛି ତ ଆଉ କେତେବେଳେ ଆଇନ ସଂଶୋଧନ ନକରି ପ୍ରକୃତ ଚାଷୀକୁ ସହାୟତା ବଣ୍ଟନ ଲାଗି ସରକାର ବ୍ୟସ୍ତ ହୋଇପଡୁଛନ୍ତି। ପରିଣାମରେ ଜମିର ମାଲିକାନା ସତ୍ତ୍ୱ ନେଇ ଜମି ମାଲିକଙ୍କ ମଧ୍ୟରେ ଆଶଙ୍କା ବଢିବାରେ ଲାଗିଛି।

ଆଇନ ସଂଶୋଧନ ନ କରି ସରକାର ପ୍ରକୃତ ଚାଷୀକୁ ସହାୟତା ଦେବା ଆରମ୍ଭ କଲେ, ଯେଉଁ ଦ୍ୱନ୍ଦ୍ୱ ଓ ସମସ୍ୟା ସୃଷ୍ଟି ହେବ, ତାହା ଜମି ମାଲିକଙ୍କୁ ସର୍ବସ୍ୱାନ୍ତ କରିବାର ଭୟ ରହିଛି। ପ୍ରଥମତଃ, ସରକାର ଚତୁରତାର ସହିତ ଭାଗଚାଷୀ ନ ଲେଖି ତା ବଦଳରେ ପ୍ରକୃତ ଚାଷୀ ଶବ୍ଦ ବ୍ୟବହାର କରୁଛନ୍ତି। ହେଲେ ଥରେ ପ୍ରକୃତ ଚାଷୀ ବୋଲି ଜଣାଇ ସହାୟତା ଦେଲେ ଆଇନକୁ ଆୟୁଧ କରି ସଂପୃକ୍ତ ଚାଷୀ ଜମି ମାଲିକଙ୍କ ଜମିକୁ ହଡ଼ପ ଲାଗି ପ୍ରମାଣ ପାଇଯିବ। ଦ୍ୱିତୀୟତଃ, ଓଡ଼ିଶା ଏଭଳି ଏକ ରାଜ୍ୟ, ବିଭିନ୍ନ ଅଞ୍ଚଳରେ ଜମି ମାଲିକ-ଚାଷୀ ଭିନ୍ନ ଭିନ୍ନ ଫର୍ମୁଲାରେ ଚାଷ କରୁଛନ୍ତି। ଏଭଳିସ୍ଥିତିରେ ଜମି ମାଲିକ-ଚାଷୀ ମଧ୍ୟରେ ଯେଉଁ ମୌଖିକ ବୁଝାମଣା ରହିଛି, ତାହା ଗାଁ କମିଟି ବା ସରପଞ୍ଚ ଅଥବା ଅନ୍ୟ କେହି ଜାଣିବାର ଅବକାଶ ନାହିଁ। ଏପରି ପରିସ୍ଥିତିରେ ଇନ୍‌ପୁଟ୍‌ ସବ୍‌ସିଡି ବଣ୍ଟନ ବେଳେ ଜମି ମାଲିକ କ୍ଷତିଗ୍ରସ୍ତ ହୋଇପାରନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ବ଼ଡ଼ ଚାଷୀମାନେ ଏକାଧିକ ଭାଗଚାଷୀଙ୍କ ନାମ ଉଲ୍ଲେଖ କରି (ଜଣ ପିଛା ୨ଏକର ହିସାବରେ) ଇନପୁଟ୍‌ ସବ୍‌ସିଡି ହରିଲୁଟ କରିବା ସମ୍ଭାବନାକୁ ଏଡାଇ ଦେଇ ହେବନାହିଁ।

ସମ୍ବନ୍ଧିତ ଖବର